ନଭେମ୍ବର ପହିଲାରୁ ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ
ନୂଆଦିଲ୍ଲୀ : ମହାମାରୀ କରୋନା ପାଇଁ ରାଜଧାନୀ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ଥିଲା। ଏହି ପରିପ୍ରେକ୍ଷୀରେ ଆସନ୍ତା ନଭେମ୍ବର ପହିଲାରୁ ଦିଲ୍ଲୀରେ ଖୋଲିବ ସମସ୍ତ ସ୍କୁଲ। ଆରମ୍ଭ ହେବ ପାଢ଼ପଢ଼ା। ଏନେଇ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣା କରିଛନ୍ତି।
ନଭେମ୍ବର ୧ରୁ ନର୍ସରୀ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଯାଏଁ ପିଲା ସ୍କୁଲ ଯିବେ। ତେବେ କରୋନା ଗାଇଡଲାଇନ୍କୁ ପାଳନ କରି ଏହି ସମସ୍ତ ସ୍କୁଲ ଖୋଲାଯିବ। ପିଲାଙ୍କୁ ସ୍କୁଲକୁ ପଠାଇବା ପାଇଁ ଅଭିଭାବକଙ୍କୁ ବାଧ୍ୟ କରାଯିବ ନାହିଁ। ଅଫ୍ଲାଇନ୍ ଏବଂ ଅନ୍ଲାଇନ୍ ଦୁଇଟି ମୋଡ୍ରେ ପାଠ ପଢ଼ା ହେବ। ୫୦ ପ୍ରତିଶତରୁ ଅଧିକ ପିଲା ଏକାଥରେ ସ୍କୁଲ ଆସିବେ ନାହିଁ। ସ୍କୁଲର ସମସ୍ତ ଶିକ୍ଷକ ଏବଂ କର୍ମଚାରୀମାନେ ଡବଲ ଡୋଜ ଟିକା ନେଇଥିବା ଜରୁରୀ। ପ୍ରତି କ୍ଲାସରେ ପିଲାଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ। କ୍ଲାସ ପାଇଁ ଭିନ୍ନ ଭିନ୍ନ ସମୟର ଫର୍ମୁଲା ରହିଛି। ସକାଳ ଏବଂ ମଧ୍ୟାହ୍ନ ସିଫ୍ଟରେ ପିଲାଙ୍କ ପାଠ ପଢ଼ା ହେବ। ଏହି ଦୁଇଟି ସିଫ୍ଟ ମଧ୍ୟରେ ଅତି କମ୍ରେ ଏକ ଘଣ୍ଟାର ଗ୍ୟାପ୍ ରହିବା ଜରୁରୀ। ପିଲାମାନେ ନିଜ ଖାଦ୍ୟ, ବହି ଏବଂ ଅନ୍ୟ ଆବଶ୍ୟକୀୟ ଜିନିଷକୁ ପରସ୍ପର ମଧ୍ୟରେ ବାଣ୍ଟିପାରିବେ ନାହିଁ। ଲଞ୍ଚ ବ୍ରେକ୍କୁ ଭିନ୍ନ ଭିନ୍ନ ସମୟରେ ଏବଂ ଖୋଲା ସ୍ଥାନରେ କରିବାକୁ ପରାମର୍ଶ ଦିଆଯାଇଛି। ଅଭିଭାବକଙ୍କ ମଞ୍ଜୁରୀ ମିଳିବା ପରେ ହିଁ ପିଲାଙ୍କୁ ସ୍କୁଲକୁ ଡକାଯିବ ବୋଲି ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
