ପତ୍ନୀ ହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲଦଣ୍ଡ
ଭଦ୍ରକ : ପତ୍ନୀହତ୍ୟା ଅପରାଧରେ ବନ୍ତ ଥାନା ତରାଗ ଗ୍ରାମର ଶିଶିର ବେହେରାଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଭଦ୍ରକ ଅତିରିକ୍ତ ଜିଲା ଜଜ୍ ଆଶିଷ କୁମାର ତ୍ରିପାଠୀ ଭାରତୀୟ ପିଙ୍ଗଳ କୋଡର ଦଫା ୩୦୨ ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ପୁନଶ୍ଚ ୩ ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ମାନ୍ୟବର ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସୂଚନା ଅନୁସାରେ ବନ୍ତ ଥାନା ତରାଗ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ସେହି ଗ୍ରାମର ରବିନ୍ଦ୍ର ବାରିକଙ୍କ କନ୍ୟା ମିନାକ୍ଷୀକୁ ଗତ ୨୦୧୨ ମସିହା ମଇ ମାସ ୩୦ ତାରିଖରେ ବିବାହ କରିଥିଲେ । ବିବାହ ସମୟରେ ସମସ୍ତ ଦାବି ଯୌତୁକ ଦିଆଯାଇଥିଲେ ମଧ୍ୟ ବିବାହ ପରେ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଏକ ମୋଟର ସାଇକେଲ୍ କିଣିବା ପାଇଁ ୫୦ ହଜାର ବାପଘରୁ ଆଣିବାକୁ କହିଥିଲେ । ମିନାକ୍ଷୀ ଏଥିରେ ରାଜି ନହେବାରୁ ତାକୁ ଶ୍ୱଶୁର, ଶାଶୁ ଗୀତାଞ୍ଜଳି ସମେତ ତାର ଅଜା ଜୟକୃଷ୍ଣ ପ୍ରଧାନ ମଧ୍ୟ ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ । ଉଭୟଙ୍କ ଗୋଟିଏ ପିଲା ମଧ୍ୟ ଜନ୍ମ ଲାଭ କରିଥିଲା । ପୂର୍ଣ୍ଣଚନ୍ଦ୍ର ମିନାକ୍ଷୀକୁ ଘରୁ ପଳାଇଯିବା ପାଇଁ ଧମକ ଦେଉଥିଲେ । ସେ ନଗଲେ ଦ୍ୱିତୀୟ ବିବାହ କରିବା ପାଇଁ ମଧ୍ୟ ଧମକ ଦେଉଥିଲା । ୨୦୧୬ ମସିହା ଫେବୃୟାରୀ ମାସ ୨୦ ତାରିଖରେ ଭଣ୍ଡାରିପୋଖରୀ ଥାନା ମଂଜୁରୀରୋଡ୍ ଫାଣ୍ଡିରେ ଏକ ଝିଅ ସହ ଅଟକ ଥିବାର ଜାଣି ସେଠାକୁ ଯାଇ ପୂର୍ଣ୍ଣଚନ୍ଦ୍ରକୁ ଉଦ୍ଧାର କରି ଅଣାଯିବା ପରେ ସେ ଏମିତି କେବେ ଆଉ କରିବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଗତ ୨୦୧୬ ମସିହା ମାର୍ଚ୍ଚ ମାସ ୯ ତାରିଖରେ ମିନାକ୍ଷୀକୁ ନିଆଁ ଲଗାଇ ପୋଡି ଦେଉଥିବାର ଖବର ପାଇ ତା ବାପଘର ଲୋକ ସେଠାକୁ ଯାଇ ଦେଖିଲେ ସେ ନିଆଁରେ ଜଳୁଛି । ତା ଦେହରେ କନ୍ଥା ପକାଇ ତାକୁ ଉଦ୍ଧାର କରି ତୁରନ୍ତ ୧୦୮ ଆମ୍ବୁଲାନ୍ସରେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଆସିଥିଲେ । ତା ଅବସ୍ଥା ଗୁରୁତର ଥିବାରୁ ତାକୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇ ସେଠାରେ ଚିକିତ୍ସିତ ହେଉଥିବାବେଳେ ମିନାକ୍ଷୀଙ୍କ ପିତା ରବିନ୍ଦ୍ର ଥାନାରେ ଲିଖିତ ଏତଲା ଦେଇଥିଲେ । ତାକୁ ଭିତି କରି ବନ୍ତ ଥାନା କେଶ୍ ନଂ ୨୬/୧୬, ଦଫା ୪୯୮ (କ) / ୨୯୪ / ୩୦୭ ରେ ଏକ ମାମଲା ରୁଜୁ କରି ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା । ପରେ ମିନାକ୍ଷୀର ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡିଂ କରିଥିଲା । ଯେଉଁଥିରେ ତାକୁ ସ୍ୱାମୀ କିରୋସିନି ଢାଳି ନିଆଁ ଲଗାଇ ଦେଇଥିବା କଥା କହିଥିଲା । ଏହି ମାମଲାରେ ପୁଲିସ୍ ସ୍ୱାମୀ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରିଥିଲା ଓ ଚାର୍ଜସିଟ୍ରେ ୩୦୨ ଦଫାରେ ଦେଇ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପିତା ଓ ମାତା, ଅଜାଙ୍କୁ ମଧ୍ୟ ଅପରାଧି ଭାବରେ ସାମିଲ କରିଥିଲା । ସେହି ଦିନରୁ ପୂର୍ଣ୍ଣଚନ୍ଦ୍ର ବିଚାରାଧୀନ ବନ୍ଦୀ ଭାବରେ ଜେଲ୍ରେ ଅଟକ ରହିଛି । ମାମଲାଟି ଏସଟି ନଂ ୨୦/୨୪୦/୧୬ ରେ ବିଚାର ଚାଲୁଥିଲା । ବିଚାର ସମୟରେ ଅଭିଯୋଗକାରୀ ପୂର୍ଣ୍ଣଚନ୍ଦ୍ରଙ୍କ ବିରୁଦ୍ଧରେ କିଛି ଅଭିଯୋଗ କରିନଥିଲେ ମଧ୍ୟ ମିନାକ୍ଷୀର ମୃତ୍ୟୁକାଳୀନ ଜମାନବନ୍ଦୀକୁ ବିଶ୍ୱାସକୁ ନେଇ ପୂର୍ଣ୍ଣଚନ୍ଦ୍ରକୁ ବିଚାରପତି ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତେବେ ତାର ବାପା ମାଆକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୋଗକାରୀଙ୍କ ତରଫରୁ ସରକାରୀ ଓକିଲ ଅରୁଣ ମିଶ୍ର, ସୂର୍ଯ୍ୟକାନ୍ତ କୁଅଁର ମାମଲା ପରିଚାଳନା କରୁଥିଲେ ।
