ପରଲୋକରେ କିମ୍ବଦନ୍ତୀ କ୍ରିକେଟର ସେନ୍ ୱର୍ଣ୍ଣ
ନୂଆଦିଲ୍ଲୀ : କିମ୍ବଦନ୍ତୀ କ୍ରିକେଟର ସେନ୍ ୱର୍ଣ୍ଣଙ୍କ ପରଲୋକ ଘଟିଛି । ଅଷ୍ଟ୍ରେଲିଆର ଏହି ମହାନ କ୍ରିକେଟରଙ୍କ ୫୨ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ସ୍ପିନ ଯାଦୁକରଙ୍କ ବିୟୋଗରେ କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି । ସେନ୍ ୱର୍ଣ୍ଣଙ୍କ ପରଲୋକକୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ୧୯ ବର୍ଷର ଅନ୍ତର୍ଜାତୀୟ କ୍ରିକେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ସେ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଅଷ୍ଟ୍ରେଲିଆ ପାଇଁ ସେନ୍ ୱାର୍ଣ୍ଣ ୧୪୫ଟି ଟେଷ୍ଟ ଓ ୧୯୪ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଉଭୟ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ସେ ୧୦୦୧ ୱିକେଟ ଅକ୍ତିଆର କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ୭୦୮ ଏବଂ ଦିନିକିଆରେ ୨୯୩ ୱିକେଟ ହାସଲ କରିଥିଲେ । ଯାଦୁକରୀ ସ୍ପିନ ବୋଲିଂ ପାଇଁ ସେ ବେଶ ପ୍ରସିଦ୍ଧ ଥିଲେ । ଦିନିକିଆରେ ୩୩ ରନରେ ୫ ୱିକେଟ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ । ନିଜର ଟେଷ୍ଟ କ୍ୟାରିୟରରେ ସେ ୧୦ଥର ୧୦ ୱିକେଟ ହାସଲ କରିଛନ୍ତି । ୨୦୦୭ରେ ଶେଷଥର ପାଇଁ ସେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ, ପରେ ସେ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତେବେ କିଛିଦିନ ତଳେ ସେନ୍ ୱାର୍ଣ୍ଣ ଇଂଲଣ୍ଡ କ୍ରିକେଟ ଟିମର ମୁଖ୍ୟ କୋଚ୍ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ ।
ସଚିନ ତେନ୍ଦୁଲକର ଏକ ଟ୍ୱିଟ କରି ଲେଖିଛନ୍ତି, ମୁଁ ହତଚକିତ, ଦୁଃଖିତ… ତୁମେ ସବୁବେଳେ ମନେ ପଡ଼ିବ ସେନ । ତୁମ ସହ ପଡ଼ିଆ ଭିତରେ ଓ ବାହାରେ ବିତାଇଥିବା ସବୁ ମୂହୂର୍ତ୍ତ ଥିଲା ଅଭୁଲା । ପଡ଼ିଆ ଭିତରେ ତୁମ ସହ ହୋଇଥିବା କଥା କଟାକଟି ଓ ପଡିଆ ବାହରେ ହୋଇଥିବା ଚିଡ଼ାଚିଡ଼ିକୁ ହୃଦୟରେ ସାଇତି ରଖିବି । ତୁମ ହୃଦୟରେ ଭାରତ ପାଇଁ ସ୍ୱତନ୍ତ୍ର ସ୍ଥାନ ଥିଲା ଓ ଭାରତୀୟଙ୍କ ହୃଦୟରେ ତୁମ ପାଇଁ । ଖୁବ ଶୀଘ୍ର ଚାଲିଗଲ । ସେହିପରି ବିରାଟ କୋହଲି ଲେଖିଛନ୍ତି, ଜୀବନ କେତେ ଅସ୍ଥିର ଓ କ୍ଷଣସ୍ଥାୟୀ । ଆମ ଖେଳର ଜଣ ମହାନ ବ୍ୟକ୍ତି ଚାଲିଯିବାଟା ମୁଁ ସହଜରେ ହଜମ କରିପାରୁନାହିଁ ।
