ବାଲେଶ୍ୱର ଗସ୍ତରେ ଭାଜପା ରାଜ୍ୟ ସଭାପତି, ଦଳ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ବାଲେଶ୍ୱର : ବାଲେଶ୍ୱର ଜିଲାକୁ ଦିନିକିଆ ଗସ୍ତରେ ଗୁରୁବାର ଭାଜପାର ନବ ନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲ ପହଞ୍ôଚଛନ୍ତି । ଜିଲା ଭାଜପା ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ବିଭିନ୍ନ ସାମାଜିକ କାର୍ଯ୍ୟ ସହ ଝାଡ଼େଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଆସନ୍ତା ୨୦୨୪ ନିର୍ବାଚନରେ ବିଜୟ ପାଇଁ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ।
ସହର ସ୍ଥିତ ନହରପାଟଣା ଛକ ଠାରେ ଭାଜପା ରାଜ୍ୟ ସଭାପତି ଶ୍ରୀ ସାମଲ ପହଞ୍ଚିବା ପରେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପଦ୍ମଲୋଚନ ପଣ୍ଡା, ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପ-ସଭାପତି ମାନସ ଦତ୍ତ, ଭୋଗରାଇ ନେତା ଅଂଶୁମାନ ମହାନ୍ତିଙ୍କ ସହିତ ମିଶି ବୃକ୍ଷରୋପଣ କରିବା ପରେ ଫୁଲାଡ଼ି ଛକ ଠାରୁ ଯୁବମୋର୍ଚ୍ଚା ଦ୍ୱାରା ଆୟୋଜିତ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ବାହାରି ଝାଡ଼େଶ୍ୱର ମନ୍ଦିର ନିକଟରେ ପହଞ୍ଚି ବାବା ଝାଡ଼େଶ୍ୱରଙ୍କ ପୂଜାର୍ଚ୍ଚନା କରିଥିଲେ । ସେଠାରୁ ଶୋଭାଯାତ୍ରାରେ ବାହାରି ସହର ମଧ୍ୟଦେଇ ଗାନ୍ଧୀ ସ୍ମୃତି ଭବନ ଠାରେ ପହଞ୍ଚି ନଗର ଭାଜପା ପକ୍ଷରୁ ଆୟୋଜିତ ଜଳଛତ୍ରର ଉଦ୍ଘାଟନ କରିଥିଲେ । ଦଳ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଅପାରଗତା ବଖାଣିବା ସହିତ ଆସନ୍ତା ୨୦୨୪ ନିର୍ବାଚନରେ ଓଡ଼ିଶାରେ ଭାଜପା ସରକାର ଗଢ଼ିବ ଏବଂ ଜିଲାର ସମସ୍ତ ବିଧାନସଭାରେ ଭାଜପାକୁ ଜିତାଇବାକୁ କର୍ମୀମାନଙ୍କୁ ଶ୍ରୀ ସାମଲ ଆହ୍ୱାନ ଦେଇଥିଲେ । ଉକ୍ତ ସମ୍ୱର୍ଦ୍ଧନା ସଭାରେ ଜିଲା କମିଟିର ସମସ୍ତ ପଦାଧିକାରୀ, ସମସ୍ତ ମୋର୍ଚ୍ଚାର ପଦାଧିକାରୀ, ସମସ୍ତ ନିର୍ବାଚନମଣ୍ଡଳୀର ନେତା ଓ କାର୍ଯ୍ୟକର୍ତ୍ତା ଏବଂ ବିଭିନ୍ନ ସାମାଜିକ ସଙ୍ଗଠନର କର୍ମକର୍ତ୍ତାମାନେ ରାଜ୍ୟ ସଭାପତିଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ । ଜିଲାର ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଈଶ୍ୱର ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ପର୍ଶୁରାମ ବେହେରା, ସିପ୍ରା ବାଜପେୟୀ, ସୁଷମା ବିଶ୍ୱାଳ, ଲମ୍ବୋଦର ନାୟକ, କମଲ ଲୋଚନ ଦାସ, ସତ୍ୟଜିତ ମିଶ୍ର, ଚିତ୍ତ ରଞ୍ଜନ ପଣ୍ଡା, ସିପ୍ରା ମହାପାତ୍ର, କମଳା ବିନ୍ଧାଣୀ, ମମତା ମହାପାତ୍ର, ସସ୍ମିତା ଚାନ୍ଦ, ଅରୂପ ଜେନା, ରଣଜିତ ପୃଷ୍ଟି, ବିପିନ ମାରାଣ୍ଡିଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
