ଚା’ ଆସରରେ ଉନ୍ମୋଚିତ ହେଲା ‘ଲାଉଡ଼ଙ୍କ’ ଓ ‘ଶ୍ରେଷ୍ଠ ଗଳ୍ପ’
ବାଲେଶ୍ୱର : ଫକୀରମୋହନଙ୍କ ମାଟି ଓ ଓଡ଼ିଆ ଭାଷା ସାହିତ୍ୟର ସହର ବାଲେଶ୍ୱର । ସହରର ଫକୀରମୋହନ ଗୋଲେଇ ଚା’ ଆସର ରାଜ୍ୟର ଲେଖକ ମହଲରେ ଜଣାଶୁଣା । ପ୍ରଥମଥର କରି ଏହି ଚା’ ଆସରରେ ଏକ ନିଆରା ଢଙ୍ଗରେ ଦୁଇ ଲେଖକ ବନ୍ଧୁ କବି ପ୍ରଶାନ୍ତ ଦାସ ଓ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳସଙ୍କ ଦୁଇଟି ପୁସ୍ତକର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ରବିବାର ପୂର୍ବାହ୍ନରେ ପ୍ରଶାନ୍ତ ଦାସଙ୍କ କବିତା ବହି ‘ଲାଉଡ଼ଙ୍କ’ ଓ ଗଙ୍ଗାଧର ବିଶ୍ୱାଳଙ୍କ ଗଳ୍ପ ବହି ‘ଶ୍ରେଷ୍ଠ ଗଳ୍ପ’କୁ ଅତିଥିମାନେ ଲୋକାର୍ପଣ କରିଛନ୍ତି । ଭୁବନେଶ୍ୱର ‘ଟାଇମପାସ’ ପ୍ରକାଶନ୍ୟ ସଂସ୍ଥା ଦ୍ୱାରା ପ୍ରକାଶିତ ପୁସ୍ତକ ଦ୍ୱୟକୁ ଅତିଥି ଭାବେ କବି ଶ୍ରୀଦେବ, କବି ଓ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ଓ କବି ଅଭୟ ଦାସ ମିଳିତ ଭାବେ ଉନ୍ମୋଚନ କରି ଲେଖକଟିଏର ଜୀବନ ଯେତେବେଳେ କଠୋର ସଂଯମ ଓ ପ୍ରଗାଢ଼ ଆତ୍ମ ନିୟନ୍ତ୍ରଣ ଉପରେ ପର୍ଯ୍ୟବେସିତ ହେବ, ସେତେବେଳେ ଲେଖା ତା’ର ଅଧିକ ଶକ୍ତିଶାଳୀ ହେବ । ମାନବିକ ସମ୍ବେଦନଶୀଳତାର ସ୍ୱର ଓ ସ୍ୱାକ୍ଷର ବହନ କରୁଥିବା ଲେଖାଟିଏ ସର୍ବଦା କାଳଜୟୀ ହୋଇଥାଏ ବୋଲି ପ୍ରକାଶ କରିଥିଲେ ।
ଲେଖକ ଦ୍ୱୟ କବି ପ୍ରଶାନ୍ତ ଦାସ ଓ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ ପ୍ରାରମ୍ଭରେ ଲେଖକୀୟ କଥା ରଖାଥିଲେ । କବି ଉତ୍ପଳ ମହାନ୍ତି ଲେଖକ ଓ ପୁସ୍ତକ ସମ୍ପର୍କରେ ଏକ ସୁନ୍ଦର ମତାମତ ରଖିଥିଲେ । ସାମ୍ବାଦିକ ଶଶିରଞ୍ଜନ ମଲ୍ଲିକ ସ୍ୱାଗତ ବକ୍ତବ୍ୟ ରଖିଥିଲେ । ଫକୀରମୋହନ ସାହିତ୍ୟ ପରିଷଦର କାର୍ଯ୍ୟ ନିର୍ବାହୀ ସଦସ୍ୟ ରାଜେଶ ଗିରି ଶେଷ କଥା ରଖିଥିବା ବେଳେ କବି ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପୁସ୍ତକ ଉନ୍ମୋଚନ ଉତ୍ସବରେ ଦୁଇ ଲେଖକଙ୍କ ପରିବାର ଲୋକେ ଉପସ୍ଥିତ ରହି ନିଜ ନିଜର ଅନୁଭବ କଥା ରଖିଥିଲେ । ଦୈନନ୍ଦିନ ଆସରକୁ ଆସୁଥିବା ବନ୍ଧୁମାନଙ୍କ ସହ ସ୍ଥାନୀୟ ସାହିତ୍ୟପ୍ରେମୀ ମଣିଷମାନେ ଏହି ନିଆରା ଢଙ୍ଗରେ ପାଳିତ ହେଉଥିବା ପୁସ୍ତକ ଉନ୍ମୋଚନ ଉତ୍ସବରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
