ଜଳ ନିଷ୍କାସନ ସମସ୍ୟା ଥିବା ସ୍ଥାନ ଚିହ୍ନଟ କରାଯାଇଛି : ବିଏମସି କମିଶନର
ଭୁୁବନେଶ୍ୱର : ରାଜଧାନୀର ୬୩ବର୍ଷ ପରେ ରେକର୍ଡ ଜନିତ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଡ୍ରେନେଜ ସମସ୍ୟା ଉପୁଜିଛି ବୋଲି କହିଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ସେ କହିଛନ୍ତି ଯେ, ଯେତେ ସ୍ଥାନରେ ଜଳ ନିଷ୍କାସନ ସମସ୍ୟା ହୋଇଥିଲା ସେ ସବୁକୁ ଚିହ୍ନଟ କରାଯାଇଛି । ୭୫ଟି ଏଭଳି ସ୍ଥାନ ଚିହ୍ନଟ କରାଯିବା ସହ ଜଳ ଜମିରହିବାର କାରଣ କ’ଣ ତାହା ଅନୁସନ୍ଧାନ କରାଯାଇଛି । କିପରି ‘ସର୍ଟ ଟର୍ମ’ ଓ ‘ଲଙ୍ଗ ଟର୍ମ’ ପାଇଁ ଏହାର ସମାଧାନ କରାଯିବ ତାର ବାଟ ମଧ୍ୟ ବାହାର କରାଯାଇଛି । ଗତକାଲିଠାରୁ ସେହି ପଏଂଟଗୁଡିକର ସମୀକ୍ଷା କରାଯାଉଛି । ଯେଉଁଠି ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ ଦରକାର ପଡ଼ିବ ସେ ଦିଗରେ କାର୍ଯ୍ୟ ଆରମ୍ଭ କରାଯିବ । ନିଜ ନିଜ ଅଂଚଳର ଆକଳନ ତିଆରି କରିବା ପାଇଁ ସବୁ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରାକୃତିକ ନାଳର କଭର ନକରିବା ପାଇଁ ସୁପ୍ରିମକୋର୍ଟ, ଗ୍ରୀନ ଟ୍ରିବ୍ୟୁନାଲ, ନ୍ୟାସନାଲ ଓ ଷ୍ଟେଟ ପଲ୍ୟୁସନ କେଂଟ୍ରାଲ ବୋର୍ଡର ଗାଇଡଲାଇନ ରହିଛି । ଗାଇଡଲାଇନ ମାନି ଦୁର୍ଘଟଣା ଏଡ଼ାଇବା ପାଇଁ ଉଚିତ ପଦକ୍ଷେପ ନିଆଯାଉଛି । ଗତ ବର୍ଷାରେ ୩୫ଟି ଜାଗାରେ ପମ୍ପ ଲଗା ଯାଇଥିବା ବେଳେ ଆଗକୁ ବଡ଼ ବର୍ଷା ପାଇଁ ଅଧିକ ପମ୍ପ ଲଗାଯିବ ବୋଲି କହିଛନ୍ତି ବିଏମସି କମିଶନର ।
