ବାଲେଶ୍ୱର ରେଳ ଷ୍ଟେସନର ନବୀକରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ
ବାଲେଶ୍ୱର : ବାଲେଶ୍ୱରରେ ନୂତନ ରେଳ ଷ୍ଟେସନ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ହୋଇଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ରାଜ୍ୟର ପ୍ରମୁଖ ଷ୍ଟେସନ ଭାବେ ବାଲେଶ୍ୱର ରେଳ ଷ୍ଟେସନର ବିକାଶ ଓ ରେଳ ଯାତ୍ରୀଙ୍କୁ ଅଧିକରୁ ଅଧିକ ସେବା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଭୂୟସୀ ପ୍ରଶଂସା କରିଥିଲେ । ଷ୍ଟେସର ନବୀକରଣ ପ୍ଲାନ ଅନୁସାରେ ୧୬୩ ମିଟର ଲମ୍ବ ଓ ୩୨ ମିଟର ଓସାରରେ ବିଲ୍ଡିଂ ନିର୍ମାଣ ହେବ । ଏଥିରେ ଟିକେଟ କାଉଣ୍ଟର, ରଜର୍ଭେସନ କାଉଣ୍ଟର, ଯାତ୍ରୀ ବିଶ୍ରାମଗାର ସମେତ ଅନ୍ୟାନ୍ୟ ସମସ୍ତ ପ୍ରକାର ଆତ୍ୟାଧୁନିକ ସେବା ବ୍ୟବସ୍ଥା ରହିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ । ନବୀକରଣ ପରେ ବାଲେଶ୍ୱର ରେଳ ଷ୍ଟେସନର ରୂପରେଖ ବଦଳିବା ସହ ପୂର୍ବପାଶ୍ୱର୍ ଭଳି ପଶ୍ଚିମ ପାଶ୍ୱର୍ରେ ବି ଯାତ୍ରୀଙ୍କୁ ସମସ୍ତ ସୁବିଧା ମିଳିପାରିବ ବୋଲି ସେ ପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୩ କୋଟି ଟଙ୍କାରେ ଏହି ବିଲ୍ଡିଂ ନିର୍ମାଣ ହେବା ସହ ପରବର୍ତ୍ତୀ ସମୟରେ ଆଉ ୧୭ କୋଟି ଟଙ୍କା ବ୍ୟୟରେ ଷ୍ଟେସନର ଆନ୍ୟାନ୍ୟ ଆନୁସଙ୍ଗିକ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ ।
ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଳମ୍ବ ହେଉ ପଛେ ଷ୍ଟେସନର ଉନ୍ନତିକରଣ ପ୍ରକଳ୍ପର ଶୁଭାରମ୍ଭ ଜିଲାବାସୀଙ୍କ ପାଇଁ ଆଶ୍ୱସ୍ତିର ବିଷୟ ବୋଲି କହିଥିଲେ । ସେହିଭଳି ମାଲଗୋଦାମ ସ୍ଥାନାନ୍ତର କାର୍ଯ୍ୟ ତୁରନ୍ତ କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଦକ୍ଷିଣ-ପୂର୍ବ ରେଳ ବିଭାଗ ଖଡ଼ଗପୁରର ମୁଖ୍ୟ ପ୍ରଶାସନିକ ଅଧିକାରୀ ଏସଏମ ମାହେଶ୍ୱରୀ ଓ ଖଣ୍ଡ ଅଧିକାରୀ (ଡିଆରଏମ) ମନୋରଞ୍ଜନ ପ୍ରଧାନ ଏହି ଶିଳାନ୍ୟାସ ପର୍ବରେ ଯୋଗଦେଇ ବାଲେଶ୍ୱର ରେଳଷ୍ଟେସନ ନବୀକରଣ ପ୍ରଳ୍ପ କାର୍ଯ୍ୟକାରିତାର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । କର୍ମସିଆଲ ସୁପରଭାଇଜର ଚୈତାଳି ବାନାର୍ଜୀ ଓ ସୁମିତ୍ରା ସାହୁ ଉଦଘାଟନୀ ଉତ୍ସବରେ ସଂଯୋଜନା କରିଥିବା ବେଳେ ଖଡ଼ଗପୁରର ବରିଷ୍ଟ ଡିସିସିଏମ ଶ୍ରୀ ରାଜେଶ କୁମାର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ବାଲେଶ୍ୱର ରେଳ ପ୍ରବନ୍ଧକ ବିକାଶ ଚନ୍ଦ୍ର ବେରା ଓ ଶେଖ ସାହାବୁଦ୍ଦିନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସମସ୍ତ କାର୍ଯ୍ୟ ପରିଚାଳନାରେ ବିଭିନ୍ନ ବଭାଗର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ । ତେବେ ଏହି ଶିଳାନ୍ୟାସ ଉତ୍ସବରେ ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ସହଯୋଗୀ ତଥା ବିଜେପି କର୍ମୀ ଓ ସଦର ବିଧାୟକ ଶ୍ରୀ ଦାସଙ୍କ ସହଯୋଗୀ ତଥା ବିଜେଡି କର୍ମୀଙ୍କ ଜୟଜୟକାର ମାଧ୍ୟମରେ ଶକ୍ତି ପ୍ରଦର୍ଶନ ବେଶ ଉପଭୋଗ୍ୟ ଥିଲା । ସ୍ୱାଗତ ଆଳରେ ଉଭୟ ନେତାଙ୍କ କର୍ମୀମାନେ ଉତ୍ସବସ୍ଥଳରେ ସୃଷ୍ଟି କରିଥିବା ରଣଭୂମିର ଆଚରଣକୁ ନେଇ ସେଠାରେ ଉପସ୍ଥିତ ସରକାରୀ କର୍ମଚାରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଭ୍ରୁକୁଞ୍ଚନ କରିଥିବା ଦେଖିବାକୁ ମିଳିଥିଲା ।
