କାର୍ତ୍ତିକ ମାସ ୨୦୨୩ : ପାପରୁ ମୁକ୍ତି ସହ ସଫଳତା ପାଇଁ କାର୍ତ୍ତିକ ମାସରେ କରନ୍ତୁ ଏହି ୫ଟି କାମ
ଶରତ ପୂର୍ଣ୍ଣିମା ଶେଷ ହେବା ପରେ ଆରମ୍ଭ ହୋଇଥାଏ ପବିତ୍ର କାର୍ତ୍ତିକ ମାସ । ଧାର୍ମିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହି ମାସର ବିଶେଷ ମହତ୍ବ ରହିଛି । ଚଳିତ ବର୍ଷ କାର୍ତ୍ତିକ ମାସ ୨୯ ଅକ୍ଟୋବରରୁ ଆରମ୍ଭ ହୋଇ ୨୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ବାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ଏହି ମାସରେ ପ୍ରତିଦିନ ଭଗବାନଙ୍କୁ ଘିଅ ଦୀପ ଅର୍ପଣ କରାଯାଇଥାଏ । ବିଶ୍ବାସ ରହିଛି ଯେ, ଏପରି ଦ୍ୱାରା ଆମେ ସମସ୍ତ ପାପରୁ ମୁକ୍ତି ମିଳିବା ସହ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ।
କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡୁଥିବା ଚନ୍ଦ୍ରମାସକୁ କାର୍ତ୍ତିକ ମାସ ବୋଲି କୁହାଯାଏ । ପୁରାଣ ଅନୁଯାୟୀ, ୧୨ ମାସ ମଧ୍ୟରୁ କାର୍ତ୍ତିକ ମାସ ହେଉଛି ସବୁଠାରୁ ଶ୍ରେଷ୍ଠ ମାସ। ଧର୍ମ ମାସ ହୋଇଥିବାରୁ ପୁରରୁ ପଲ୍ଲୀ ସବୁଠି ଏ ମାସକୁ ବେଶ ନିଷ୍ଠା ସହକାରେ ପାଳନ କରିଥାଆନ୍ତି ଲୋକେ । ମାସ ସାରା ପାଳି ନ ପାରିଲେ ପଞ୍ଚୁକ ପାଞ୍ଚ ଦିନ ପାଳନ୍ତି । ଏହି ସମୟରେ ଦୀପାବଳି ଦୀପଦାନ, ବୋଇତ ବନ୍ଦାଣ, ରାଧା ଦାମୋଦର ପୂଜା, ବଡ଼ଓଷା, ବାଲୁଙ୍କା ପୂଜା ଇତ୍ୟାଦି କରନ୍ତି । ଏହି ମାସରେ ଓଡ଼ିଆ ହିନ୍ଦୁମାନେ ଆମିଷ ଖାଆନ୍ତି ନାହିଁ।
ପାଳନ କରନ୍ତୁ ଏହିସବୁ ନିୟମ :
* ଇଶ୍ବରଙ୍କ ନାମ ନେବା ସହ କୀର୍ତ୍ତନ କରନ୍ତୁ ।
* ଭଗବାନଙ୍କ ନିକଟରେ ଦୀପ, ଫୁଲ, ଧୂପ ଓ ଭୋଗ ଅର୍ପଣ କରି ଉପାସନା କରନ୍ତୁ ।
* ଶ୍ରୀମଦ୍ ଭାଗବତ କଥା ଶୁଣନ୍ତୁ ।
* ତୁଳସୀଙ୍କୁ ପୂଜା କରିବା ପରେ ୩ ଥର ପରିକ୍ରମା କରନ୍ତୁ ।
* ବ୍ରହ୍ମଚର୍ଯ୍ୟାର ପାଳନ କରନ୍ତୁ ।
ପବିତ୍ର କାର୍ତ୍ତିକ ମାସରେ ଦୀପ ଦାନ, ଗଙ୍ଗା ସ୍ନାନ, ଯଜ୍ଞ ଓ ତୁଳସୀ ପୂଜାର ବିଶେଷ ମହତ୍ତ୍ବ ରହିଛି । ଏହି ମାସରେ, ପ୍ରତିଦିନ ସକାଳୁ ଉଠି ସ୍ନାନ ସାରି ତୁଳସୀ ମାଆଙ୍କୁ ଜଳ ଅର୍ପଣ କରନ୍ତୁ । ବିଶ୍ୱାସ ରହିଛି ଯେ, ଏହି ମାସରେ ତୁଳସୀଙ୍କୁ ଜଳ ଅର୍ପଣ କରିବା ଦ୍ବାରା ମାଆ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାଆନ୍ତି । ଫଳରେ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ସଫଳତା ମିଳିଥାଏ ।
