ରାସ୍ତା ମଝିରେ ଓଲିଟିଲା ଅନ୍ତରାଜ୍ୟ ବସ : ୫ ଓଡ଼ିଆ ଯାତ୍ରୀ ମୃତ
ମାଲକାନଗିରି : ଓଡିଶା ସୀମାନ୍ତରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଆନ୍ଧ୍ରପ୍ରଦେଶର ବୋଜିଗୁଡେମ ନିକଟରେ ଭାରସାମ୍ୟ ହରାଇ ବସ ଓଲଟିଛି। ରବିବାର ବିଳମ୍ବିତ ରାତିରେ ଘଟିଥିବା ଦୁର୍ଘଟଣାରେ ୨ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୩୦ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ମିଳିଛି।
ସୂଚନାନୁସରେ, ରବିବାର ବିଳମ୍ବିତ ରାତିରେ ମାଲକାନଗିରି ସୀମାନ୍ତ ଅନ୍ଧ୍ରର ବୋଡୁଗୁଡ଼େମ୍ ନିକଟରେ ଏକ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସଟି ରାସ୍ତା ମଝିରେ ଓଲଟି ପଡିଥିଲା। ଦୁର୍ଘଟଣାରେ ମୋଟ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଓ ଜଣେ ମହିଳା ଥିବା ସୂଚନା ମିଳିଛି। ଆହତଙ୍କୁ ଭଦ୍ରାଚଲାମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ତ ବସର ନାମ କେଜିଏନ୍, ସଙ୍ଗିତା। ଛତିଶଗଡ ଆରଟିଓରେ ଏହା ପଞ୍ଜିକରଣ (ସିଜି ୨୭ ଏମ୍ ୩୧୪୮) ହୋଇଛି। ବସଟି ବିଜୟୱାଡାରୁ ଯାତ୍ରୀଙ୍କୁ ନେଇ ଭବାନୀପାଟଣାକୁ ଆସୁଥିଲା। ସମସ୍ତ ମୃତକ ଓଡିଶାର ହୋଇଥିବା ସୂଚନା ମିଳିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ସ୍ଥାନୀୟ ପୋଲିସ ସହାୟତାରେ ଦୁର୍ଘଟଣାଗ୍ରସ୍ତ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ମୃତଦେହ ଗୁଡିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଲିସ ଏହାର ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ବସଟି ଭାରସାମ୍ୟ ହରାଇ ଓଲଟିଥିବା ଅନୁମାନ କରାଯାଉଛି। ପ୍ରତ୍ୟେକ ଦିନ ବସ ବିଜୟୱାଡାରୁ ଭବାନୀପାଟଣାକୁ ଯାତାୟତ କରିଥାଏ।
