ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ-୨୦୨୩ ପାଳିତ
ବାଲେଶ୍ୱର : ବାଲେଶ୍ୱର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରଥମଥର ପାଇଁ ଆନ୍ତର୍ଜାତିକ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ-୨୦୨୩ ଶୁକ୍ରବାର ପାଳିତ ହୋଇଛି । କିନ୍ନରର ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ‘ସ୍ୱୀକୃତି’ ପ୍ରକଳ୍ପର ବାଲେଶ୍ୱରରେ କାର୍ଯ୍ୟକାରୀ ସଂସ୍ଥା ରୁରାଲ ଡେଭେଲୋପମେଣ୍ଟ ଆକ୍ସନ ସେଲ (ଆରଡିଏସି) ସହଯୋଗରେ ଜିଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା ।
ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଯୋଗଦେଇ କିନ୍ନରମାନେ ତୃତୀୟ ଲିଙ୍ଗ ଭାବେ ସମାଜର ଅବିଚ୍ଛ୍ୟେଦ ଅଙ୍ଗ ହୋଇଥିବା ବେଳେ ସାମ୍ବିଧାନିକ ମାନ୍ୟତା ମିଳିବା ପରେ ସେମାନଙ୍କର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି । ଜୀବନଧାରଣ ପାଇଁ ସମ୍ପ୍ରତି ସେମାନଙ୍କ ନିମନ୍ତେ ବିଭିନ୍ନ ପ୍ରକାର ସୂଯୋଗ ସୃଷ୍ଟି ହୋଇଥିବା ବେଳେ ସରକାର ମଧ୍ୟ ଏଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି ବୋଲି କହିଥିଲେ । ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିବାହୀ ତଥା ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଟ୍ରାନ୍ସଜେଣ୍ଡରଙ୍କ କ୍ଷେତ୍ରରେ ଆତ୍ମ ନିଯୁକ୍ତି ଅଥବା କର୍ମ ନିଯୁକ୍ତି ନେଇ ରହିଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଟ୍ରାନ୍ସଜେଣ୍ଡରମାନେ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ଉଦ୍ୟୋଗ ସ୍ଥାପନ କରିପାରିବେ । ଗ୍ରାମ୍ୟ କିମ୍ବା ସହରାଞ୍ଚଳ ଉନ୍ନୟନ ସଂସ୍ଥା ମାଧ୍ୟମରେ ମଧ୍ୟ ସରକାରୀସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପରେ ସାମିଲ ହୋଇ ସେମାନେ ଜୀବିକା ଅର୍ଜନ କରିପାରିବେ । ଓରମାସର ଜୀବିକା ମିଶନ ମାଧ୍ୟମରେ କିନ୍ନରମାନଙ୍କ ପାଇଁ ନିୟୋଜନର ସୁଯୋଗ ରହଛି । ଏଣୁ କିନ୍ନରମାନେ ନିଜକୁ ଅବହେଳିତ ବିଚାର ନକରି ସେମାନଙ୍କ ପାଇଁ ରହିଥିବା ଅପାର ସୁଯୋଗକୁ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଜିଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ତରୁଣ ତପନ ପ୍ରହରାଜ ଯୋଗଦେଇ କିନ୍ନରମାନଙ୍କ ସାମାଜିକ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ମମତା ନାୟକଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା କିନ୍ନର ସଂଘର ସଭାପତି ରାଣୀ ହୁସେନ ଓ ସମ୍ପାଦିକା ଇତିଶ୍ରୀ ମାଝୀ ମଞ୍ଚାସୀନ ଥିଲେ । ଆରଏଡ଼ିସିର ମୁଖ୍ୟ ପ୍ରକଳ୍ପ ଅଧିକାରୀ ବିଜୟ କୁମାର ବେହେରା ଉପସ୍ଥିତ ରହି ସଂଗଠନ ପକ୍ଷରୁ କିନ୍ନରଙ୍କ ପାଇଁ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସଂଗଠନର ପ୍ରକଳ୍ପ ମ୍ୟାନେଜର ରୁକ୍ସାନା ଖାତୁନଙ୍କ ସହ ଜିଲା ସାମାଜିକ ସୁରକ୍ଷା ବିଭାଗର ପ୍ରିତମ ସାହୁ, ସୁଚିସ୍ମିତା ପାଲ, ରାଜୀବ ରଞ୍ଜନ ନାୟକ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ କିନ୍ନରମାନଙ୍କ ମଧ୍ୟରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ କିନ୍ନରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
