ତୃତୀୟ ବିଶ୍ୱଯୁଦ୍ଧ ପରମାଣୁ ବୋମାରୁ ହେବ : ରୁଷ
ନୂଆଦିଲ୍ଲୀ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି । ଦୁଇ ଦେଶ ମଧ୍ୟରେ ଲଢେଇ ବୁଧବାର ସପ୍ତମ ଦିନରେ ପହଂଚିଛି । ଗତକାଲି ଏୟାର ଷ୍ଟ୍ରାଇକ କରି କିଭରେ ଟିଭି ଟାୱାର ଉଡାଇଥିବା ରୁଷ ଆଜି ବୋମା ବିସ୍ଫୋରଣ ମିଲିଟାରୀ ହସ୍ପିଟାଲ ଉଡାଇ ଦେଇଛି । କିଭରେ ଆଜି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ରୁଷ ସେନା । ଏହି କ୍ରମରେ ଖେରସନ ସହରକୁ ଦଖଲ କରିଛି ରୁଷ । ଅନ୍ୟପଟେ ତୃତୀୟ ବିଶ୍ୱ ଯୁଦ୍ଧ ହେଲେ ପରମାଣୁ ଆକ୍ରମଣ କରିବ ବୋଲି ଧମକ ଦେଇଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ ସେରେଜ ଲାଭରୋଭ ।
ରୁଷର ସେନା ୟୁକ୍ରେନର ରାଜଧାନୀ କିଭ୍ ଉପରେ ଲଗାତାର ବୋମା ଏବଂ ମିସାଇଲ୍ ମାଡ କରି ଚାଲିଛି । ଏହା ବ୍ୟତୀତ ଖେରସନ ସହରକୁ ରୁଷ ସେନା କବଜା କରିଛନ୍ତି । ଏପରିକି ଖାରକିଭ ପର୍ଯ୍ୟନ୍ତ ଏହାର ସେନା ପହଂଚି ଯାଇଛନ୍ତି । ଅପରପକ୍ଷେ ଆଜି ରୁଷ ଏବଂ ୟୁକ୍ରେନ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ହେବାକୁ ଯାଉଛି । ଏଥିରେ କିଛି ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଛି । ଆଜି ସକାଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନିଜ ଭାଷଣରେ କହିଥିଲେ, ରୁଷ ୟୁକ୍ରେନ ଉପରେ ଆକ୍ରମଣ କରି ବହୁତ ବଡ ଭୁଲ୍ କରିଛି ।
