କୋର୍ଟରେ ଦୋଷ ସ୍ୱୀକାର କଲେ ଲାଲୁ, କୋହଳ ହେଲା ଦଣ୍ଡ
ନୂଆଦିଲ୍ଲୀ : ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଝାଡ଼ଖଣ୍ଡର ପାଲାମୁ ସିଭିଲ କୋର୍ଟରେ ହାଜର ହୋଇଥିଲେ । ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ କୋର୍ଟରେ ତାଙ୍କର ଦୋଷ ସ୍ୱୀକାର କରିଛନ୍ତି । ଏଣୁ କୋର୍ଟ ଦଣ୍ଡ କୋହଳ କରିଛନ୍ତି । ଲାଲୁଙ୍କୁ କେବଳ ୬୦୦୦ ଟଙ୍କା ଜୋରିମାନା କରିଛନ୍ତି । ସୂଚନା ଅନୁସାରେ କୋର୍ଟ ଶୁଣାଣି ପାଇଁ ଖୋଲିବା ମାତ୍ରେ ଲାଲୁ ଯାଦବ ସକାଳ ୭:୩୦ ରେ ପାଲାମୁ କୋର୍ଟରେ ପହଞ୍ଚିଥିଲେ । ପାଲାମୁ କୋର୍ଟ କମ୍ପ୍ଲେକ୍ସ ବାହାରେ ଲାଲୁଙ୍କ ସମର୍ଥକଙ୍କ ଭିଡ଼ ଜମିଥିଲା । କୋର୍ଟ ପରିସର ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସୁରକ୍ଷା ବାହିନୀ ନିୟୋଜିତ ହୋଇଥିଲେ।
ଲାଲୁ ଯାଦବଙ୍କ ପକ୍ଷରୁ ହାଇକୋର୍ଟର ଓକିଲ ପ୍ରଭାତ କୁମାର ସିଂ କୋର୍ଟରେ ହାଜର ହୋଇଥିଲେ । ତେବେ ୨୦୦୯ ମସିହାରେ ଗରହୱା ଜିଲ୍ଲାର ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଲାଲୁ ତାଙ୍କ ଦଳୀୟ ପ୍ରାର୍ଥୀ ଗିରିନାଥ ସିଂହଙ୍କ ଲାଗି ଗଢବା ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ତାଙ୍କ ହେଲିକପ୍ଟର ଅବତରଣ ଲାଗି ନିର୍ଦ୍ଧାରିତ ସ୍ଥଳ କଲ୍ୟାଣପୁରରେ ନ ଓହ୍ଲାଇ ସିଧା ସଭା ସ୍ଥଳରେ ଓହ୍ଲାଇଥିଲା । ଏଥିରେ ସଭା ସ୍ଥଳରେ ଦଉଡାଧାପଡା ହେବାରୁ ତାଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧିରେ ମୋକଦ୍ଦମା ରୁଜ୍ଜୁ ହୋଇଥିଲା । ପାଲାମୁ କୋର୍ଟର ଶୁଣାଣି ପରେ ଲାଲୁଙ୍କୁ ଦେଢ଼ ମାସ ଜେଲଦଣ୍ଡ ଦିଆଯିବା ପରେ କୋର୍ଟ ତାଙ୍କୁ ମୁକ୍ତ କରିଥିଲେ । ଲାଲୁଙ୍କୁ ୬୦୦୦ ଟଙ୍କା ଜରିମାନା ଦେବାକୁ ପଡିବ । ଏହା ପରେ ଲାଲୁ ଯାଦବ ବିହାରକୁ ଚାଲିଗଲେ । ତାଙ୍କ ସହ ଭୋଲା ଯାଦବ ଏବଂ ଜୟ ପ୍ରକାଶ ନାରାୟଣ ଯାଦବ ମଧ୍ୟ ଉପସ୍ଥିତ ଥିଲେ।
