ଆଇପିଏଲ୍-୨୦୨୨ରେ ପଶିଲା କରୋନା : ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ ଫରହାଟ ସଂକ୍ରମିତ ଚିହ୍ନଟ
ମୁମ୍ବାଇ : ଆଇପିଏଲ୍ରେ ପୁଣି କରୋନା ସଙ୍କଟ । ଏହି ପରିପ୍ରେକ୍ଷୀରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ ଫରହାଟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫରହାଟଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ୍ ଚିକିତ୍ସା କରୁଛନ୍ତି। ଏନେଇ ଶୁକ୍ରବାର ଆଇପିଏଲ୍ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଶନିବାର ଦିଲ୍ଲୀ ତା’ର ପରବର୍ତ୍ତୀ ମ୍ୟାଚ୍ ଖେଳିବାକୁ ଥିବା ବେଳେ ଦଳର ଫିଜିଓ କୋଭିଡ୍ ପଜିଟିଭ ହେବା ଦଳର ଚିନ୍ତା ବଢ଼ାଇ ଦେଇଛି। ଫଳରେ ଦଳର ଖେଳାଳିଙ୍କ ମଧ୍ୟରେ ଏବେ କରୋନା ଭୟ ଘାରିଛି।
ଆଇପିଏଲ୍ ପକ୍ଷରୁ ଜାରି ଏକ ମିଡିଆ ବିବୃତିରେ କୁହାଯାଇଛି ଯେ କରୋନା ଟେଷ୍ଟ ପରେ ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ୍ ଫରହାର୍ଟ ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସେ ଆଇସୋଲେସନରେ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସର ଡାକ୍ତରୀ ଦଳ ଫରହାର୍ଟ ଉପରେ ନଜର ରଖିଛି। ସେ ଅତି କମରେ ଏକ ସପ୍ତାହ ପାଇଁ କ୍ୱାରାଣ୍ଟିନରେ ରହିପାରନ୍ତି । ସୂଚନା ଯେ, ଭାରତରେ କରୋନା ମାମଲା ବଢ଼ିବା ଯୋଗୁଁ ଆଇପିଏଲ୍ ୨୦୨୦ ର ପୂରା ସିଜନ୍ ୟୁଏଇରେ ଖେଳାଯାଇଥିଲା । ପୁଣି ବାୟୋ ବବଲରେ ଏକାଧିକ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲ୍ ୨୦୨୧ କୁ ମଧ୍ୟ ଅଧାରୁ ସ୍ଥଗିତ ରଖିବାକୁ ପଡିଥିଲା । ଆଇପିଏଲ ୨୦୨୧ ର ପ୍ରଥମ ଭାଗ ଭାରତରେ ଖେଳାଯାଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଅନୁଷ୍ଠିତ ହୋଇଥିଲା । କରୋନା ବିପଦ ଦୃଷ୍ଟିରୁ ଆଇପିଏଲ୍ ୨୦୨୨ର ଲିଗ୍ ପର୍ଯ୍ୟାୟ କେବଳ ମୁମ୍ବାଇ ଏବଂ ପୁଣେରେ ଅନୁଷ୍ଠିତ ହେଉଛି ।
