ଲକ୍ଷ୍ମୀପୁର ଖେରୀ ମାମଲା : ଘଟଣାସ୍ଥଳରେ କ୍ରାଇମସିନ୍ ରିକ୍ରିଏଟ କଲା ଏସଆଇଟି
ଲକ୍ଷ୍ମୀପୁର : ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ତିକୁନିଆରେ ବିକ୍ଷୋଭରୁ ଫେରୁଥିବା ଚାଷୀଙ୍କ ଉପରେ ଗାଡ଼ି ଚଢାଇ ଦେଇଥିଲେ ଶାସକ ଦଳ ସମର୍ଥକ। ମାମଲାର ତଦନ୍ତ କରୁଥିବା ଏସଆଇଟି ଗୁରୁବାର ଅଭିଯୁକ୍ତମାନଙ୍କୁ ନେଇ ଘଟଣାସ୍ଥଳରେ ସେଦିନର ଲୋମହର୍ଷକ କାଣ୍ଡ ଦୋହରାଇଛନ୍ତି। ଏହା ସହ ସେମାନଙ୍କୁ ପଚରାଉଚରା ମଧ୍ୟ କରାଯାଇଛି।
ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନୀଙ୍କ ପୁଅ ଆଶିଷ ମିଶ୍ର, ତାଙ୍କ ତାଙ୍କ ଘନିଷ୍ଠ ସହଯୋଗୀ ଅଙ୍କିତ ଦାସ, ଗନମେନ୍ ଲତିଫ ଓ ଡ୍ରାଇଭର ଶେଖର ଭାରତୀଙ୍କୁ ନେଇ ଏସଆଇଟି ଏହି କ୍ରାଇମସିନ୍ ରିକ୍ରିଏଟ କରିଛି। ଏଥିଲାଗି ଏସଆଇଟି ୩ଟି ଏସୟୁଭିର ବ୍ୟବସ୍ଥା ମଧ୍ୟ କରିଥିଲା। ଯେପରି ଜଣାଯାଏ ସେହି ଦୁର୍ଭାଗ୍ୟପୂର୍ଣ୍ଣ ଦିନ ଅଭିଯୁକ୍ତମାନେ ୩ ଟି ଏସୟୁଭିକୁ ଦ୍ରୁତବେଗରେ ଆଣି ବିକ୍ଷୋଭରତ ଚାଷୀଙ୍କ ଉପରେ ଚଢାଇ ଦେଇଥିଲେ। ଠିକ ସେହିପରି ସିନ୍ ଏସଆଇଟି ଗୁରୁବାର ରିକ୍ରିଏଟ କରିଛି। ଏସଆଇଟି ଘଟଣାସ୍ଥଳରେ ସେମାନଙ୍କ ଉପସ୍ଥିତି ସମ୍ପର୍କରେ ମଧ୍ୟ ପଚରା ଉଚରା କରିଛି। ଏଥିରେ ଯଦିଓ ସେମାନେ ଜାଣିଥିଲେ ସେଠାରେ ଚାଷୀମାନେ ବିକ୍ଷୋଭ କରୁଥିଲେ ବୋଲି ତେବେ ସେତେବେଳେ ସେଠାରେ କଣ ହେଉଥିଲା ବୋଲି ଏସଆଇଟି ଅଭିଯୁକ୍ତମାନଙ୍କୁ ପୃଥକ ପୃଥକ ପଚାରିଛି। ମାମଲାରେ ସେମାନଙ୍କ ବୟାନ ଏବେ ମେଳ କରାଯିବ। ଏହି ଅଭ୍ୟାସ କାଳରେ ଏସଆଇଟି ସହ ଫରେନସିକ୍ ସାଇନ୍ସ ଲେବରେଟରୀ ଲକ୍ଷ୍ମୌର ଟିମ୍ ମଧ୍ୟ ଉପସ୍ଥିତ ଥିଲା। ଏହା ଛଡା ସିନ୍ ରିକ୍ରିଏଟ କାଳରେ କୌଣସି ପ୍ରକାର ଆଇନଶୃଙ୍ଖଳା ଅଥବା ଅଭିଯୁକ୍ତଙ୍କ ପକ୍ଷରୁ କୌଣସି ପ୍ରକାର ଗଡବଡି ଆଶଙ୍କାରେ ବ୍ୟାପକ ପୋଲିସ ଫୋର୍ସ ସମେତ ପିଏସି ଓ ଆରଏଏଫଙ୍କୁ ମୁତୟନ କରାଯାଇଥିଲା। ଏହି ତମାମ ପ୍ରକ୍ରିୟା ଲାଗି ସମଗ୍ର ଅଞ୍ଚଳକୁ ସୁରକ୍ଷା ବଳୟରେ ରଖା ଯାଇଥିଲା। ଏସଆଇଟିର ଏହି କ୍ରାଇମ ସିନ୍ ରିକ୍ରିଏସନ ସହ ଗୁରୁବାର ଆଶିଷ ମିଶ୍ରଙ୍କ ପୋଲିସ ରିମାଣ୍ଡ ମଧ୍ୟ ପୁରା ହୋଇଛି।
