ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଟେଷ୍ଟ, ଟିମ ଇଣ୍ଡିଆର ଜୋରଦାର ପ୍ରସ୍ତୁତି
ଜୋହାନ୍ସବର୍ଗ: ନୂଆ ବର୍ଷର ପ୍ରଥମ ଦିନରେ ଶନିବାର ଭାରତୀୟ କ୍ରିକେଟ ଟିମ ଦ୍ବିତୀୟ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଜାନୁଆରୀ ୩ରୁ ଦ୍ବିତୀୟ ଟେଷ୍ଟ ଜୋହାନ୍ସବର୍ଗରେ ଖେଳାଯିବା ନେଇ ସୂଚୀ ରହିଛି । ସୁପରସ୍ପୋର୍ଟ ପାର୍କରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୧୧୩ରେ ଭାରତ ବିଜୟୀ ହେବାସହ ସିରିଜରେ ୧-୦ରେ ଆଗୁଆ ରହିଛି । ସେଞ୍ଚୁରିଅନରେ ପ୍ରଥମ ଏସୀୟ ଦେଶ ଭାବେ ଟେଷ୍ଟ ମ୍ୟାଚ୍ ଜିତି ବିରାଟ କୋହଲିଙ୍କ ନେତୃତ୍ବାଧୀନ ଟିମ ଇଣ୍ଡିଆ ବର୍ଷ ଟେଷ୍ଟ କ୍ରିକେଟରେ ଏକ ସ୍ମରଣୀୟ ବର୍ଷ ୨୦୨୧ ଶେଷ କରିଥିଲା ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏକ ଭିଡିଓ ପୋଷ୍ଟ କରିଛି, ଯେଉଁଥିରେ ଭାରତୀୟ ଖେଳାଳି ଅଭ୍ୟାସ କରୁଥିବା ନଜର ଆସିଛନ୍ତି । “ଦ୍ବିତୀୟ ଟେଷ୍ଟ ପାଇଁ ୱାଣ୍ଡରର୍ସରେ ପ୍ରସ୍ତୁତି ଚଳାଇଛି ଟିମ ଇଣ୍ଡିଆ, ନୂଆଦିନ, ନୂଆ ବର୍ଷ, ନୂଆ ଆରମ୍ଭ ମାତ୍ର ସମାନ ଫୋକସ ଭିଡିଓର କ୍ୟାପସନ୍ରେ ଏହା ଲେଖିବା ସହ ବିସିସିଆଇ ଭିଡିଓ ସେୟାର କରିଛି । ସିନିୟର ବୋଲର ଇଶାନ୍ତ ଶର୍ମା ବୋଲିଂ କରୁଥିବାବେଳେ କ୍ୟାପଟେନ ବିରାଟ କୋହଲି ବ୍ୟାଟିଂ ଅଭ୍ୟାସ କରିଛନ୍ତି । ଚେତେଶ୍ବର ପୂଜାରାଙ୍କ ସହ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ଆଲୋଚନା ମଧ୍ୟ ଭିଡିଓରେ ରହିଛି ।
ଭାରତୀୟ ଟିମର ଦକ୍ଷିଣ ଆଫ୍ରିକା ଗସ୍ତ ଇତିହାସରେ ୧୯୯୧ ଠାରୁ ୱାଣ୍ଡରର୍ସରେ ଭାରତର ଭଲ ରେକର୍ଡ ରହିଛି । ଏହି ଗ୍ରାଉଣ୍ଡରେ କେବେ ଟେଷ୍ଟ ମ୍ୟାଚ୍ ହାରିନି ଭାରତୀୟ ଟିମ । ଜୋହାନ୍ସବର୍ଗରେ ଖେଳିଥିବା ୫ଟି ଟେଷ୍ଟ ମଧ୍ୟରୁ ଭାରତୀୟ ଟିମ ଦୁଇଥର ବିଜୟୀ ହୋଇଛି ଓ ତିନିଥର ମ୍ୟାଚ୍ ଡ୍ର ରଖିଛି । ଦକ୍ଷିଣ ଆଫ୍ରିକା ଏହି ଗ୍ରାଉଣ୍ଡରେ ୪୮ଟି ମ୍ୟାଚ୍ ଖେଳିଥବାବେଳେ, ୧୮ଟିରେ ବିଜୟ, ୧୩ଟିରେ ପରାସ୍ତ ଓ ୧୧ଟି ମ୍ୟାଚ୍ ଡ୍ର ରଖିଛି ।ବର୍ଷ ୧୯୯୭ରେ ଏହି ଗ୍ରାଉଣ୍ଡରେ ଦ୍ରାବିଡ ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ । ୨୦୦୬ରେ ଏହି ଗ୍ରାଉଣ୍ଡରେ ଭାରତ ପ୍ରଥମ ଥର ଟେଷ୍ଟ ମ୍ୟାଚ୍ ବିଜୟ ହାସଲ କରିଥିଲା । ୨୦୧୮ ଅର୍ଥାତ ଟିମ ଇଣ୍ଡିଆର ଗତଥର ଦକ୍ଷିଣ ଆଫ୍ରିକା ଗସ୍ତରେ ୬୩ ରନ୍ରେ ବିଜୟୀ ହୋଇଥିଲା ଭାରତ ।
