ଆଇପିଏଲ-୨୦୨୨ : ମୁମ୍ବାଇକୁ ୧୬୦ ରନ ଟାର୍ଗେଟ୍ ଦେଲା ଦିଲ୍ଲୀ
ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୬୯ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୧୬୦ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ । ନିଜର କର ବା ମର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ଲଢୁଆ ସ୍କୋର କରିଛି। ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୯ ରନ କରିଛି। ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ଦିଲ୍ଲୀକୁ ଏହି ସ୍କୋର ଭିତରେ ମୁମ୍ବାଇକୁ ସୀମିତ ରଖିବାକୁ ପଡିବ। ଦଳ ପକ୍ଷରୁ ରୋଭମାନ ପାଓ୍ଵେଲ ୪୩ ରନ ଏବଂ ଋଷଭ ପନ୍ତ ୩୯ ରନ କରିଛନ୍ତି। ପୃଥ୍ଵୀ ଶ ୨୪ ରନ କରିଥିବା ବେଳେ ଅକ୍ଷର ପଟେଲ୍ ଅପରାଜିତ ୧୯ ରନ କରିଛନ୍ତି। ପନ୍ତ ଏବଂ ପାଓ୍ଵେଲଙ୍କ ମଧ୍ୟରେ ପଞ୍ଚମ ଓ୍ଵିକେଟ୍ରେ ୭୫ ରନ ଭାଗିଦାରୀ ଯୋଗୁଁ ଦିଲ୍ଲୀ ଏହି ସ୍କୋରରେ ପହଞ୍ଚି ପାରିଛି। ମୁମ୍ବାଇ ତରଫରୁ ଯଶପ୍ରୀତ ବୁମରା ୨୫ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି। ରମଣଦୀପ ସିଂହ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ମୟଙ୍କ ମାର୍କେଣ୍ଡେୟ ଏବଂ ଡାନିଏଲ ସାମ୍ସ ଗୋଟିଏ ଲେଖାଏଁ ଓ୍ଵିକେଟ୍ ମିଳିଛି।
ୱାଙ୍ଖଡେରେ ଖେଳା ଯାଉଥିବା ଆଜିର ମ୍ୟାଚ୍ରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ ସଠିକ୍ ସାବ୍ୟସ୍ତ କରି ୨୨ ରନ୍ ଭିତରେ ଯଶପ୍ରୀତ ବୁମ୍ରା ଓ ଡାନିଏଲ ସାମ୍ସ ଦିଲ୍ଲୀର ଦୁଇ ଇନଫର୍ମ ବ୍ୟାଟର ଡାଭିଡ ୱାର୍ଣ୍ଣର(୫) ଓ ମିଚେଲ ମାର୍ଶ(୦)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ସର୍ଫରାଜ ଖାନ ଆସୁ ଆସୁ ଗୋଟିଏ ଛକା ମାରିଥିଲେ ମଧ୍ୟ କେବଳ ୧୦ ରନ୍ ମରି ମୟଙ୍କ ମାର୍କଣ୍ଡେଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ଏହାପୂର୍ବରୁ ବୁମ୍ରା ୨୪ ରନ୍ କରିଥିବା ପୃଥ୍ୱୀ ଶ’ଙ୍କ ୱିକେଟ ଦଖଲ କରିଥିଲେ। ୫୦ ରନ୍ରେ ୪ ୱିକେଟ ହରାଇ ଦିଲ୍ଲୀ ବ୍ୟାକଫୁଟକୁ ଚାଲି ଯାଇଥିଲା। କିନ୍ତୁ ଅଧିନାୟକ ଋଷଭ ପନ୍ତ ଓ ରୋଭମନ ପାୱେଲ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ୫ମ ୱିକେଟ ପାଇଁ ୭୫ ରନ୍ର ଭାଗିଦାରୀ କରିଥିଲେ। ୧୬ତମ ଓଭର ସୁଦ୍ଧା ଉଭୟ ଦଳୀୟ ସ୍କୋରକୁ ୧୨୫ରେ ପହଞ୍ଚାଇ ଦେଇଥିଲେ। ଏତିକି ବେଳେ ୩୯ ରନ୍ କରିଥିବା ପନ୍ତଙ୍କୁ ରମଣଦୀପ ସିଂହ ଆଉଟ କରି ଦିଲ୍ଲୀକୁ ୫ମ ଝଟକା ଦେଇଥିଲେ। ପାୱେଲ କିଛି ବଡ଼ ଶଟ ଖେଳିଥିଲେ ମଧ୍ୟ ୧୯ତମ ଓଭର୍ ବୋଲିଂ କରୁଥିବା ବୁମ୍ରାଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ଯାଇଥିଲେ। ସେ ୩୪ ବଲ୍ରେ ୪ ଛକା ଓ ଗୋଟିଏ ଚୌକା ବଳରେ ୪୩ ରନ କରିଛନ୍ତି। ତାଙ୍କୁ ଆଉଟ କରି ବୁମ୍ରା ମ୍ୟାଚରେ ନିଜର ତୃତୀୟ ୱିକେଟ ହାସଲ କରିଥିଲେ। ଶେଷ ଭାଗରେ ଅକ୍ଷର ପଟେଲ କିଛି ଶଟ ଖେଳିବାରୁ ଦିଲ୍ଲୀ ୧୫୦ ରନ୍ ପାର କରିବାକୁ ସକ୍ଷମ ହୋଇଥିଲା। ଶେଷ ଓଭର୍ରେ ଦଳ ଶାର୍ଦ୍ଦୁଲ ଠାକୁର(୪)ଙ୍କ ୱିକେଟ ମଧ୍ୟ ହରାଇଛି। ତାଙ୍କ ୱିକେଟ ରମଣଦୀପ ନେଇଛନ୍ତି। ଅକ୍ଷର ପଟେଲ ଶେଷ ଯାଏ ୧୯ ରନ୍ କରି ଅପରାଜିତ ରହିଥିଲେ। ଏଥିସହ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ମୁମ୍ବାଇ ପକ୍ଷରୁ ବୁମ୍ରା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ରମଣଦୀପ ୨ଟି, ସାମ୍ସ ଓ ମାର୍କଣ୍ଡେଙ୍କ ଖାତାକୁ ଗୋଟିଏ ଲେଖାଏ ସଫଳତା ଯାଇଛି।
