ବିପଦ ସଂକେତ ଉପରେ ଜଳକା : ଚାଷଜମି ଏବଂ ଗାଁରେ ପଶିଲା ବନ୍ୟାପାଣି
ବାଲେଶ୍ୱର : ଜଳକା ନଦୀରେ ବନ୍ୟା। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ । ଉପର ମୁଣ୍ଡରେ ଲାଗି ରହିଥିବା ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଆସିବାରୁ ବସ୍ତା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଜଳ ପ୍ରବେଶ ବଢ଼ୁଥିବାରୁ ଏବେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ଶହ ଶହ ହେକ୍ଟର ଚାଷଜମି ଏବଂ ଗାଁମଧ୍ୟରେ ପଶିଛି ବନ୍ୟାପାଣି ।
ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ଏବେ ମଥାନିଠାରେ ନଦୀର ଜଳସ୍ତର ୭.୧୮ ମିଟର ରହିଛି। ଲଘୁଚାପ ହେତୁ ଆଗକୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ନଦୀରେ ଜଳସ୍ତର ଆହୁରି ବଢିବାର ଆଶଙ୍କା ରହିଛି। ଏବେ ବସ୍ତା ବ୍ଲକର ୧୨ଟି ପଞ୍ଚାୟତର ୫୦ରୁ ଅଧିକ ଗାଁ ପାଣି ଘେରରେ ରହିଥିବା ବେଳେ ହଜାର ହଜାର ହେକ୍ଟର ଜମିରେ ପାଣି ମାଡ଼ି ଯାଇଛି। ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲାର ସୁଳିଆପଦା, ମୋରଡା, ତିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ବର୍ଷା ହେବା କାରଣରୁ ବଢୁଛି ନଦୀର ଜଳସ୍ତର । ତେବେ ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଦେଖା ଦେଇଛି । ବନ୍ୟାଯୋଗୁଁ ବସ୍ତା ବ୍ଲକର ୧୨ ଟି ପଞ୍ଚାୟତ ପତ୍ରଝଡ଼ା, ସଦାନନ୍ଦ ପୁର, ବାହାର୍ଦା, ମଥାନୀ, ଦୁଧହଂସା, ରାଉତପଡା, ଗଡପଦା, କୁଡିଆ, ବାସିଚକୁରାଇ, ଦରଡା, ବ୍ରାହ୍ମଣଦା, ବରୁଣଗଡିଆ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ରସୁଲପୁର ଏବଂ ଶ୍ରୀରାମପୁର ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେହିଭଳି ବାହାରଦା ପଞ୍ଚାୟତର ୧୦ରୁ ଅଧିକ ଗ୍ରାମରେ ପାଣି ପଶିଛି । ବସ୍ତା ଅଗ୍ନିଶମ ବିଭାଗ ଦ୍ଵାରା ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଦ୍ଧାର କରାଯାଉଛି ।


