ନଭେମ୍ବର ପହିଲାରେ ଖାଉଟିଙ୍କୁ ଲାଗିବ ଝଟକା : ବଢ଼ିବ ରୋଷେଇ ଗ୍ୟାସ୍ ଦର
ନୂଆଦିଲ୍ଲୀ : ନଭେମ୍ବର ମାସ ଆରମ୍ଭରେ ଆଲୋକର ପର୍ବ ଦିପାବଳୀ। ହେଲେ ଏଥର ଲୋକଙ୍କ ମନରେ ପାର୍ବଣର ଆନନ୍ଦ ରହି ନପାରେ। ଲୋକେ ଦୀପ ଜାଳି ଘର ସଜେଇବେ କଣ ରୋଷେଇ ଲାଗି ଗ୍ୟାସ୍ ମହଙ୍ଗା ଦରରେ କିଣିପାରନ୍ତି ବୋଲି ଆକଳନ କରାଯାଉଛି। କାରଣ ନଭେମ୍ବର ମାସ ଆରମ୍ଭରେ ତୈଳ କମ୍ପାନୀମାନେ ରୋଷେଇ ଗ୍ୟାସ୍ ମୂଲ୍ୟ ସୁଧାର କରିପାରନ୍ତି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ଓ ଟଙ୍କା ତୁଳନାରେ ମହଙ୍ଗା ଡଲାର ଯୋଗୁ କମ୍ପାନୀ ମୂଲ୍ୟ ସଂଶୋଧନ କରିବେ।
ସେପଟେ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏଲପିଜି ବାବଦ ବ୍ୟୟ ଠାରୁ କମ୍ ମୂଲ୍ୟରେ ବିକ୍ରି ଲାଗି ବର୍ତ୍ତମାନ ସିଲିଣ୍ଡର ପିଛା କ୍ଷତିର ପରିମାଣ ୧୦୦ ଟଙ୍କାରେ ପହଞ୍ଚି ଗଲାଣି। ହୁଏତ ତୈଳ କମ୍ପାନୀମାନେ ଏଲପିଜି ବାବଦ ଖର୍ଚ୍ଚ ହ୍ରାସ ଲାଗି ସିଲିଣ୍ଡର ପିଛା ଦରବୃଦ୍ଧି କରିପାରନ୍ତି। ଏହା ପୂର୍ବରୁ ଗତ ଅକ୍ଟୋବର ୬ ତାରିଖରେ ଏଲପିଜି ସିଲିଣ୍ଡର ପିଛା ୧୫ ଟଙ୍କା ବଢିଥିଲା। ଦେଶରେ ଗତ ଜୁଲାଇ ମାସରୁ ତୈଳ କମ୍ପାନୀ ଏଲପିଜି ମୂଲ୍ୟ ସଂଶୋଧନ କରିଆସୁଛନ୍ତି। ଗତ ୪ ମାସରେ କମ୍ପାନୀମାନେ ଏପର୍ଯ୍ୟନ୍ତ ସିଲିଣ୍ଡର ପିଛା ୯୦ ଟଙ୍କା ବୃଦ୍ଧି କଲେଣି। ଏହା ସତ୍ତ୍ୱେ ଖର୍ଚ୍ଚଭାର ବଢି ବଢି ଚାଲିଛି। ଏବେ ତୈଳ କମ୍ପାନୀମାନେ ମୂଲ୍ୟ ବୃଦ୍ଧି କରିବେ କି ନା ସେ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ। ଯଦି ମୂଲ୍ୟ ବୃଦ୍ଧି ହୁଏ ତେବେ କେତେ ବଢିବ ସେ ନେଇ ମଧ୍ୟ ସୂଚନା ନାହିଁ। ହେଲେ ଶିଲିଣ୍ଡର ବାବଦ ବ୍ୟୟ ଭାର ବଢିବଢି ଚାଲିଥିବାରୁ ହୁଏତ ବୃଦ୍ଧି ହୋଇପାରେ ବୋଲି ଏକ ଆକଳନ କରାଯାଉଛି। ଏଥିରେ ଯଦିବି ଦରବୃଦ୍ଧି ହୁଏ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ସରକାରଙ୍କ ଉପରେ ନିର୍ଭର କରେ। ସରକାର ଯେତିକି ବୃଦ୍ଧି ଲାଗି ଅନୁମତି ଦେବେ ତୈଳ କମ୍ପାନୀ ସେତିକି ବୃଦ୍ଧି କରିବେ।
