ଇପିଏଫଓରେ ପଞ୍ଜିକୃତ କର୍ମଚାରୀଙ୍କୁ ମିଳିବ ‘ଜୀବନ ବୀମା’, ଜାଣନ୍ତୁ କେମିତି ଉଠାଇବେ ଫାଇଦା
ନୂଆଦିଲ୍ଲୀ : ଆଜିକା ଦିନରେ ପ୍ରାୟ ସମସ୍ତେ ଜୀବନ ବୀମା ପଲିସି କିଣିଛନ୍ତି। ଏଲଆଇସି ଓ ଅନ୍ୟ କମ୍ପାନୀ ପରି ଇପିଏଫଓ ମଧ୍ୟ ଏହାର ପଞ୍ଜିକୃତ କର୍ମଚାରୀମାନଙ୍କୁ ଜୀବନ ବୀମା କଭର ଦେଇଥାଏ। ଅନେକ ଲୋକ ଏହା ବିଷୟରେ ଅବଗତ ନୁହଁନ୍ତି, ଯେଉଁଥିପାଇଁ ସେମାନେ ଏହାର ଲାଭ ଉଠାଇ ପାରନ୍ତି ନାହିଁ। ଆମେ ଆମେ ଆପଣଙ୍କୁ କହିବୁ, ଇପିଏଫଓ କିପରି କର୍ମଚାରୀମାନଙ୍କୁ ଗ୍ରାଚ୍ୟୁଇଟି ଏବଂ ପେନ୍ସନ୍ ସହିତ ବୀମା କଭର ପ୍ରଦାନ କରେ।
୧୯୭୬ ମସିହାରୁ ଇପିଏଫଓରେ ପଞ୍ଜିକୃତ କର୍ମଚାରୀମାନଙ୍କୁ ବୀମା କଭର ଦିଆଯାଉଛି। କିନ୍ତୁ ସୂଚନା ଅଭାବରୁ ଅନେକ ଲୋକ ଏହି ସୁବିଧା ବିଷୟରେ ଜାଣନ୍ତି ନାହିଁ। ପଞ୍ଜିକୃତ କର୍ମଚାରୀଙ୍କ ପାଇଁ ଇପିଏଫଓ କର୍ମଚାରୀଙ୍କ ଜମା ଲିଙ୍କ୍ ବୀମା (ଇଡିଏଲଆଇ) ସ୍କିମ୍ ଚଲାଇଥାଏ। ଏହି ସ୍କିମ୍ ଇପିଏଫ ଏବଂ ଇପିଏସ ସହିତ ଏକ ମିଶ୍ରଣ ଭାବରେ କାର୍ଯ୍ୟ କରେ। ଏହି ଯୋଜନାରେ, ଯଦି ଚାକିରି ସମୟରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିଥାଏ।
ଇଡିଏଲଆଇ ଯୋଜନା ଅଧୀନରେ ପ୍ରାପ୍ତ ବୀମା ଦାବି ଗତ ୧୨ ମାସ ପାଇଁ କର୍ମଚାରୀଙ୍କ ଦରମା ଉପରେ ନିର୍ଭର କରେ। ଯଦି କର୍ମଚାରୀ କ୍ରମାଗତ ୧୨ ମାସ କାମ କରନ୍ତି, ତେବେ ତାଙ୍କ ମୃତ୍ୟୁ ପରେ ହିଁ ତାଙ୍କ ନୋମିନିଙ୍କୁ ସର୍ବନିମ୍ନ ଆର୍ଥିକ ସହାୟତା ଅଢେଇ ଲକ୍ଷ ଟଙ୍କା ମିଳିବ। ଏହି ଯୋଜନାରେ କର୍ମଚାରୀ ଯେତେଦିନ ପର୍ଯ୍ୟନ୍ତ ଚାକିରିରେ ରହିବେ ସେ ପର୍ଯ୍ୟନ୍ତ କଭର ପାଇବେ। ଚାକିରି ଛାଡିବା ପରେ ଯଦି ତାଙ୍କର ମୃତ୍ୟୁ ହୁଏ, ତେବେ ତାଙ୍କ ନୋମିନି କିମ୍ବା ପରିବାର କୌଣସି ବୀମା ଦାବି କରିପାରିବେ ନାହିଁ।
ଏହି ଯୋଜନାରେ କର୍ମଚାରୀଙ୍କ ପରିବାର ସର୍ବାଧିକ ସାତ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭର ପାଇଥାନ୍ତି। ଏହି ଯୋଜନାରେ ସାମିଲ ହେବା ପାଇଁ କର୍ମଚାରୀଙ୍କୁ କୌଣସି ଅଲଗା ଆବେଦନ କିମ୍ବା ଫର୍ମ ପୂରଣ କରିବାକୁ ପଡେ ନାହିଁ। ଇଡିଏଲଆଇ ଯୋଜନାରେ କର୍ମଚାରୀଙ୍କ ବେତନରୁ କଟାଯାଇଥିବା ପିଏଫର ୦.୫ ପ୍ରତିଶତ ଜମା ହୋଇଥାଏ। ଆପଣଙ୍କ ଦରମା ଠାରୁ ପ୍ରତି ମାସରେ କଟାଯାଇଥିବା ପିଏଫ ପରିମାଣର ୮.୩୩ ପ୍ରତିଶତ ଇପିଏସରେ, ୩.୬୭ ପ୍ରତିଶତ ଇପିଏଫ ଏବଂ ୦.୫ ପ୍ରତିଶତ ଇଡିଏଲଆଇ ଯୋଜନାରେ ଜମା ହୋଇଥାଏ।
ଅନ୍ୟପଟେ ସୋମବାର ଠାରୁ ଇପିଏଫଓ ତାର କର୍ମଚାରୀଙ୍କ ଆକାଉଣ୍ଟକୁ ଗତ ୨୦୨୧-୨୨ ବର୍ଷର ସୁଧ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି। ମୋଟ ୨୪.୭୭ କୋଟି ଖାତାରେ ଏହି ଟଙ୍କା ଯିବ। ଆବଶ୍ୟକୀୟ ସଫ୍ଟୱାୟାରକୁ ଅପଡେଟ୍ କରିବା ପରେ ଇପିଏଫଓର ସୁଧ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୨୦-୨୧ରେ ଇପିଏଫଓର ସୁଧହାର ୮.୧ ପ୍ରତିଶତ ଥିବା ବେଳେ ୨୦୨୧-୨୧ରେ ତାହାକୁ ୮.୧କୁ ହ୍ରାସ କରାଯାଇଛି। ତେବେ ଏହା ୧୯୭୭-୭୮ ପରଠାରୁ ସର୍ବନିମ୍ନ ସୁଧହାର।
