ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ : ବ୍ୟାଘାତ ସୃଷ୍ଟି କରିବାକୁ ଆତଙ୍କବାଦୀ ପନ୍ନୁର ଧମକ, ବଢ଼ିଲା ସୁରକ୍ଷା
ରାଞ୍ଚି : ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଫେବୃଆରୀ ୨୩ରୁ ଏଠାରେ ଜେଏସସିଏ ଆନ୍ତର୍ଜାତୀୟ ଷ୍ଟାଡିୟମ୍ କମ୍ପ୍ଲେକ୍ସରେ ଆରମ୍ଭ ହେବ । ମଙ୍ଗଳବାର ଉଭୟ ଦଳ ଏଠାରେ ପହଞ୍ଚିଛନ୍ତି। ମାତ୍ର ଏହା ପୂର୍ବରୁ ଏହି ମ୍ୟାଚରେ ବ୍ୟାଘାତ ସୃଷ୍ଟି କରିବାକୁ ଧମକ ।ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ଏହି ଧମକ ଦେଇଛନ୍ତି । ଏହି ଧମକ ପରେ ରାଞ୍ଚିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଗୃହ ମନ୍ତ୍ରଣାଳୟ ଦ୍ବାରା ଆତଙ୍କବାଦୀ ଘୋଷିତ ପନ୍ନୁ ସୋସିଆଲ ମିଡିଆରେ ଜାରି ଏକ ଭିଡିଓ ମାଧ୍ୟମରେ ମ୍ୟାଚରେ ବ୍ୟାଘାତ ସୃଷ୍ଟି କରିବାକୁ ନିଷିଦ୍ଧ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ)କୁ ଅପିଲ କରିଛି ।
ଏନେଇ ହଟିଆ ଡିଏସପି ପି.କେ ମିଶ୍ରା ଗଣମାଧ୍ୟମକୁ କହିଛନ୍ତି ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନ ଅଧୀନରେ ଧୁର୍ବା ପୋଲିସ ଥାନାରେ ପନ୍ନୁ ବିରୋଧରେ ଏଫ୍ଆଇଆର୍ ରୁଜୁ ହୋଇଛି ଏବଂ ତଦନ୍ତ ଆରମ୍ଭ ହୋଇଛି।
ପନ୍ନୁ ବିରୋଧରେ ୨୦୧୯ରେ ଏନଆଇଏ ତରଫରୁ ପ୍ରଥମ ମାମଲା ରୁଜୁ ହୋଇଥିଲା। ସେବେଠାରୁ ପନ୍ନୁ ଏନଆଇଏର ରାଡାରରେ ଅଛି | ସ୍ବତନ୍ତ୍ର ଏନଆଇଏ କୋର୍ଟ ଫେବୃଆରୀ ୨୧, ୨୦୨୧ରେ ପନ୍ନୁ ବିରୋଧରେ ଜାମିନ ବିହୀନ ଗିରଫ ୱାରେଣ୍ଟ ଜାରି କରିଥିଲା । ଗତ ବର୍ଷ ନଭେମ୍ବର ୨୯ରେ ତାଙ୍କୁ ପଳାତକ ଘୋଷିତ କରାଯାଇଥିଲା।
ସୂଚନା ଯେ, ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଭାରତ ଇଂଲଣ୍ଡ ବିପକ୍ଷରେ ୨-୧ରେ ଆଗୁଆ ରହିଛି।
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳ :
ରୋହିତ ଶର୍ମା(ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, କେଏସ ଭରତ(ଓ୍ଵିକେଟ୍ କିପର), ଅକ୍ଷର ପଟେଲ୍, ଆର ଅଶ୍ଵିନ, କୁଲଦୀପ ଯାଦବ, ଓ୍ଵାଶିଂଟନ ସୁନ୍ଦର, ଦେବଦତ୍ତ ପାଡିକଲ୍, ମୁକେଶ କୁମାର, ମହମ୍ମଦ ସିରାଜ, ଆକାଶଦୀପ।
