ତାଲିବାନ ନିୟନ୍ତ୍ରଣରେ ରହିବନି ଆଇଏସ୍-କେ
କାବୁଲ : ଆଇଏସ୍-କେ ସଂଗଠନକୁ ନେଇ ବିଶ୍ବବ୍ୟାପୀ ଉଦ୍ବେଗ ବଢ଼ିଛି। ଇସ୍ଲାମିକ ଷ୍ଟେଟ୍ (ଆଇଏସ୍) ସଂଗଠନର ଆଇଏସ୍-କେ (ଖୁରାସନ) ଶାଖା ଆଫଗାନିସ୍ତାନ, ମଧ୍ୟପ୍ରାଚ୍ୟ ଓ କେନ୍ଦ୍ରୀୟ ଏସିଆରେ ନିଜ ସଂଗଠନକୁ ବିସ୍ତାର କରିବା ପାଇଁ ବଡ଼ ଯୋଜନା କରି ଆଗକୁ ବଢ଼ୁଛି। ପୂର୍ବରୁ ତାଲିବାନ ସହ ଆଇଏସ୍-କେ କମାଣ୍ଡରମାନଙ୍କ ଭିତିରି ବୁଝାମଣା ହୋଇଛି ଏବଂ ସେହି ଆଧାରରେ ବିଭିନ୍ନ ସ୍ଥାନରେ ଆଇଏସ୍-କେ ନିଜର ଆଡ଼ା ସଂଚାଳନ କରୁଛି। ତେବେ ଆଫ୍ଗାନିସ୍ତାନର ପରିବର୍ତ୍ତିତ ପରିସ୍ଥିତିରେ କାବୁଲରେ ନେଟ୍ୱର୍କ ସ୍ଥାପନ ପାଇଁ ଆଇଏସ୍-କେ ଏବେ ସବୁ ଶକ୍ତି ଲଗାଇ ଦେଇଥିବାରୁ ତାଲିବାନର ଚିନ୍ତା ବଢ଼ିଛି। ତାଲିବାନ ଆଇଏସ୍-କେ ସହିତ ଏବେ କ୍ଷମତା ବାଣ୍ଟିବାକୁ ଚାହୁନଥିବାରୁ ଏହି ସଂଗଠନ ଏବେ ସ୍ବାଧୀନ ଭାବେ ନିଜର ଆକ୍ରମଣ ଯୋଜନା କାର୍ଯ୍ୟକାରୀ କରୁଛି। ବିଗତ ୨୦ ବର୍ଷ ଭିତରେ ତାଲିବାନ କେତେକ କ୍ଷେତ୍ରରେ ଆମେରିକା ସହ ଯେଉଁ ସାଲିସ୍ କରିଛି ତାହା ଇସ୍ଲାମିକ ଷ୍ଟେଟ୍ ବିଚାରାଧାରାର ବିରୋଧୀ ବୋଲି ପୂର୍ବରୁ ଆଇଏସ୍ର କେତେକ ମୁଖ୍ୟ ସଂଚାଳକ କହିଥିବା ନଜିର ରହିଛି।
ଆଇଏସ୍ ସଂଗଠନର ଆଫ୍ଗାନ ଓ ମଧ୍ୟପ୍ରାଚ୍ୟ ସଂଗଠନକୁ ଆଇଏସ୍-କେ ନାମ ଦିଆଯାଇ ୨୦୧୪ରେ ଏହାର ଗଠନ ହୋଇଥିଲା। ଏଠାରେ ‘କେ’ ଅର୍ଥ ଖୁରାସନ । ଇରାନ, ତୁର୍କମେନିସ୍ତାନ, ଆଫଗାନିସ୍ତାନର ଏକ ବିଶାଳ ଅଂଚଳକୁ ପୂର୍ବରୁ ଖୁରାସନ କୁହାଯାଉଥିଲା ଏବଂ ଆଇଏସ୍ ଏହି ଶାଖାକୁ ଆଇଏସ୍-କେ ନାମରେ ନାମିତ କରିଛି। ଆଇଏସ୍-କେ ଏବେ ନିଜର କାୟାବିସ୍ତାର ଯୋଜନାରେ ତାଲିବାନକୁ ସହଯୋଗୀ କରିବାକୁ ଚାହୁଥିବା ବେଳେ ତାଲିବାନ ନିଜସ୍ବ ଶୈଳୀରେ କ୍ଷମତା କେନ୍ଦ୍ରୀଭୂତ କରିବାକୁ ଚାହୁଥିବାରୁ କେହି କାହା ନିୟନ୍ତ୍ରଣରେ ରହିବେ ନାହିଁ ଏବଂ ଆଗକୁ ପୂରା ବିଶ୍ବରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଯିବ। ୨୦୧୬ରୁ କାବୁଲରେ ଆଇଏସ୍-କେର ଅସ୍ଥାୟୀ ନେଟ୍ୱର୍କ ଆରମ୍ଭ ହୋଇଯାଇଥିଲା ଏବଂ ଆମେରିକା ସେନାର ଉପସ୍ଥିତି ଯୋଗୁଁ ଏହା ଆଗକୁ ବଢ଼ିପାରୁ ନଥିଲା। ଏବେ ତାଲିବାନର ସାମ୍ରାଜ୍ୟରେ ଆଇଏସ୍-କେ ପାଇଁ ରାସ୍ତା ଖୋଲିଯାଇଛି ଏବଂ ପାକିସ୍ତାନରୁ ମଧ୍ୟ ଆଇଏସ୍-କେ ଲଗାତାର ସମର୍ଥନ ପାଉଛି। ଆଇଏସ୍ର ନଜର ଏବେ କାଶ୍ମୀର ଉପରେ ବି ରହିଛି।
