କଳାକଳ୍ପିତ ନାଟ୍ୟ ସଂସ୍ଥାର ବାର୍ଷିକ ନାଟକ ଉତ୍ସବ; ମଞ୍ଚସ୍ଥ ହେଲା ‘ମାନସ ମନ୍ଥନ’
ବାଲେଶ୍ୱର : ବାଲେଶ୍ୱର ସହରର ପାତ୍ରପଡ଼ା ବାସନ୍ତୀପୂଜା କମିଟି ଆନୁକୂଲ୍ୟରେ ପବିତ୍ର ଶ୍ରୀରାମ ନବମୀ ଅବସରରେ କଳାକଳ୍ପିତ ନାଟ୍ୟ ସଂସ୍ଥାର ବାର୍ଷିକ ନାଟକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସୁବର୍ଣ୍ଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମକୁ ସମାଜସେବୀ ସୁବାସିନୀ ଜେନା ଉଦ୍ଘାଟନ କରିବା ସହିତ ସମାଜର ବାସ୍ତବତା ପ୍ରତିଫଳିତ ହେଉଥିବା ମଞ୍ଚ ନାଟ୍ୟକଳାକୁ ଉଜ୍ଜୀବିତ ରଖିବାରେ କଳାକଳ୍ପିତ ନାଟ୍ୟ ସଂସ୍ଥାର ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ ।
ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲେଶ୍ୱର ସହରର ସୁନହଟ ତଥା ପାତ୍ରପଡ଼ା ଅଞ୍ଚଳ ମଞ୍ଚ ନାଟ୍ୟକଳାର ଉତ୍କୃଷ୍ଟ କ୍ଷେତ୍ର ବୋଲି କହିଥିଲେ । ଅତୀତରେ ବହୁ ବିଶିଷ୍ଟ କଳାକାର, ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ଏଇଠାରୁ ନିଜର ଜୟଯାତ୍ରା ଆରମ୍ଭ ସହ ସଫଳତାର ଶୀର୍ଷକୁ ଛୁଇଁପାରିଥିବା ମତ ଦେଇଥିଲେ । ଶିଳ୍ପୋଦ୍ୟୋଗୀ ସଂଗ୍ରାମ ଦାସ, ଶିକ୍ଷାବିତ୍ ପଙ୍କଜ କୁମାର ଜେନା ଓ ସମାଜସେବୀ ସାହିରୁଲ ହକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବିଶିଷ୍ଟ ନାଟ୍ୟକାର ହେମେନ୍ଦ୍ର ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଡା. ଶାନ୍ତନୁ ଦାସ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ରାଜେନ୍ଦ୍ର ରାଉତ ବିବରଣୀ ଉପସ୍ଥାପନ କରିଥିଲେ । ଉପଦେଷ୍ଟା ନଳିନୀ ରଂଜନ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହ ଅବସରରେ ବିଜୟ ମହାକୁଡ଼ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ନାଟକ ‘ମାନସ ମନ୍ଥନ’ମଞ୍ଚସ୍ଥ ହୋଇଥିଲା । ସୁନହଟ ପାତ୍ରପଡ଼ା ସମେତ ସହରର ଅନୁଭବୀ କଳାକାରଙ୍କ ଦ୍ୱାରା ଅଭିନୀତ ଏହି ନାଟକକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
