ଗ୍ରାମରେ ମୌଳିକ ସମସ୍ୟାର ସମାଧାନ ହେଉନଥିବାରୁ ଭୋଟ ବର୍ଜନ ନିଷ୍ପତି ନେଲେ କମଳାଶୋଳ ଗ୍ରାମବାସୀ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଳକ ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ପଞ୍ଚାୟତର କମଳାଶୋଳ ଗ୍ରାମର ୮, ୯ ଏବଂ ୧୦ ନମ୍ବର ୱାର୍ଡର ଗ୍ରାମବାସୀ ମାନେ ସାମୁହିକ ଭୋଟବର୍ଜନ ନିଷ୍ପତି ବାବଦରେ ଆଜି ମୟୂରଭଞ୍ଜ ଜିଲ୍ଲାପାଳ ଏବଂ ବାରିପଦା ଉପଜିଲ୍ଲାପାଳଙ୍କୁ ଦାବୀପତ୍ର ମାଧ୍ୟମରେ ଅବଗତ କରିଥିବାର ଦେଖା ଯାଇଛି । ଏହି ଦାବୀପତ୍ରର କପି ଗ୍ରାମବାସୀ ମାନେ ବଡସାହି ବିଡିଓଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି । ଏହି ଗ୍ରାମରେ ପାଖାପାଖି ୮୦୦ ଭୋଟର ଅଛନ୍ତି । ତେବେ ଗ୍ରାମବାସୀଙ୍କ କହିବା ମୁତାବକ ସେମାନେ ପ୍ରତିଥର ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଦେଇ ଆସୁଥିଲେ ମଧ୍ୟ ଗ୍ରାମର ରହିଥିବା ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ବିଜୁଳି, ରାସ୍ତାଘାଟ ଆଦି କୌଣସି ମୌଳିକ ସମସ୍ୟାର ବର୍ତମାନ ସୁଦ୍ଧା ସମାଧାନ ହୋଇ ପାରିନାହିଁ ।
ସରକାରଙ୍କ ତରଫରୁ ମିଳୁଥିବା ଇନ୍ଦିରା ଆବାସ, ବିଜୁ ପକ୍କାଘର ଯୋଜନାରେ ମଧ୍ୟ ଯୋଗ୍ୟ ହିତାଧିକାରୀ ମାନେ ବାସଗୃହ ପାଉ ନାହାନ୍ତି । ଗ୍ରାମର ଶିକ୍ଷିତ ଯୁବକ ଯୁବତୀ ମାନେ ବେରୋଜଗାର ହୋଇ ଅନ୍ୟ ରାଜ୍ୟକୁ ବାଧ୍ୟ ହୋଇ ଦାଦନ ଖଟିବା ପାଇଁ ଯାଉଛନ୍ତି । ଏଠାରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ସରପଞ୍ଚ, ୱାର୍ଡ ମେମ୍ବର, ପଞ୍ଚାୟତ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନେ କୌଣସି ରାଜନୈତିକ ପାର୍ଟି ବା ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପରିଚାଳିତ ହୋଇ ଭୋଟ ସମୟରେ ଗ୍ରାମ ବାସୀଙ୍କୁ ଟଙ୍କା, ମଦ, ମାଂସ ଏବଂ ହାଣ୍ଡିଆର ପ୍ରଲୋଭନ ଦେଖାଇ ଭୋଟ ମାଗନ୍ତି ଓ ସରଳ ଗ୍ରାମ ବାସୀ ମାନଙ୍କର ମାନସିକ ସନ୍ତୁଳନକୁ ବିଗାଡି ଏକ ଅଶାନ୍ତ ବାତାବରଣ ସୃଷ୍ଟିକରି ଭୋଟ ନେଇଥାନ୍ତି । ଏବଂ ପରବର୍ତୀ ପର୍ଯ୍ୟାୟରେ ଭୋଟ ପୂର୍ବରୁ ଦେଇଥିବା ପ୍ରତିଶୃତିକୁ ଭୁଲିଯାଇ ନିଜର ବ୍ୟକ୍ତିଗତ ସାର୍ଥ ପାଇଁ ଲାଗି ପଡ଼ନ୍ତି । ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନତାଙ୍କ ସହିତ ଏତେ ବଡ ଧୋକା ବାରମ୍ବାର ବରଦାସ୍ତ କରାଯାଇ ପାରିବ ନାହିଁ । ତେଣୁ ଚଳିତ ବର୍ଷ ହେବାକୁ ଥିବା ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମସ୍ତ ଗ୍ରାମବାସୀ ସାମୁହିକ ଭାବରେ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଥିବାର କହିଛନ୍ତି । ଗ୍ରାମର ଯାହାବି ସୁବିଧା ଅସୁବିଧାର ସମାଧାନ ପାଇଁ ତଥା ସରକାରଙ୍କ ମାଧ୍ୟମରେ ମିଳୁଥିବା ସମସ୍ତ ସୁବିଧା ସୁଯୋଗ ଗୁଡିକ ଗ୍ରାମବାସୀଙ୍କୁ ପ୍ରଶାସନିକ ଅଧିକାରୀ ମାନଙ୍କ ମାଧ୍ୟମରେ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବୀ ଜଣାଇଛନ୍ତି ।
