ଅବସରପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀଙ୍କର ପେନସନ୍ ପାଇଁ ଦାବିପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲାର ୪୮୮ ଓ ୬୬୨ ବର୍ଗରେ ଅବସରପ୍ରାପ୍ତ ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀମାନେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ ।
୨୦୧୭ ଜିଓରେ ମୁଖ୍ୟମନ୍ତ୍ରୀ ୧-୧-୨୦୧୮ରୁ ଏହି ବ୍ଲକଗ୍ରାଣ୍ଟ କର୍ମଚାରୀଙ୍କୁ ଜିଆଇଏ ଦେବା କଥା ଘୋଷଣା କରିଥିଲେ ମଧ୍ୟ ଏଯାବତ୍ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ମିଳିଲା ନାହିଁ । ଦୀର୍ଘର୍ଦିନ ବିନା ଦରମାରେ ଖଟି ଶେଷ ସମୟରେ ନିଅଣ୍ଟିଆ ଦରମା ପାଇଥିବା କର୍ମଚାରୀମାନେ ପରିବାର ଭରଣ ପୋଷଣ ଠିକ୍ ଭାବରେ କରିପାରି ନଥିଲେ । ଏବେ ଶୂନ୍ୟ ହାତରେ ଦୁଇଓଳି ପେଟ ପୁରା ଖାଦ୍ୟ ବା ଔଷଧ ଟିକିଏ ଖାଇବା ସମ୍ଭବ ହେଉ ନାହିଁ । ଯେଉଁମାନେ ଓଡ଼ିଶାର ଉଚ୍ଚଶିକ୍ଷା ବଳୟକୁ ସମୃଦ୍ଧ କରିଥିଲେ । ବହୁ ମେଧାବୀ ଛାତ୍ରୀଛାତ୍ରଙ୍କୁ ନିଜ ହାତରେ ଗଢ଼ିଥିଲେ ସେମାନେ, ମାତ୍ର ଆଜି ବଞ୍ôଚବାକୁ ସାହାରା ପାଉ ନାହାନ୍ତି । ସେଥିପାଇଁ ‘ପେନ୍ସନ୍ ନହେଲେ ଆତ୍ମାହୂତ’ କିମ୍ବା ‘ପେନ୍ସନ୍ ଦିଅ ନହେଲେ ଗୁଳି କରି ମାରିଦିଅ’ ସ୍ଲୋଗାନ୍ ଦେବା ଏକ ଦୁଃଖର ବିଷୟ ଅଟେ । ଏହି ଦୁଃଖୀ ଅବସରପ୍ରାପ୍ତ ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀଙ୍କ ପ୍ରତି ସରକାର ସହାନୁଭୂତି ନ ଦେଖାଇଲେ ଆଗାମୀ ଦିନରେ ରାଜଧାନୀର ରାଜରାସ୍ତାକୁ ଯାଇ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଶିଶିର କୁମାର କର, ରାମ ଚନ୍ଦ୍ର ନାୟକ, ସୁଜୟ କୁମାର ନନ୍ଦ, ଲକ୍ଷ୍ମୀଧର ପାତ୍ର, ସୁରତୀ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।
