ଆଜି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ପାଇଁ ଭାରତୀୟ ଦଳ ଘୋଷଣା : ଦୁଇଟି ଦଳ ବାଛିବେ ଚୟନକର୍ତ୍ତା
ମୁମ୍ବାଇ : ଆସନ୍ତା ଜୁନ୍ ୯ ତାରିଖରୁ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍ ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ ଦଳ ରବିବାର ଚୟନ କରାଯିବ। ଶିଖର ଧାୱନ, ହାର୍ଦିକ ପାଣ୍ଡ୍ୟା ଏବଂ ଦୀନେଶ କାର୍ତ୍ତିକଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ଲାଗୁଥିବାବେଳେ ଆଇପିଏଲ୍ ପ୍ରଦର୍ଶନ ଆଧାରରେ ଉଦୀୟମାନ ତାରକା ଉମ୍ରାନ୍ ମଲ୍ଲିକ, ମୋହସିନ୍ ଖାନ୍ଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି। ଦୁଇ ମାସିଆ ଆଇପିଏଲ୍ ସହିତ ଜୁନ୍ ୧୫ ତାରିଖରୁ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯିବାର ଥିବାରୁ ସମସ୍ତ ଫର୍ମାଟ୍ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ତ୍ ଓ ଯଶପ୍ରୀତ୍ ବୁମରା ପ୍ରମୁଖଙ୍କୁ ବିସିସିଆଇ ଚୟନକର୍ତ୍ତା ବିଶ୍ରାମ ଦେବା ସମ୍ଭାବନା ରହିଛି। ଏହା ଛଡ଼ା ଅର୍ଶଦୀପ ସିଂହ, ତିଳକ ବର୍ମା, ଦୀପକ ହୁଦା, ଭେଙ୍କଟେଶ ଆୟର ଏବଂ ରାହୁଲ ତିୱାତିଆଙ୍କ ନାମ ମଧ୍ୟ ଚୟନକର୍ତ୍ତାଙ୍କ ନଜରରେ ରହିଛି। ଚଳିତ ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍ ଦୃଷ୍ଟିରୁ ଫିନିସର୍ ଭୂମିକା ଲାଗି ଦୀନେଶ କାର୍ତ୍ତିକଙ୍କୁ ଆଉ ଏକ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେବା କଥା ଚୟନକର୍ତ୍ତାମାନେ ଗମ୍ଭୀରତାର ସହ ବିଚାର କରୁଛନ୍ତି। କୁଲ୍ଚା (ୟୁଝବେନ୍ଦ୍ର ଚହଲ-କୁଲଦୀପ ଯାଦବ)ଙ୍କ ଉପରେ ପୁଣି ଚୟନକର୍ତ୍ତା ଆସ୍ଥା ପ୍ରକଟ କରିପାରନ୍ତି। ଋତୁରାଜ ଗାଏକ୍ବାଡ, ପ୍ରସିଦ୍ଧ କୃଷ୍ଣ ଓ ଅଭେସ୍ ଖାନ୍ ମଧ୍ୟ ଦୌଡ଼ରେ ରହିଛନ୍ତି।
ଅନ୍ୟପକ୍ଷରେ ଜୁନ୍-ଜୁଲାଇରେ ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ଦଳରେ ଅଭିଜ୍ଞ ବ୍ୟାଟର୍ ଅଜିଙ୍କ୍ୟ ରାହାଣେ ସାମିଲ ହୋଇନପାରିବା ଆଶଙ୍କା ଦେଖା ଦେଇଛି। ଚଳିତ ଆଇପିଏଲ୍ରେ ଏହି ପୂର୍ବତନ ଅଧିନାୟକ ତଥା ଉପଅଧିନାୟକଙ୍କ ଜଙ୍ଘରେ ଗ୍ରେଡ୍-୨ ଆହତ ସମସ୍ୟା ଦେଖା ଦେଇଥିବାରୁ ସେ ଚୟନକର୍ତାଙ୍କ ପାଇଁ ଉପଲବ୍ଧ ହେବେ ନାହିଁ ବୋଲି ସୂଚନା ମିଳିଛି। ଅବଶ୍ୟ ରାହାଣେ ଏବଂ ଚେତେଶ୍ବର ପୂଜାରା ପୂର୍ବରୁ ଟେଷ୍ଟ୍ ଦଳରୁ ବାଦ୍ ପଡ଼ି ସାରିଛନ୍ତି। ତାଙ୍କ ବଦଳରେ ହନୁମା ବିହାରୀ ଓ ଶ୍ରେୟସ ଆୟର ଗତ ନ୍ୟୁଜିଲାଣ୍ଡ୍ ବିପକ୍ଷ ଘରୋଇ ଟେଷ୍ଟ ଶୃଙ୍ଖଳାରେ ଚମତ୍କାର ଖେଳି ନିଜ ସ୍ଥାନକୁ ସୁରକ୍ଷିତ ରଖିଛନ୍ତି। ଗତ ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲା ବେଳେ ରାହାଣେ ଆହତ ହେବାରୁ କ୍ଷେତ୍ରରକ୍ଷଣ କରିନଥିଲେ। ସେ ଖୁବ୍ ଶୀଘ୍ର ଏନ୍ସିଏରେ ଯୋଗଦେଇ ପୁନଃଥଇଥାନ କାର୍ଯ୍ୟକ୍ରମରେ ସାମିଲ ହେବେ। ରାହାଣେଙ୍କୁ ଏଠାରେ ଅନ୍ୟୂନ ୪ ସପ୍ତାହ ବିତାଇବାକୁ ପଡ଼ିବ। ଆଇପିଏଲ୍-୧୫ରେ ରାହାଣେ କେକେଆର୍ ପାଇଁ ୭ ମ୍ୟାଚ୍ ଖେଳି ମାତ୍ର ୧୩୩ ରନ୍ କରିଥିବାରୁ ଫର୍ମକୁ ମଧ୍ୟ ଫେରି ପାରିନଥିଲେ।
