ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ୍, ଦୁଇଟି ପର୍ଯ୍ୟାୟରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ
ନୂଆଦିଲ୍ଲୀ: ଫଟାଫଟ୍ କ୍ରିକେଟ୍ର ମହାକୁମ୍ଭ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ (ସପ୍ତଦଶ) ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏପ୍ରିଲ ଏବଂ ମେ ମାସରେ ଦେଶରେ ନିର୍ବାଚନ ହେବା ଆଶା କରାଯାଉଛି। ଏହି ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ସାଧାରଣ ନିର୍ବାଚନ ସତ୍ତ୍ୱେ ପୂରା ଟୁର୍ଣ୍ଣାମେଣ୍ଟ ଭାରତରେ ଅନୁଷ୍ଠିତ ହେବ ବୋଲି ଆଇପିଏଲ୍ ଚେୟାରମ୍ୟାନ୍ ଅରୁଣ ଧୁମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ସାଧାରଣ ନିର୍ବାଚନ ଏପ୍ରିଲ ଏବଂ ମେ ମାସରେ ହେବା ସମ୍ଭାବନା ରହିଛି । ସେଥିପାଇଁ ଆଇପିଏଲର ୧୭ତମ ସିଜନ ପାଇଁ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଧୁମଲ କହିଛନ୍ତି ଯେ ପ୍ରଥମେ ଏହି ଲିଗର ପ୍ରଥମ ୧୫ ଦିନର କାର୍ଯ୍ୟସୂଚୀ ଘୋଷଣା କରାଯିବ। ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଅବଶିଷ୍ଟ ମ୍ୟାଚଗୁଡିକର କାର୍ଯ୍ୟସୂଚୀ ଘୋଷଣା କରାଯିବ। ଆସନ୍ତା ମାସ ଆରମ୍ଭରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି।
ପ୍ରାରମ୍ଭରେ କେବଳ ପ୍ରଥମ ୧୫ ଦିନର କାର୍ଯ୍ୟସୂଚୀ ପ୍ରକାଶ ପାଇବ। ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଅବଶିଷ୍ଟ ମ୍ୟାଚ୍ ତାଲିକା ସ୍ଥିର ହେବ। ତେବେ ଫାଇନାଲ ମ୍ୟାଚ୍ ମେ ୨୬ରେ ହେବାର ସମ୍ଭାବନା ରହିଛି।
ଧୁମଲ କହିଛନ୍ତି, “ଆମେ ମାର୍ଚ୍ଚ ୨୨ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଯୋଜନା କରୁଛୁ। ଆମେ ସରକାରୀ ସଂସ୍ଥା ଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛୁ । ଆମେ ପ୍ରଥମେ ପ୍ରାରମ୍ଭିକ କାର୍ଯ୍ୟସୂଚୀ ରିଲିଜ୍ କରିବୁ । ପୂରା ଟୁର୍ଣ୍ଣାମେଣ୍ଟ ଭାରତରେ ଅନୁଷ୍ଠିତ ହେବ ।
୨୦୦୯ରେ ସାଧାରଣ ନିର୍ବାଚନ ଯୋଗୁଁ ଆଇପିଏଲର ପୂରା ସିଜନ୍ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବାବେଳେ ୨୦୧୪ରେ କିଛି ମ୍ୟାଚ୍ ୟୁଏଇରେ ଖେଳାଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନ ସମୟରେ ପୂରା ଲିଗ୍ ଦେଶରେ ଅନୁଷ୍ଠିତ ହୋଇଥିଲା । ଜୁନରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଦୃଷ୍ଟିରୁ ମେ ୨୬ରେ ଆଇପିଏଲ୍ ଫାଇନାଲ ଅନୁଷ୍ଠିତ ହୋଇପାରେ। ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ଜୁନ୍ ୫ରେ ନ୍ୟୁୟର୍କରେ ଆୟର୍ଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧ରୁ ଆମେରିକା ଓ କାନାଡ଼ା ମଧ୍ୟରେ ମ୍ୟାଚରୁ ଆରମ୍ଭ ହେବ । ସାଧାରଣତଃ ଆଇପିଏଲ୍ ର ଉଦଘାଟନୀ ମ୍ୟାଚ୍ ପୂର୍ବ ବର୍ଷର ବିଜେତା ଏବଂ ରନର୍ ଅପ୍ ମଧ୍ୟରେ ହୋଇଥାଏ । ତେଣୁ ଏଥର ଉଦଘାଟନୀ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବା ସମ୍ଭାବନା ରହିଛି।
ସୂଚନା ଯେ, ଚଳିତ ସଂସ୍କରଣ ପାଇଁ ଖେଳାଳି ନିଲାମ ଗତ ବର୍ଷ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା। ଏହି ନିଲାମରେ ୩୦୦ରୁ ଅଧିକ ଖେଳାଳିଙ୍କ ମଧ୍ୟରୁ କେବଳ ୭୨ ଜଣଙ୍କ ଉପରେ ନିଲାମୀ ରଖାଯାଇଥିଲା। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ନିଲାମରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ। ତାଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୨୪.୭୫ କୋଟିରେ କିଣିଛି। ସେହିପରି ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିଛି। ଏହି ନିଲାମରେ ୬ ଜଣ ଖେଳାଳିଙ୍କ ଉପରେ ୧୦ କୋଟିରୁ ଅଧିକ ଟଙ୍କାରେ କିଣାଯାଇଛି। ଭାରତରୁ ହର୍ଷଲ ପଟେଲଙ୍କୁ ନିଲାମରେ ସବୁଠାରୁ ମହଙ୍ଗା ରହିଛନ୍ତି। ତାଙ୍କୁ ୧୧.୭୫ କୋଟିରେ କିଣିଛି ପଞ୍ଜାବ କିଙ୍ଗସ।
