ଆଗାମୀ ପିଢିକୁ ସାହିତ୍ୟ ମନସ୍କ କରିବା ଅଭିଭାବକ ମାନଙ୍କର ଗୁରୁ ଦାୟିତ୍ୱ- ଦାଶ ବେନହୁର
କେନ୍ଦ୍ରାପଡା : କଥା ସାହିତ୍ୟ ଓ କାବ୍ୟ ରଚନାର ମୂଳ ଭିତି ଭାରତ ହୋଇଥିବା ବେଳେ ଆଧୁନିକ କ୍ଷୁଦ୍ର ଗଳ୍ପ ଓ ଗଳ୍ପ ସାହିତ୍ୟର ପରମ୍ପରା ଭାରତୀୟ ସମାଜର ପ୍ରାଚୀନ ପରମ୍ପରାରେ ବହୁଳ ଭାବେ ଦୃଷ୍ଟି ଗୋଚର ହେଇଥାଏ । ଆଜି ମଧ୍ୟ ପଂଚତନ୍ତ୍ରର ନୀତି ଉପଦେଶମୂଳକ ଗଳ୍ପ ଗୁଡିକର ପାଠକୀୟତା ଓ ନୀତି ଆଦର୍ଶ ଶିକ୍ଷିତ ସମାଜକୁ ତଥା ଜନ ସାଧାରଣଙ୍କୁ ଦିଗଦର୍ଶନ ଦେଇ ଆସୁଛି । ସମସ୍ତ ପ୍ରକାର ଉନ୍ନୟନର ମୂଳ ସାହିତ୍ୟ ପ୍ରସଙ୍ଗରେ ବିଚାର କଲେ ଏହା ସାଂସ୍କୃତିକ ବିକାଶ ଓ ଆର୍ôଥକ ବିକାଶକୁ ଦିଗଦର୍ଶନ ଦେବା ସହ ମଣିଷ ସମାଜର ସୁଖ ସ୍ୱାଛନ୍ଦ୍ୟ ଓ ନୈତିକ ଗୁଣକୁ ବିକଶିତ କରିଥାଏ । ଏଥିପାଇଁ ଆମର ବଂଶଧର ଭବିଷ୍ୟତ ପିଢିଙ୍କୁ ସାହିତ୍ୟ ମନସ୍କ କରାଇବା ପ୍ରତ୍ୟେକ ଅଭିଭାବକଙ୍କ ଗୁରୁ ଦାୟିତ୍ୱ । କେନ୍ଦ୍ରାପଡା ସାହିତ୍ୟ ମହୋତ୍ସବ – ୨୦୨୨ ର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ସ୍ତମ୍ବକାର ପ୍ରଫେସର ଦାଶ ବେନହୁର ବକ୍ତବ୍ୟ ରଖିଥିଲେ । କେନ୍ଦ୍ରାପଡା ଡେଭଲପମେଂଟ ଫାଉଣ୍ଡେସନ ଓ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜରର୍ସ ର ମିଳିତ ଉଦ୍ୟମରେ ସାହିତ୍ୟ ଉତ୍ସବର ଆୟୋଜନ କରାଯାଇଛି । ପ୍ରଥମ ଦିନର ଉଦ୍ଘାଟନୀ ପର୍ବରେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି କଥାକାର ଡ଼ଃ. ରାମଚନ୍ଦ୍ର ବେହେରା ଉଦ୍ଘାଟକ ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିବା ବେଳେ ଡ଼ଃ. ବିଜୟାନନ୍ଦ ସିଂହ ମୁଖ୍ୟବକ୍ତା ଓ ବରିଷ୍ଠ ପ୍ରଶାସକ ଦିଲିପ ରାଉତରାୟ (ଆଇଏସ୍ ) ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ । କେନ୍ଦ୍ରାପଡା ଡେଭଲପମେଣ୍ଟ ଫାଉଣ୍ଡେସନର ଆବାହକ ଚୈାଧୁରୀ ଅମିତାଭ ଦାସ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜରର୍ସ ର ସଭାପତି ଇଂ. ଅକ୍ଷୟ କୁମାର ପାଣି ସ୍ୱାଗତ ଭାଷଣ ଦେଇଥିଲେ । ସେହିଭଳି ଡ଼ଃ. ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଦ୍ୱିତୀୟ ସୋପାନରେ ଓଡିଆ ଗଳ୍ପ- କାଲି ଆଜି ଓ ଆସନ୍ତା କାଲି ଶୀର୍ଷକକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଗାଳ୍ପିକ ଭୀମ ପୃଷ୍ଟି, ଡ଼ଃ. ଅରବିନ୍ଦ ଧଳ, ପରେଶ ପଟ୍ଟନାୟକ, ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ଓ ଯଶୋବନ୍ତ ସାମଲ ପ୍ରମୁଖ ଆଲୋଚନା କରିଥିଲେ । ଶକ୍ତି ମହାନ୍ତି ସଂଯୋଜନା କରିଥିବା ବେଳେ ଡାକ୍ତର ପ୍ରଶାନ୍ତ ଦାସ, ଡାକ୍ତର ଦିଲିପ ବେହେରା, ଡାକ୍ତର ହରିଶ ଚୈାଧୁରୀ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ । କବୟିତ୍ରୀ ସୁନନ୍ଦା ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସେହିଭଳି ଓଡିଆ ଶିଶୁ ସାହିତ୍ୟର ସ୍ଥିତ, ସଂକଟ ଓ ସମାଧାନ ଉପରେ ଆଲୋଚନା କରାଯାଇଥିଲା । ଶେଷରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଡ଼ଃ. ବିରଜା ରାଉତରାୟ, ମହମ୍ମଦ ଜାହିଦ ଖାନ, ସରୋଜ କୁମାର ମହାନ୍ତି, ଡ଼ଃ. ଶ୍ରୀଧର ସାମଲ, ଗୈାତମ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ପ୍ରଦୀପ୍ତ
