ମୟୂରଭଞ୍ଜରେ ଖସୁଛି ପାରଦ ଶିମିଳିପାଳର ବିଭିନ୍ନ ସ୍ଥାନରେ ହାଲକା ତୁଷାରପାତ
ବାରିପଦା : ମୟୂରଭଞ୍ଜ ଜିଲ୍ଲାର ଅର୍ଦ୍ଧାଧିକ ଅଂଚଳ ବଣ ପାହାଡ ଘେରା । ଏଠାରେ ବିଶ୍ୱର ୨ୟ ବୃହତମ ଜୈବ ମଣ୍ଡଳ ଶିମିଳିପାଳ ଅବସ୍ଥିତ । ବିଗତ କିଛିଦିନ ଧରି ଜିଲ୍ଲାରେ ତାପମାତ୍ରା ହ୍ରାସ କାରଣରୁ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ବିଶେଷ କରି ସଂଧ୍ୟା ଏବଂ ସକାଳ ସମୟରେ ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡିଛି । ସକାଳ ସମୟରେ କୁହୁଡି ଲାଗିରହିବା ସହିତ ଦିନ ତମାମ ଥଣ୍ଡା ପବନ ବହୁ ଥିବାରୁ ଶୀତର ପ୍ରକୋପ ଦିନକୁ ଦିନ ବଢୁଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ସକାଳ ସଂଧ୍ୟାରେ ନିଆଁ ଜାଳି ବସିରହୁଛନ୍ତି । ପ୍ରବଳ ଥଣ୍ଡା କାରଣରୁ ଶିମିଳିପାଳର ବିଭିନ୍ନ ସ୍ଥାନରେ ହାଲକା ତୁଷାରପାତ ହୋଇଥିବାର ହଦେଖିବାକୁ ମିଳିଛି । ସକାଳେ ସକାଳେ ଶିମିଳିପାଳ ଭିତରେ ରହୁଥିବା ପର୍ଯ୍ୟଟକଙ୍କ ଗାଡ଼ି ଉପରେ, ନେଚର କ୍ୟାମ୍ପ ଗୃହ ଓ ଘାସ ଗାଲିଚା ଉପରେ ପତଳା ତୁଷାର ଆସ୍ତରଣ ଜମିରହିଥିବାର ଦେଖାଯାଇଛି । ଶିମିଳିପାଳ କୋର ଏରିଆରେ ଥିବା ଉପର ବାରହାକାମୁଡ଼ା, ଦେବସ୍ଥଳୀ, ଜେନାବିଲ, ନଅଣା ଆଦି ଅଂଚଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାର ସୂଚନା ମିଳିଛି । ଶିମିଳିପାଳ ଭିତରେ ଏବଂ ପାଦ ଦେଶ ଗୁଡିକରେ ଥିବା ବିଭିନ୍ନ ଗାଁ ଗୁଧଫିକରେ ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଧୂନୀ ଜାଳି ବସିରହୁଥିବାର ଦେଖାଯାଉଛି । ବର୍ତମାନ କୋହଲା ପବନ ଲାଗିରହିଥିବାରୁ ଆହୁରି ପ୍ରବଳ ଥଣ୍ଡା ଅନୁଭୁତ ହେବ ବୋଲି କୁହାଯାଉଥିବା ବେଳେ, ବିଗତ ବର୍ଷ ମାନଙ୍କରେ ଏହି ସମୟରେ ଶିମିଳିପାଳର ଆଭ୍ୟନ୍ତର ରେ ୦ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାର ନଜିର ରହିଥିବା ବେଳେ, ଚଳିତ ବର୍ଷ ଉପରବାରହାକାମୁଡ଼ାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ଏବଂ ନଅଣାରେ ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାର ଜଣାଯାଇଛି ।
