ତିହିଡ଼ିର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ପାଳିତ
ତିହିଡ଼ି : ଭଦ୍ରକ ଜିଲ୍ଲାର ଅନେକ ପୂରାତନ ଶୈବ ପୀଠ ରହିଛି । ଆରଡିର ବାବା ଆଖଣ୍ଡଳମଣି ହୁଅନ୍ତୁ କି ତିହିଡିର ନୂଆଶାସନ ଗାଁର କୁମାରେଶ୍ୱର ମହାଦେବ, ଶଙ୍ôଖଡାର ଶଙ୍ଖଡେଶ୍ୱର ମହାଦେବ ହୁଅନ୍ତୁ କି ସୟାର ବୁଢା ମହାଦେବ କିମ୍ବା ଲିଙ୍ଗାଡି ଗାଁର ଲିଙ୍ଗେଶ୍ୱର ମହାଦେବ ଅବା ମହାଦେବଡିହର ପିମ୍ପଳେଶ୍ୱର ସବୁ ପୀଠଗୁଡିକ ଶହ ଶହ ବର୍ଷ ଐତିହ୍ୟ ଓ ପରମ୍ପରାରେ ସମୃଦ୍ଧ । ତେଣୁ ଭଦ୍ରକ ଜିଲ୍ଲାରେ ରହିଛନ୍ତି ଏକାଧିକ ଶୈବ ପୀଠ ଓ ଅସଂଖ୍ୟ ଶୈବ ଭକ୍ତ । ପ୍ରାଚୀନ ଐତିହ୍ୟରେ ସମୃଦ୍ଧ ଶୈବ ପୀଠ ହେଉଛି ତିହିଡି ବ୍ଲକ ଅନ୍ତର୍ଗତ ସୟା ପଞ୍ଚାୟତର ବାଂଶବାଗ ଗାଁର ବୁଢା ମହାଦେବ ବା ମୁକ୍ତେଶ୍ୱର ମହାଦେବ । ଜନଶୃତି ଅନୁସାରେ ଏଠାରେ ଦେବ ଦେବ ମହାଦେବଙ୍କ ଆବିର୍ଭାବ ହୋଇଥିଲା ଆଜକୁ ପ୍ରାୟ ୫ ଶହ ବର୍ଷ ତଳେ । ବର୍ତ୍ତମାନର ଶୈବ ପୀଠ ଥିବା ସ୍ଥାନରେ ସେତେବେଳେ ଏକ ରାଢ଼ୀ ପରିବାର ବସବାସ କରୁଥିଲେ । ସେମାନଙ୍କ ଘରେ ଥିବା ଢିଙ୍କି ଶାଳରେ ମାଳିଆଣୀ ନାମ୍ନୀ ଜଣେ ବୃଦ୍ଧା ଚୂଡ଼ା କୁଟୁଥିଲେ । ବର୍ତ୍ତମାନ ଶିବ ଲିଙ୍ଗ ଥିବା ସ୍ଥାନଟିକୁ ବୃଦ୍ଧା ଢିଙ୍କି ଖୋଳଭାବେ ବ୍ୟବହାର କରୁଥିଲେ । ଶୁଣାଯାଏ ବୃଦ୍ଧା ଯେତିକି ଧାନ ପଣୁଥିଲେ ତାହାର ଦୁଇ ଗୁଣା ଚୂଡା ଉକ୍ତ ଖୋଳରୁ ବାହାରୁଥିଲା । ପରେ ବାଂଶବାଗ ଗାଁର ମଲ୍ଲିକ ପରିବାରକୁ ମହାଦେବ ସ୍ୱପ୍ନାଦେଶ ଦେଇ ନିଜର ଅସ୍ତିତ୍ୱ ସମ୍ପର୍କରେ କହିବା ସହ ପୂଜାର୍ଚ୍ଚନା କରିବାକୁ କହିଥିଲେ । ସୟା ପାଢୀସାହିର ମୁକ୍ତେଶ୍ୱର ପାଢୀ ନାମକ ଜଣେ ବ୍ରାହ୍ମଣଙ୍କ ସହାୟତାରେ ପୂଜା କରିବା ସହ ତାଙ୍କ ନାମ ଅନୁସାରେ ତାଙ୍କୁ ମୁକ୍ତେଶ୍ୱର ମହାଦେବ ନାମରେ ନାମିତ କରିବାକୁ ମଧ୍ୟ ସ୍ୱପ୍ନରେ ଆଦେଶ ହୋଇଥିଲା । ପ୍ରଥମେ ଏକ ଧୂଳିଆ ଘରେ ମହାଦେବଙ୍କ ପୂଜାର୍ଚ୍ଚନା କରାଯାଉଥିଲା । ପରେ ଗ୍ରାମବାସୀଙ୍କ ସହାୟତାରେ ଏଠାରେ ଏକ ପୂର୍ଣ୍ଣାଙ୍ଗ ମନ୍ଦିର ନିର୍ମାଣ କରାଯାଇଥିଲା । ସେହିଦିନ ଠାରୁ ସେଠାରେ ପୂଜା ପାଇ ଆସୁଛନ୍ତି ମୁକ୍ତେଶ୍ୱର ମହାଦେବ । ଏବେ ପାଢୀ ବଂଶର ଦାୟାଦ କ୍ଷୀରସିନ୍ଧୁ ପାଢ଼ୀ ସ୍ଥାୟୀ ପୂଜକ ଦାୟିତ୍ୱରେ ଅଛନ୍ତି । ପୂଜା କମିଟିର ସଭାପତି ଶୁଭେନ୍ଦୁ ମଲ୍ଲିକ, ସମ୍ପାଦକ ଅଜିତ୍ ସେଠୀ, ଉପସଭାପତି ରାଜେଶ ମହାନ୍ତି, କୋଷାଧ୍ୟକ୍ଷ ଅଜୟ ନାୟକ, ବିଶ୍ୱନାଥ ପାତ୍ର, ସୁରେନ୍ଦ ନାୟକ, ରମେଶ ମହାଳିକ ପ୍ରମୁଖ ଯୁବଗୋଷ୍ଠୀ ଓ ଗ୍ରାମବାସୀମାନେ ପରିଚାଳନା କରିଥିଲେ । ତେବେ ଚଳିତ ବର୍ଷ ମହାଆଡ଼ାମ୍ବର ଭାବେ ବିଭିନ୍ନ ଶୈବ ପୀଠରେ ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପୀଠରେ ତିହିଡ଼ି ସତ୍ୟସାଇ ସେବା ସମିତି ପକ୍ଷରୁ ଦିବସବ୍ୟାପୀ ଯାତ୍ରୀମାନଙ୍କ ଶୃଙ୍ଖଳା, ସଫେଇ ଆଦି କାର୍ଯ୍ୟକ୍ରମ କରାଯାଇଥିଲା । ସେହିପରି ତିହିଡ଼ି ଯୁବମଞ୍ଚ ଓ ଉତ୍କଳମଣି ସେବା ସଂଘ ପକ୍ଷରୁ ଯାତ୍ରୀମାନଙ୍କୁ ପଣା ଦାନ କରାଯାଇଥିଲା । ସେହିପରି ଷାଟିବାଟିରେ ଗଙ୍ଗେଶ୍ୱର ମହାଦେବ, ମହାଦେବସାହିର ମହେଶ୍ୱର, ମହରମପୁରରେ ମହାଲିଙ୍ଗେଶ୍ୱର, ତିହିଡିରେ ସ୍ୱପ୍ନେଶ୍ୱର ଓ ବଟେଶ୍ୱର, ହରିପୁରରେ ଷେଣ୍ଡେଶ୍ୱର, ତିହିଡ଼ି ଥାନା ସମ୍ମୁଖ ଓ ଡାକ୍ତରଖାନା ପରିସରରେ ଥିବା ଶୈବପୀଠ, ସିନ୍ଦୋଳ ଶାସନରେ କୃଷ୍ଣେଶ୍ୱର, ବଡଗାଲୋରେ ବକ୍ରେଶ୍ୱର, ଗଳଗଣ୍ଡପୁରରେ ଗଜନ୍ଦ୍ରେଶ୍ୱର, ଝିଙ୍କିରିଆରେ ଅମରେଶ୍ୱର, କାଳିମେଘାରେ ନିଳକଣ୍ଠେଶ୍ୱର ଓ ଅଲ୍ଲୀନଗରରେ ମହାଦେବ, ଦୋଳସାହି, ଗୁଆମାଳ, ଚାରିତରଫ, ନରେନ୍ଦ୍ରପୁର, ପୀରହାଟ, କମାରିଆ ଓ ଆରୁହା ଆଦି ସ୍ଥାନରେ ମହାସମାରୋହରେ ମହାଶିବରାତ୍ରୀ ପାଳନ କରାଯାଇଛି ।
