ଇନ୍ଦୋର ଟେଷ୍ଟ : ସିରିଜ ଜିତିବା ଲକ୍ଷରେ ଟିମ ଇଣ୍ଡିଆ, ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି
ଇନ୍ଦୋର : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଥିବା ବର୍ଡର୍ ଗାଭାସ୍କର ଟ୍ରଫି ସିରିଜର ୩ୟ ଟେଷ୍ଟ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି । ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ଜିତି ସିରିଜ୍ କବଜା ଲକ୍ଷ୍ୟରେ ରହିଛି ରୋହିତ ବାହିନୀ ।
ପ୍ରଥମ ଦୁଇଟି ଟେଷ୍ଟ ଜିତି ଭାରତ ଆଗୁଆ ରହିଥିବା ବେଳେ କମବ୍ୟାକ୍ କରିବାକୁ ଭରପୂର ପ୍ରୟାସ କରିବ ଅଷ୍ଟ୍ରେଲିଆ । ଲଗାତାର ୩ଥର ବର୍ଡର ଗାଭାସ୍କର ଟ୍ରଫି ଉପରେ କବ୍ଜା କରିଥିବା ଭାରତ ଆଉ ଗୋଟିଏ ମ୍ୟାଚ୍ ଜିତିଲେ ୪ର୍ଥ ଥର ପାଇଁ ସିରିଜ୍ ବିଜୟୀ ହେବ । ଏହା ସହିତ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବାକୁ ମଧ୍ୟ ଯୋଗ୍ୟତା ଅର୍ଜନ କରିବ । ସେପଟେ ସ୍ମିଥ୍ଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇଛି କଙ୍ଗାରୁ ଦଳ । ତୃତୀୟ ଟେଷ୍ଟ ଜିତି ସିରିଜକୁ ପ୍ରବେଶ କରିବାକୁ ଉଦ୍ୟମ କରିବ ଭ୍ରମଣକାରୀ ଦଳ । ଏପଟେ ଅଷ୍ଟ୍ରେଲିଆ ବ୍ୟାଟରଙ୍କ ପାଇଁ ପୁଣି ଥରେ ଘାତକ ସାଜିପାରନ୍ତି ଭାରତୀୟ ସ୍ପିନର ।
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୪ଟି ଟେଷ୍ଟ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ପରାଜିତ କରିଛନ୍ତି । ପ୍ରଥମ ଟେଷ୍ଟରେ ରୋହିତ-ଆଣ୍ଡ-କୋ ଗୋଟିଏ ଇନିଂସ ଓ ୧୩୨ ରନରେ ହରାଇଥିଲା । ସେହିପରି ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା । ଟିମ୍ ଇଣ୍ଡିଆ ପାଇଁ ଏହି ଟେଷ୍ଟ୍ ବେଶ୍ ଗୁରୁତ୍ବପୂର୍ଣ୍ଣ । ଭ୍ରମଣକାରୀ ଦଳକୁ ତୃତୀୟ ମ୍ୟାଚରେ ମାତ୍ ଦେଇ ବିଶ୍ବ ଟେଷ୍ଟ ଚମ୍ପିୟାନସିପ୍ ଫାଇନାଇ ପ୍ରବେଶ କରିବାକୁ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ ।
ଚୂଡ଼ାନ୍ତ ଏକାଦଶରେ ଭାରତୀୟ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି । କେଏଲ ରାହୁଲଙ୍କ ସ୍ଥାନରେ ସୁବମନ୍ ଗିଲକୁ ସୁଯୋଗ ମିଳିଛି । ସେହିପରି ମହମ୍ମଦ ସାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ଅଷ୍ଟ୍ରେଲିଆ ଦଳରେ ମଧ୍ୟ ଦୁଇ ପରିବର୍ତ୍ତନ କରାଯାଉଛି ।
ଭାରତୀୟ ଏକାଦଶ : ରୋହିତ ଶର୍ମା (ଅଧିନାୟକ), ସୁବମନ୍ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ରବିନ୍ଦ୍ର ଜାଡ଼େଜା, ଶ୍ରୀକର ଭରତ (ଓ୍ବିକେଟ୍ କିପର), ଅକ୍ଷର ପଟେଲ୍, ରବିଚନ୍ଦ୍ରନ୍ ଅଶ୍ବିନୀ, ଉମେଶ ଯାଦବ, ମହମ୍ମଦ ସିରଜ୍ ।
ଅଷ୍ଟ୍ରେଲିଆ ଏକାଦଶ : ଉସ୍ମାନ ଖ୍ୱାଜା, ଟ୍ରାଭିସ୍ ହେଡ୍, ମାମୁସ ଲାବୁସେନ୍, ଷ୍ଟିଭ୍ ସ୍ମିଥ୍ (ଅଧିନାୟକ), ପିଟର ହାଣ୍ଡସ୍କମ୍ବ, କାମେରୁମ୍ ଗ୍ରୀନ୍, ଆଲେକ୍ସ କେରି( ଓ୍ୱିକେଟ୍ ରକ୍ଷକ), ମିଚେଲ୍ ଷ୍ଟାର୍କ, ନାଥନ ଲାୟନ୍, ଟଡ ମୁର୍ଫି, ମ୍ୟାଥ୍ୟୁ କୁନେହମାନ୍ ।
