ଗିରଫ ହେଲେ ମୋଟୁ ଥାନା ଆଇଆଇସି
ଭୁବନେଶ୍ୱର : ମାଲକାନଗିରି ଜିଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ ହୋଇଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ନେଇ ଗୁରୁବାର ଟ୍ୱିଟ୍ ଯୋଗେ ସୂଚନା ଦେଇଛି। ବୁଧବାର ତାଙ୍କ ବ୍ୟକ୍ତିଗତ କାରରୁ ୨ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିଲା । ପରେ ଜବତ ଟଙ୍କାର ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ଆଇଆଇସି ଶ୍ରୀ ସାହୁ ।
ସୂଚନା ଯେ, ସୁଶାନ୍ତ ସାହୁ ବୁଧବାର ମୋଟୁରୁ ତାଙ୍କ ଗାଁ ନଖରାକୁ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ଭିଜିଳାନ୍ସ ପକ୍ଷରୁ ଖୋର୍ଦ୍ଧା ନିକଟରେ ତାଙ୍କୁ ଅଟକାଇ ଯାଞ୍ଚ କରାଯାଇଥିଲା। ତାଙ୍କ ଠାରୁ ନଗଦ ୨ ଲକ୍ଷ ୮୦ ହଜାର ଟଙ୍କା ମିଳିଥିଲା। ତେବେ ସେ ଏହି ଟଙ୍କା କେଉଁଠୁ ଆଣିଲେ ଓ କ’ଣ ପାଇଁ ଏତେ ଟଙ୍କା ଦରକାର ପଡ଼ିଲା ସେନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ଏହାପରେ ତାଙ୍କର କାର୍ଯ୍ୟାଳୟ, ମୋଟୁ ସ୍ଥିତ ସରକାରୀ ବାସଭବନ, କଟକରେ ଚଢାଉ କରିଥିଲା ଭିଜିଲାନ୍ସ । ତାଙ୍କର ୧୦ଟି ବ୍ୟାଙ୍କର ପାସବୁକ୍ ଓ ବିଭିନ୍ନ ଜମିଜମା କାଗଜପତ୍ର ଜବତ କରାଯାଇଛି । ଏହି ସମୟରେ ନିକଟରେ ସେ ତାଙ୍କ ପତ୍ନୀଙ୍କ ନାଁରେ ନଖରାରେ କିଣିଥିବା ଏକ ପ୍ଲଟର କାଗଜପତ୍ର ମିଳିଥିଲା। ଏହି ପ୍ଲଟକୁ ସେ ୨୪ ଲକ୍ଷ ୯୦ ହଜାର ଟଙ୍କାରେ କିଣିଥିବା ଜଣାପଡ଼ିଛି। ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇ ସ୍ପେଶାଲ୍ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।
