ବାଲ୍ୟ ବିବାହକୁ ରୋକିବା ପାଇଁ ମାଲକାନଗିରିରେ ୪ ଲକ୍ଷ ଲୋକଙ୍କୁ ନେଇ ଏକ ବିଶାଳ ଶପଥ ପାଠ
ମାଲକାନଗିରି : ଜିଲାରେ ବାଲ୍ୟବିବାହକୁ ରୋକିବା ପାଇଁ ମାଲକାନଗିରି ଜିଲା ପ୍ରଶାସନ ଓ ଜିଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଏକ ୫୦ ଦିନିଆ କାର୍ଯ୍ୟକ୍ରମ ଗତ ୨୯/୩ ତାରିଖ ଠାରୁ ଆରମ୍ଭ ହୋଇଯାଇଅଛି । ଏହି ୫୦ ଦିନିଆ କାର୍ଯ୍ୟକ୍ରମର ୪୬ ତମ ଦିବସ ଅବସରରେ ଜିଲାପାଳ ମାଲକାନଗିରିଙ୍କ ଆଦେଶ କ୍ରମେ ଏକ ସାମୁହିକ ଶପଥପାଠ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ଗ୍ରାମ୍ୟସ୍ତର ଠାରୁ ଆରମ୍ଭ କରି ଜିଲାସ୍ତର ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ, ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ସମସ୍ତ ଗ୍ରାମମାନଙ୍କରେ ଏହି ଶପଥପାଠ କରାଯାଇଥିଲା । ଜିଲାର ସମସ୍ତ ୧ ୩୨୦ ଅଙ୍ଗନବାଡି କେନ୍ଦ୍ର,୧୧୧ ଟି ଗ୍ରାମ ପଂଚାୟତ, ୭ ଟି ପଚାଂୟତ ସମିତି, ୭ ଟି ତହସିଲ, ୧୧ ଟି ଥାନା ଏବଂ ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଠାରେ ଏହି ଶପଥପାଠ କରାଯାଇଥିଲା । ଜିଲାପାଳ ବିଶାଳ ସିଂ, ଜିଲାପାଳଙ୍କ କାର୍ଯ୍ୟଳୟଠାରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ ଜନସାଧାରଣ ମାନଙ୍କୁ ଶପଥପାଠ କରାଇଥିଲେ । ଜିଲାରେ ବାଲ୍ୟ ବିବାହକୁ ସମ୍ପୂର୍ଣ ବିଲୋପ କରିବା ପାଇଁ ଏବଂ ଜିଲାର ସମସ୍ତ କିଶୋର ଓ କିଶୋରୀ ମାନଙ୍କୁ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ଦେବା ପାଇଁ ଏକ ସଚେତନତା ସୃଷ୍ଟି କରିବାର ଆହ୍ୱାନ ଆଜିର ଏହି ଶପଥପାଠ ମାଧ୍ୟମରେ କରାଯାଇଥିଲା । ମୋଟ ଜିଲାର ଚାରି ଲକ୍ଷ ଲୋକ ଏହି ବିଶାଳ ଶପଥପାଠ ଉତ୍ସବରେ ଅଂଶଗ୍ରହଣ କରି ଜିଲାର ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲେ ।
