ସେନାରେ ଗୁପ୍ତଚର ଘଟଣା : ପାକିସ୍ତାନୀ ଯୁବତୀକୁ ଗୋପନ ତଥ୍ୟ ଯୋଗାଇ ଜଣେ ଗିରଫ
ନୂଆଦିଲ୍ଲୀ : ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ ପରେ ଏବେ ସେନାରେ ଗୁପ୍ତଚର ଘଟଣା । ଓଡ଼ିଶାର ବାଲେଶ୍ୱର ଜିଲା ଚାନ୍ଦିପୁର ଡିଆରଡିଓରେ ଗୁପ୍ତ ତଥ୍ୟ ଲିକ ଘଟଣା ପରେ ଯୋଧପୁରରେ ଥିବା ମିଲିଟାରୀ ଚିଫ ଇଂଜିନିୟର ଅଫିସରେ ପିଅନ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଜଣେ ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ ପଡ଼ି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଉଥିବା ଜଣାପଡ଼ିଛି । ପୁଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିଛି ।
ରାମ ସିଂ ନାମକ ସଂପୃକ୍ତ ବ୍ୟକ୍ତିକୁ ରାଜସ୍ଥାନ ପୁଲିସ ଗିରଫ କରିଛି । ସେ ଗତ ଦୁଇ ମାସ ହେଲା ଜଣେ ରହସ୍ୟମୟୀ ପାକିସ୍ତାନୀ ଯୁବତୀଙ୍କ ସହ ହ୍ବାଟ୍ସଆପରେ ଚାଟିଂ କରୁଥିଲା ଓ ଅନେକ ଗୋପନ ତଥ୍ୟ ଯୋଗାଉଥିଲା । ସଂପୃକ୍ତ ଯୁବତୀ ତାକୁ ପ୍ରେମଜାଲରେ ଫସାଇ ଓ ବିବାହର ପ୍ରଲୋଭନ ଦେଇ ଏସବୁ ଗୋପନ ତଥ୍ୟ ହାସଲ କରୁଥିବା ଜଣାପଡ଼ିଛି । ଏପରିକି ରାମ ସିଂ ଉକ୍ତ ମିଲିଟାରୀ ଇଂଜିନିୟରିଂ ଅଫିସର କେତେକ ଗୋପନ ଚିତ୍ର ମଧ୍ୟ ହ୍ବାଟ୍ସଆପରେ ସେୟାର କରିଥିଲା । ସେ ନିଜର ମୋବାଇଲ ଫୋନରେ ଅଫିସର ବିଭିନ୍ନ ଗୋପନ ଫାଇଲ ଓ କାଗଜ ପତ୍ରର ଫଟୋ ଉଠାଇ ସଂପୃକ୍ତ ଯୁବତୀ ନିକଟକୁ ପଠାଉଥିଲା ବୋଲି ରାଜସ୍ଥାନର ପୁଲିସ ଡିଜି(ଗୁଇନ୍ଦା) ଉମେଶ ମିଶ୍ରା କହିଛନ୍ତି ।
