କୁନ୍ନୁର ଚପର କ୍ରାସ୍ ଘଟଣା : ଆଉ ୬ ଯବାନଙ୍କ ମରଶରୀର ଚିହ୍ନଟ
ନୂଆଦିଲ୍ଲୀ : ତାମିଲନାଡୁ କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଆଉ ୬ ଜଣ ଯବାନଙ୍କ ମରଶୀରକୁ ଚିହ୍ନଟ କରାଯାଇଛି । ଦୁର୍ଘଟଣାରେ ସବୁ କିଛି ଧ୍ୱସ ଵିଧ୍ଵଂସ ହୋଇଯାଇଥିବାରୁ ସମସ୍ତ ଯବାନ ମାନଙ୍କ ଶରୀର ଚିହ୍ନଟ କରିବା ସମ୍ଭବ ପର ହୋଇନଥିଲା । ଫଳରେ ପରିବାର ଲୋକଙ୍କ ସହାୟତା ନିଆଯାଇଥିଲା । ବିଭିନ୍ନ ପ୍ରକାରର ପରୀକ୍ଷା ପରେ ପ୍ରାଣ ହରାଇଥିବା ଆଉ ୬ ଜଣ ଯବାନଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇଥିବା ୬ ବୀରପୂତ୍ରଙ୍କ ମଧ୍ୟରେ ଓଡ଼ିଶାର ରାଣାପ୍ରତାପ ଦାସ ମଧ୍ୟ ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ସମସ୍ତଙ୍କ ପାର୍ଥିବ ଶରୀର ସେମାନଙ୍କ ଘରକୁ ବାୟୁସେନା ପକ୍ଷରୁ ପଠାଯିବ । ଏବେ ବି ଆଉ ୪ ଜଣ ଯବାନଙ୍କ ମରଶରୀର ଚିହ୍ନଟ ହୋଇପାରିନି । ସେଗୁଡ଼ୁକୁ ଆର୍ମି ବେସ୍ ହସ୍ପିଟାଲରେ ରଖାଯାଇଛି । ପରିବାର ଲୋକଙ୍କୁ ଚିହ୍ନଟ ପାଇଁ ଡକାଯାଇଛି । ଚିହ୍ନଟ ହୋଇଥିବା ଯବାନଙ୍କ ମଧ୍ୟରେ ୪ ଜଣ ବାୟୁସେନାର ଓ ୨ ଜଣ ସ୍ଥଳ ସେନାର ସଦସ୍ୟ ରହିଥିଲେ । ଲାନ୍ସ ନାଏକ ବିବେକ କୁମାର, ଜୁନିୟର ୱାରେଣ୍ଟ ଅଫିସର ପ୍ରଦୀପ ଅରକ୍କଲ, ରାଣାପ୍ରତାପ ଦାସ, ୱିଙ୍ଗ କମାଣ୍ଡର ପୃଥ୍ୱୀ ସିଂହ ଚୌହାନ, ସ୍କ୍ୱାର୍ଡର୍ନ ଲିଡର କୁଲଦୀପ ସିଂହ ଓ ଲାନ୍ସ ନାଏକ ବି ସାଇ ତେଜାଙ୍କ ମରଶରୀର ଚିହ୍ନଟ ହୋଇଛି ।
ଯବାନଙ୍କ ମରଶରୀରକୁ ଆଜି ବିମାନ ଯୋଗେ ସେମାନଙ୍କ ଜନ୍ମଭୂମିକୁ ପଠାଯିବ । ସେଠାରେ ପରିବାର ଲୋକଙ୍କ ଉପସ୍ଥିତିରେ ପୂରା ପ୍ରତିରକ୍ଷା ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ । ଲେଫ୍ଟନାଣ୍ଟ କର୍ଣ୍ଣେଲ ହରଜିନ୍ଦର ସିଂହ, ନାଏକ ଗୁରୁସେବକ ସିଂହ, ନାଏକ ଜିତେନ୍ଦ୍ର କୁମାର ଓ ହାବିଦାଲ ସତପାଲଙ୍କ ପାର୍ଥିବ ଶରୀରକୁ ଏଯାବତ ଚିହ୍ନଟ କରାଯାଇ ପାରି ନାହିଁ । ସୂଚନା ଯେ, ଶୁକ୍ରବାର ହେଲିକପ୍ଟର କ୍ରାଶରେ ପ୍ରାଣ ହରାଥିବା ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ଓ ବ୍ରିଗେଡିୟର ଲିଡରଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ପ୍ରତିରକ୍ଷା ମର୍ଯ୍ୟାଦ ସହ କରାଯାଇଥିଲା । ଦିଲ୍ଲୀର କ୍ୟାଣ୍ଟନମେଣ୍ଟରେ ଥିବା ବ୍ରାର ଶ୍ମଶାନରେ ସମସ୍ତେ ପଞ୍ଚଭୂତରେ ବିଲୀନ ହୋଇଥିଲେ । ସିଡିଏସ୍ ଓ ତାଙ୍କ ପତ୍ନୀ ମଧୁଲିକା ଗୋଟିଏ ଜୁଇରେ ଜଳିଥିଲେ । ତାଙ୍କର ଦୁଇ ଝିଅ ମୁଖାଗ୍ନୀ ଦେଇଥିଲେ ।
