କମୁଛି ଆଇପିଏଲ୍ କ୍ରେଜ, ଦ୍ଵିତୀୟ ସପ୍ତାହରେ ବି ଟିଭି ରେଟିଂ ହ୍ରାସ
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଙ୍ଗ୍(ଆଇପିଏଲ୍)-୨୦୨୨ ସିଜନରେ ପ୍ରସାରଣକାରୀ ଏବଂ ବିସିସିଆଇକୁ ଲାଗିଲା ଝଟକା। ଚଳିତ ସିଜିନ ମାର୍ଚ୍ଚ ୨୬ରୁ ଆରମ୍ଭ ହୋଇଥିଲା। ଚଳିତ ଥର ଟିଭି ରେଟିଂରେ ହ୍ରାସ ଘଟିଛି । ସପ୍ତାହ ପରେ ଲଗାତାର ଦ୍ଵିତୀୟ ସପ୍ତାହରେ ବି ଟିଭି ରେଟିଂରେ ହ୍ରାସ ଦେଖିବାକୁ ମିଳିଛି । ପ୍ରଥମ ସପ୍ତାହରେ ଆଇପିଏଲ ଟିଭି ରେଟିଂରେ ୩୩% ହ୍ରାସ ଘଟିଥିବା ବେଳେ ଏବେ ଦ୍ଵିତୀୟ ସପ୍ତାହରେ ୨୮% ହ୍ରାସ ଦେଖିବାକୁ ମିଳିଛି ।
ଇନସାଇଡସ୍ପୋର୍ଟ୍ସ ଏକ ବିଜ୍ଞାପନକାରୀଙ୍କ ତଥ୍ୟକୁ ନେଇ ଲେଖିଛି ଯେ, ଆଇପିଏଲର ରେଟିଂ ବହୁତ ନୈରାଶ୍ୟଜନକ ରହିଛି। ଏମିତି ହେବ ବୋଲି କେହି କେବେ ଆଶା କରିନଥିଲୁ ବୋଲି ଅଧିକାରୀ କହିଛନ୍ତି। ପୂର୍ବରୁ ଏତେ ରେଟିଂ କେବେ ବି କମିନଥିଲା। ଚଳିତ ବର୍ଷ ରେଟିଂରେ ପ୍ରାୟ ୨୦ ରୁ ୩୦% ହ୍ରାସ ଦେଖିବାକୁ ମିଳିଛି। ଗତ ସିଜିନରେ ୨୪% ଅଧିକ ରେଟିଂ ବଢିଥିଲା। ସାଧାରଣତଃ ଯେବେ ଆଇପିଏଲ ଆରମ୍ଭ ହୁଏ ପ୍ରସାଧରଣକାରୀ ଚ୍ୟାନେଲ ବାର୍କର ଚାର୍ଟରେ ନମ୍ବର-୧ରେ ପହଞ୍ଚି ଯାଇଥାଏ। ହେଲେ ଚଳିତ ଥର ଏମିତି ଦେଖିବାକୁ ମିଳିନାହିଁ। ପ୍ରସାରଣକାରୀ ଚ୍ୟାନେଲ ନମ୍ବର-୩କୁ ଖସି ଆସିଛି। ଏଥର ପ୍ରଥମ ନମ୍ବରରେ ରହିଛି ସନ୍ ଟିଭି ଏବଂ ଦ୍ଵିତୀୟରେ ରହିଛି ମା ଟିଭି। ହିନ୍ଦୀ ଭାଷୀ ଅଞ୍ଚଳରେ ଷ୍ଟାର ସ୍ପୋର୍ଟ୍ସ ଏକ ନମ୍ବରରେ ରହିଛି। ଦିଲ୍ଲୀରେ ନମ୍ବର-୩ ଏବଂ ମହାରାଷ୍ଟ୍ରରେ ନମ୍ବର-୨ରେ ରହିଛି।
ସୂଚନା ଯେ, ଆଇପିଏଲ-୨୦୨୨ ସିଜିନର ପ୍ରଥମ ସପ୍ତାହରେ ୮ଟି ମ୍ୟାଚ୍ରେ ଟିଭି ରେଟିଂ ୨.୫୨% ରହିଥିଲା। ଯଦି ଏହାର ତୂଳନା ଗତ ସିଜିନ ସହ କରାଯାଏ ତେବେ ୨୦୨୧ ଆଇପିଏଲର ପ୍ରଥମ ସପ୍ତାହରେ ଟିଭି ରେଟିଂ ୩.୭୫% ରହିଥିଲା। ଏଥିରୁ ସ୍ପଷ୍ଟ ଯେ, ଚଳିତ ଥର ଟିଭି ରେଟିଂରେ ୩୩% ହ୍ରାସ ଘଟିଛି। ଏହା ପୂର୍ବରୁ ୨୦୨୦ ସିଜିନରେ ପ୍ରଥମ ସପ୍ତାହରେ ଟିଭି ରେଟିଂ ୩.୮୫% ରହିଥିଲା।
