ହେଲ୍ଫିଂ ସୋସାଇଟିର ନିଆରା ପ୍ରୟାସ ‘ଭୋକ ମୁକ୍ତ ଅଭିଯାନ’
- ‘ଜନ୍ମଦିନ ଆପଣଙ୍କର, କିନ୍ତୁ ଖୁସି ସେମାନଙ୍କର । ଆସନ୍ତୁ ଆଜି ହିଁ ହାତ ବଢାଇବା, ସେମାନଙ୍କ ମୁହଁରେ ହସ ଫୁଟାଇବା’
ବାଲେଶ୍ୱର : ସର୍ବଦା ସେବା କାର୍ଯ୍ୟରେ ବ୍ରତୀ ରହି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ବାଲେଶ୍ୱର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ‘ହେଲ୍ଫିଂ ସୋସାଇଟି’ । ଏହି ସଙ୍ଗଠନ ସଦାସର୍ବଦା ଲୋକଙ୍କୁ ସହାୟତା ତଥା ବିଭିନ୍ନ ମହତ୍ କାର୍ଯ୍ୟ କରିଥାନ୍ତି । ଗରିବ ଓ ଅସହାୟ ଶ୍ରେଣୀର ଲୋକମାନଙ୍କ ମୁହଁରେ ଟିକିଏ ହସ ପାଇଁ ଉଦ୍ୟମ ଜାରି ରଖିବା ସହ ରକ୍ତଦାନ, ବୃକ୍ଷରୋପଣ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟରେ ଲିପ୍ତ ରହିଥାନ୍ତି ସଙ୍ଗଠନର ସଦସ୍ୟଗଣ । ମହାମାରୀ କରୋନା ଯୋଗୁଁ ଲକ୍ଡାଉନ୍ ଓ ସଟ୍ଡାଉନ୍ ସମୟରେ ଲୋକଙ୍କୁ ସଚେତନତା, ମାସ୍କ, ସାନିଟାଇଜର ବଣ୍ଟନ, ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ ସହ ଛୋଟ ଛୋଟ ପିଲାମାନଙ୍କୁ ବହି, ଖାତା, କଲମ, ବ୍ୟାଗ୍ ସହ ପାଠ୍ୟ ଉପକରଣ ବଣ୍ଟନ କରିଥାନ୍ତି । ସେହିପରି ବୁଲା ଗୋରୁଗାଈ, କୁକୁରଙ୍କୁ ଖାଦ୍ୟ ପ୍ରଦାନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ସଙ୍ଗଠନ ପକ୍ଷରୁ ଏକ ନୂତନ ତଥା ନିଆରା କାର୍ଯ୍ୟକ୍ରମ ‘ଭୋକ ମୁକ୍ତ ଅଭିଯାନ’ ଆରମ୍ଭ ହୋଇଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ‘ଜନ୍ମଦିନ ଆପଣଙ୍କର, କିନ୍ତୁ ଖୁସି ସେମାନଙ୍କର । ଆସନ୍ତୁ ଆଜି ହିଁ ହାତ ବଢାଇବା, ସେମାନଙ୍କ ମୁହଁରେ ହସ ଫୁଟାଇବା ।’
୨୦୨୦ ମସିହା ମାର୍ଚ୍ଚ ମାସରେ ହ୍ରିତିକ୍ ନାୟକଙ୍କ ତତ୍ତ୍ୱାବଧାନରେ ଗରିବ, ଅସହାୟ ଶ୍ରେଣୀର ଲୋକଙ୍କ ଜୀବନଯାପନ ସରଳୀକରଣ ପାଇଁ ଉଦ୍ୟମ ଜାରି ରଖିବା ସହ ସମାଜସେବା ଲକ୍ଷ୍ୟରେ କିଛି ଯୁବକ ଓ ଯୁବତୀଙ୍କୁ ନେଇ ‘ହେଲ୍ଫିଂ ସୋସାଇଟି’ ଗଢ଼ି ଉଠିଥିଲା । ବର୍ତ୍ତମାନ ସୁଦ୍ଧା ଏହି ସଙ୍ଗଠନରେ ସକ୍ରିୟ ଭାବେ ଶହେରୁ ଉର୍ଦ୍ଧ୍ୱ ଯୁବତୀ ଓ ଯୁବକ ସାମିଲ୍ ଅଛନ୍ତି । ଯେଉଁମାନେ କି ସଦାସର୍ବଦା ସମାଜସେବାରେ ଲିପ୍ତ ରହୁଛନ୍ତି । ସଭାପତି ହ୍ରିତୀକ୍ ନାୟକ, ଉପସଭାପତି ସେଖ୍ ନାଜିମ୍, ରଜତ ଘଡ଼େଇ, ଅରୁପ ସାହୁ, କିରଣ ଜ୍ୟୋତି ମଣ୍ଡଳ, ସୋନାଲି ଦାସ, ଏସ୍.କେ ଆରଫନ, ଆଶିଷ ବେହେରା, ଏସ୍.କେ ଅମନ୍, ଶ୍ରଦ୍ଧା ସୁମନ, ଜ୍ୟୋତି ପ୍ରକାଶ ରାଉତ, ସୁଧାଂଶୁ ଶେଖର ବାରିକ୍, ପଙ୍କଜ ଘୋଷ, ରୁଦ୍ର ପୀରି, ସଂଗ୍ରାମ ଦାସ, ଦନିଶା ଦାସ, ୟାସିକା ଗୁପ୍ତା, ଶୁଭଶ୍ରୀ ଦାସ, ଜ୍ୟୋତି ରଞ୍ଜନ ବାରିକ୍ ପ୍ରମୁଖ ସଦସ୍ୟ ସକ୍ରିୟ ଭାବେ ରହିଛନ୍ତି । ପ୍ରଥମେ ଅନୁଷ୍ଠାନ ପକ୍ଷରୁ ଗତ ଜୁନ୍ ୩ ତାରିଖରେ “ବସ୍ତ୍ର” ଅଭିଯାନ ଆରମ୍ଭ କରାଯାଇଥିଲା । ମହାମାରୀ କରୋନା ଏବଂ ବାତ୍ୟା ‘ୟାସ୍’ ସମୟରେ ଗରୀବ ଓ ଅସହାୟ ଲୋକ ଖାଦ୍ୟ ଏବଂ ବସ୍ତ୍ର ପାଇଁ ଦୁଃଖରେ ଦିନ କାଟୁଥିଲେ । ଏହାକୁ ଦୃଷ୍ଟିରେ ରଖି ଅନୁଷ୍ଠାନ ପକ୍ଷରୁ ପୁରୁଣା ବସ୍ତ୍ରକୁ ସଂଗ୍ରହ କରି ତାକୁ ଭଲଭାବରେ ସଫାକରି ଶୁଖାଇ ଆଇରନ କରି ଲୋକମାନଙ୍କୁ ଯୋଗାଇ ଦିଆଯାଇଥିଲା । ଏହି ପରିପ୍ରେକ୍ଷୀରେ ରେଳ ଷ୍ଟେସନ ସାମ୍ନାରେ ଥିବା ଗରିବ ଅସହାୟ ଲୋକଙ୍କୁ କୋଭିଡ ନିୟମ ପାଳନ ପୂର୍ବକ ବସ୍ତ୍ର ଏବଂ ମାସ୍କ ବଣ୍ଟନ କରାଯାଇଥିଲା ।
ପରେ ଗତ ଜୁଲାଇ ୨ ତାରିଖରେ ଅଙ୍ଗାରଗଡିଆ ଅଞ୍ଚଳରେ ରହୁଥିବା ୩୦ରୁ ଉର୍ଦ୍ଧ୍ୱ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ଚକଲେଟ୍, ବିସ୍କୁଟ, କେକ୍, ମାସ୍କ, ସାନିଟାଇଜର ସହ ପାଠ୍ୟ ଉପକରଣ ବଣ୍ଟନ କରାଯାଇଥିଲା । ପୁଣି ଗତ ଜୁଲାଇ ୫ ତାରିଖରେ ସଦର ବ୍ଲକ ଅନ୍ତର୍ଗତ ପରଖୀ ଠାରେ ଥିବା ୪୦ ରୁ ଉର୍ଦ୍ଧ୍ୱ ଗରିବ ଅସହାୟ ଲୋକଙ୍କୁ ବସ୍ତ୍ର, ମାସ୍କ ଓ ସାନିଟାଇଜର ବଣ୍ଟନ ଭଳି କାର୍ଯ୍ୟ ଜାରି ରହିଛି । ସଂଗଠନ ପକ୍ଷରୁ ଏହିଭଳି ବିଭିନ୍ନ କାର୍ଯ୍ୟକ୍ରମମାନ ଜାରି ରହିଥିବା ବେଳେ ରକ୍ତଦାନ ଶିବିର, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାରି ମଧ୍ୟରେ ସଙ୍ଗଠନ ପକ୍ଷରୁ ଗତ ଅଗଷ୍ଟ ୨୫ ତାରିଖରେ ଏକ ନୂତନ ତଥା ନିଆରା କାର୍ଯ୍ୟକ୍ରମ ‘ଭୋକ ମୁକ୍ତ ଅଭିଯାନ’ ଆରମ୍ଭ ହୋଇଛି ।ଫଳରେ ସଦସ୍ୟମାନେ ସୋସିଆଲ ମିଡ଼ିଆ ଯୋଗେ ଯେଉଁ ଲୋକମାନେ ହୋଟେଲ ତଥା ବଡ଼ ବଡ଼ସ୍ଥାନରେ ଜନ୍ମଦିନ ପାଳନ କରୁଛନ୍ତି ସେମାନଙ୍କୁ ବୁଝାସୁଝା କରି ଗରୀବ, ଅସହାୟ ଲୋକ ତଥା ଜିଲାରେ ଥିବା ଅନ୍ଧ ସ୍କୁଲରେ ଖାଦ୍ୟ ବଣ୍ଟନ କରିବା ପାଇଁ ସଚେତନ କରାଉଛନ୍ତି । ଏଥିରେ ବହୁ ଲୋକ ସଙ୍ଗଠନ ସହ ଯୋଡ଼ି ହୋଇ ନିଜର ଜନ୍ମଦିନକୁ ନିଆରା ଭାବେ ପାଳନ କରୁଛନ୍ତି । ଗରିବ, ଅସହାୟ ଓ ଅନ୍ଧ ପିଲାମାନଙ୍କ ଗହଣରେ ଜନ୍ମଦିନର କେକ୍ କାଟି ଖାଦ୍ୟ ବଣ୍ଟନ କରି ସେମାନେ ନିଜକୁ ଗର୍ବିତ ମନେ କରି ସଙ୍ଗଠନକୁ ସାଧୁବାଦ ଜଣାଉଛନ୍ତି । ସେହିପରି ସହରର ବହୁ ବିଶିଷ୍ଟ ତଥା ମାନ୍ୟଗଣ୍ୟ ବ୍ୟକ୍ତି ସଙ୍ଗଠନର ଏହିଭଳି ସମାଜଧର୍ମୀ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହ ସଙ୍ଗଠନ ଆଗକୁ ଏହିଭଳି କାର୍ଯ୍ୟ ଜାରି ରଖୁ ବୋଲି ମତବ୍ୟକ୍ତ କରିଛନ୍ତି ।
‘ହେଲ୍ଫିଂ ସୋସାଇଟି’ ସମ୍ପର୍କରେ ସଭାପତି ହ୍ରିତିକ୍ ନାୟକଙ୍କୁ ପଚାରିବାରୁ ସେ କହନ୍ତି, ଆଜିର ଯୁବପିଢ଼ି କାଲିର ଭବିଷ୍ୟତ । ଯୁବପିଢ଼ିଙ୍କୁ ନେଇ ଏକ ସୁନ୍ଦର ସମାଜ ଗଠନ କରିବା ଆମ ସଙ୍ଗଠନର ଲକ୍ଷ୍ୟ । ସେହିପରି ଏକତା ହିଁ ବଳ । ଆମ ସଙ୍ଗଠନର ଏକତା ଆମକୁ ଆଗକୁ ଆହୁରି ନୂଆ ନୂଆ କାର୍ଯ୍ୟ ପାଇଁ ମନୋବଳ ଯୋଗାଇଥାଏ । ସେହିପରି ଅସହାୟଙ୍କ ମୁହଁରେ ଟିକିଏ ହସ ଆତ୍ମସନ୍ତୋଷ ଦେଇଥାଏ। ଆଗାମୀ ଦିନରେ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବୋଲି କହିଥିଲେ ।
