କଳାହାଣ୍ଡି ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ
ଭବାନୀପାଟଣା : ଯିଏ ବିଶେଷ ଭାବରେ ସକ୍ଷମ, ସିଏ ଭିନ୍ନକ୍ଷମ । ସେମାନଙ୍କ ଭିତରେ ଥିବା ଅପାର ପ୍ରତିଭା, ସମାଜ ପାଇଁ ଖୁବ ଗୁରୁତ୍ୱପୂର୍ଣ୍ଣ । ସେମାନେ ଦକ୍ଷତାର ସହ ଆଗକୁ ବଢିବାର ସମୟ ଆସିଛି । ଏଥିପାଇଁ ସେମାନଙ୍କୁ ସବୁ କ୍ଷେତ୍ରରେ ସୁଯୋଗ ଦେବାର ଆବଶ୍ୟକତା ରହିଛି ବୋଲି କଳାହାଣ୍ଡି ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦ୍ଘାଟକ ଭାବେ ଯୋଗଦେଇ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମଗ୍ର ଶିକ୍ଷା କଳାହାଣ୍ଡି ତରଫରୁ ଡିଆଇଇଟି ପରିସରରେ ଅବସ୍ଥାପିତ ଏହି ସାଧନ କେନ୍ଦ୍ରରେ ଆଜି ଉଦ୍ଘାଟକ ଭାବେ କଳାହାଣ୍ଡି ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର, ଏଡିଇଓ ଟେମଲାଲ ଦୁବେ, ଡିଆଇଇଟି ଅଧ୍ୟକ୍ଷା ଡ. ସ୍ନେହପ୍ରଭା ମହାପାତ୍ର, ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା ପ୍ରମୁଖ ମଞ୍ଚାସିନ ଥିଲେ । ଏଥିରେ ଜିଲ୍ଲାର ପ୍ରଥମ ବାଳିକା ଘୁମୁରା ଦଳ ଭାବେ କେଜିବିଭି ତୁଳାପଡାର ଛାତ୍ରୀ ମାନେ ଘୁମୁରା ମାଧ୍ୟମରେ ଜିଲ୍ଲାପାଳଙ୍କୁ ପାଛୋଟି ଆଣିଥିଲେ । ଏହି ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିଛି । ଯାହାଦ୍ୱାରା ସେମାନେ ଓ ତାଙ୍କ ଅଭିଭାବକ ପ୍ରଶିକ୍ଷିତ ହୋଇପାରିବେ । ଛାତ୍ରଛାତ୍ରୀଙ୍କ ସହାୟକ ଉପକରଣ ସବୁ ଏଥିରେ ଉପଲବ୍ଧ ରହିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଚଷମା, ଲାପଟପ ଓ ବ୍ରେଲ କିଟ ବଣ୍ଟନ କରାଯାଇଥିଲା । ସଭା ପରିଚାଳନା କରିଥିଲେ ଶିକ୍ଷକ ଡିଲେଶ୍ୱର ରଣା । ଧନ୍ୟବାଦ ଦେଇଥିଲେ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା । ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ଅଫିସର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
