ଗାଡି ବାଜିବାରୁ ବଚସା, ବୋଲେରୋରେ ଉଠାଇ ନେଇ ନିର୍ଧୁମ ପିଟିଲେ
କେନ୍ଦ୍ରାପଡା : ସାମାନ୍ୟ ଗାଡି ବାଜି ଯିବାରୁ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । ସମସ୍ତେ ଭାବିଲେ ମାମଲା ସମାଧାନହୋଇ ଯାଇଛି । ମାତ୍ର ସଂନ୍ଧ୍ୟା ସମୟରେ ଘରୁ ଉଠାଇ ନେଇ ର୍ନିଧୁମ ପିଟିବା ସହ ଅଧାବାଟରେ ଫୋପାଡି ଦେଇ ଯାଇଥିବା ଭଳି ଏକ ଚାଂଚଲ୍ୟକର ଘଟଣା ଘଟିଯାଇଛି । ମାର୍ଶାଘାଇ ଥାନା ଅଧିନ ଜୟଚନ୍ଦ୍ରପୁର ଗାଁର ମାନସ ମଲିକ ଶୁକ୍ରବାର ବାଇକ ନେଇ ସଉଦା ପାଇଁ ବଜାରକୁ ଯାଇଥିଲେ । ଅନ୍ୟ ଗାଁର ଯୁବକଙ୍କ ବାଇକ ସହ ତାଙ୍କ ବାଇକ ଟିକେ ବାଜି ଯାଇଥିଲା । ଏହାକୁ ନେଇ ବଚସା ହେବା ସହ ଅନ୍ୟମାନେ ମାମଲାର ସମାଧାନ କରିବାରୁ ଯେଝା ଯେଝା ଘରକୁ ଫେରି ଯାଇଥିଲେ । ତେବେ ସଂନ୍ଧ୍ୟାବେଳେ ମାନସ ଘରେ ଥିବାବେଳେ ବାଇକ ଓ ବୋଲେରୋରେ କିଛି ଯୁବକ ଆସି ମାନସ ଓ ତାଙ୍କ ସ୍ତ୍ରୀଙ୍କୁ ମାଡ ମାରିବା ସହ ମାନସଙ୍କୁ ବୋଲେରୋରେ ବସାଇ କେଉଁଆଡେ ନେଇଯାଇ ଥିଲେ । ବହୁ ସମୟ ପରେ ମାନସଙ୍କ ପରିବାର ଲୋକେ ତାଙ୍କୁ ଖୋଜି ନପାଇ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ । ଶନିବାର ସକାଳୁ ମାନସଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ତେବେ ମାନସଙ୍କ କାନ ଓ ବେକରୁ ରକ୍ତ ଝରୁଥିବା ଏବଂ ପିଠିରେ ଗୁରୁତର ଆଘାତ ଚିହ୍ନ ଥିବା ଦେଖିବାକୁ ମିଳିଛି । ଏହି ଦୁର୍ବୁତ ମାନଙ୍କୁ ଗିରଫ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।
