ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଉଛି : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଏବେ ଭୟରେ ଦିନ କାଟୁଛନ୍ତି । ବିଶେଷ କରି ଖାରକିଭରେ ରୁଷର ଆକ୍ରମଣ ଜୋରଦାର ହେବାରୁ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି । ଭାରତ ସରକାର ସ୍ୱତନ୍ତ୍ର ବିମାନ ଯୋଗେ ୟୁକ୍ରେନର ପଡ଼ୋଶୀ ଦେଶକୁ ଚାଲି ଆସିଥିବା ଭାରତୀୟଙ୍କୁ ଏୟାରଲିଫ୍ଟ କରୁଛନ୍ତି । ହେଲେ ଏବେ ବି ହଜାର ହଜାର ଭାରତୀୟ ୟୁକ୍ରେନ ଭିତରେ ଫସି ରହିଛନ୍ତି । ସେମାନଙ୍କୁ କେମିତି ଉଦ୍ଧାର କରାଯିବ, ତାହା ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରସଙ୍ଗକୁ ନିର୍ବାଚନ ରାଲିରେ ଉଠାଇଛନ୍ତି । ସେ ଉତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ୟୁକ୍ରେନ କଥା ଉଠାଇଛନ୍ତି ।
ଭାରତର ଶକ୍ତି ବିଶ୍ୱସ୍ତରରେ ବୃଦ୍ଧି ପାଉଥିବାରୁ ତାଙ୍କ ସରକାର ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହେଉଥିବା ମୋଦି କହିଛନ୍ତି । ଏଥିସହ ସବୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସରକାର କୌଣସି ପ୍ରକାରର ଅବହେଳା କରିବେ ନାହିଁ ବୋଲି ମଧ୍ୟ ସେ ଲୋକଙ୍କ ଆଗରେ ଦମ୍ଭୋକ୍ତି କରିଛନ୍ତି । ସୋଭଦ୍ରାରେ ଆୟୋଜିତ ଗୋଟିଏ ରାଲିରେ ମୋଦି କହିଛନ୍ତି, “ଭାରତର ଶକ୍ତି ବୃଦ୍ଧି ପାଉଥିବାରୁ ଆମେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିପାରୁଛୁ ।” ଏଥିସହ ସେ ବିରୋଧୀ, ବିଶେଷ କରି କଂଗ୍ରେସକୁ ସମାଲୋଚନା କରିବାକୁ ଭୁଲି ନାହାନ୍ତି । ସେ କହିଛନ୍ତି, “ଯେଉଁମାନେ ସେନା ବାହୀନର ମହାନ ସାହାସ ଓ ମେକ ଇନ ଇଣ୍ଡିଆ ଉପରେ ପ୍ରଶ୍ନ ଉଠାଉଥିଲେ, ସେମାନେ କେବେ ହେଲେ ଦେଶକୁ ସଶକ୍ତ କରିପାରି ନାହାନ୍ତି । ଏବେ ଭାରତର ଶକ୍ତି ବୃଦ୍ଧି ପାଇବାରେ ଲାଗିଛି । ଏହି ଶକ୍ତି ଯୋଗୁ ୟୁକ୍ରେନରେ ଯୁଦ୍ଧ ଚାଲିଥିଲେ ମଧ୍ୟ ଭାରତୀୟମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିଛନ୍ତି ।”
ଏବେ ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ୭ମ ଦିନରେ ପହଂଚି ଯାଇଛି । ଦିନକୁ ଦିନ ରୁଷ ତା’ର ଆଭିମୁଖ୍ୟକୁ ଉଗ୍ର କରୁଥିବାରୁ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତନକୁ ନେଇ ପ୍ରଶ୍ନ ଉଠିଛି । ତେବେ ଭାରତ ସରକାର ଆସନ୍ତା ୩ ଦିନ ମଧ୍ୟରେ ୨୬ଟି ବିମାନ ଯୋଗେ ୟୁକ୍ରେନରୁ ଉଦ୍ଧାର କାର୍ଯ୍ୟ କରିବେ । ଏହି ବିମାନ ଗୁଡ଼ିକରେ ୟୁକ୍ରେନରୁ ପଡ଼ୋଶୀ ଦେଶକୁ ଯାଇଥିବା ଭାରତୀୟଙ୍କୁ ଅଣାଯିବ । ରୁଷ ଓ ୟୁକ୍ରେନ ତିକ୍ତତା ଆରମ୍ଭ ହେବା ସମୟରେ ପ୍ରାୟ ୨୦ ହଜାର ଭାରତୀୟ ୟୁକ୍ରେନରେ ରହିଥିଲେ । ସେବେଠାରୁ ଇତି ମଧ୍ୟରେ ପ୍ରାୟ ୧୨ ହଜାର ଲୋକ ସ୍ୱଦେଶ ଆସି ସାରିଛନ୍ତି । ଏହାର ଅର୍ଥ ୟୁକ୍ରେନରେ ରହୁଥିବା ୬୦% ଭାରତୀୟ ନୂଆଦିଲ୍ଲୀକୁ ଫେରିଛନ୍ତି । ବାକି ୪୦% ଭାରତୀୟଙ୍କ ମଧ୍ୟରୁ ଅଧା ଲୋକ ଯୁଦ୍ଧ ଦ୍ୱାରା ଅଧିକ ପ୍ରଭାବିତ ଖାରକିଭ, ସୁମୀ କିମ୍ବା ଅନ୍ୟ ଅଂଚଳରେ ଅଛନ୍ତି । ସେହିପରି ବାକି ଅଧା ଭାରତୀୟ ୟୁକ୍ରେନର ପଶ୍ଚିମ ପ୍ରାନ୍ତ କିମ୍ବା ପଡ଼ୋଶୀ ଦେଶରେ ପହଂଚି ଯାଇଛନ୍ତି ।
