୨୦୨୨ରେ ବ୍ୟସ୍ତବହୁଳ ଭାରତୀୟ କ୍ରିକେଟ ଟିମ! ବର୍ଷ ତମାମ ଖେଳିବାକୁ ଥିବା ମ୍ୟାଚ୍ ସୂଚୀ ଜାଣନ୍ତୁ
ନୂଆଦିଲ୍ଲୀ : ନବବର୍ଷ ୨୦୨୨ରେ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ମିଳିବ ଭରପୂରଣ ମନୋରଞ୍ଜନ । ବର୍ଷ ୨୦୨୨ରେ ଟିମ ଇଣ୍ଡିଆର ବ୍ୟସ୍ତ ବହୁଳ ସୂଚୀ ରହିଛି । ଚଳିତ ବର୍ଷ ଅଷ୍ଟ୍ରେଲିଆ ଟି-୨୦ କ୍ରିକେଟ ବିଶ୍ବକପ ମଧ୍ୟ ଖେଳାଯିବ । ବିଦାୟ ନେଇଥିବା ବର୍ଷ ୨୦୨୧ ଭାରତୀୟ ଟିମ ପାଇଁ ଟେଷ୍ଟ କ୍ରିକେଟ ପ୍ରଦର୍ଶନରେ ଥିଲା ଏକ ସଫଳତମ ଓ ସ୍ବପ୍ନର ବର୍ଷ । ବର୍ଷ ୨୦୨୨ରେ ଟିମ୍ ଇଣ୍ଡିଆର ଖେଳସୂଚୀ ଖୁବ ବ୍ୟସ୍ତ ବହୁଳ ରହିଛି । ଚଳିତ ବର୍ଷ ଭାରତୀୟ ଟିମ ଘରୋଇ ପିଚ୍ରେ ଅଧିକ ମ୍ୟାଚ୍ ଖେଳିବ । ଏହା ସହିତ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଯାଉଛି ଟି-୨୦ ବିଶ୍ୱକପ । ଯାହା ଉପରେ ଭାରତୀୟ କ୍ରିକେଟ ପ୍ରଶଂସକଙ୍କର ବିଶେଷ ନଜର ରହିଛି । କାରଣ ୨୦୧୩ ପରଠାରୁ ଭାରତୀୟ ଟିମ ଗୋଟିଏ ମଧ୍ୟ ଆଇସିସି ଟାଇଟଲ୍ ଜିତି ନାହିଁ । ଭାରତୀୟ ଦଳ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ତେଣୁ ନୂଆ ବର୍ଷ ଆରମ୍ଭରୁ ଜାନୁଆରୀ ୩ ତାରିଖରେ ଜୋହାନ୍ସବର୍ଗରେ ଘରୋଇ ଟିମ୍ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବ । ଏହା ସହିତ ୩ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିବ । ଏହା ପରେ ଘରୋଇ ପିଚ୍ରେ ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ୍ ଖେଳିବ ଭାରତ । ପରେ ଆଇପିଏଲ, ଇଂଲଣ୍ଡ ଗସ୍ତ, ଏସିଆ କପ୍ ଏବଂ ଟି-୨୦ ବିଶ୍ୱକପ ଭଳି ବଡ ଟୁର୍ଣ୍ଣାମେଂଟ ଖେଳିବ ଟିମ୍ ଇଣ୍ଡିଆ ।
ଚଳିତ ବର୍ଷର ଖେଳସୂଚୀ : ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତ ଜାନୁଆରୀ ୩ ତାରିରୁ ୭ ତାରିଖ ଯାଏଁ ଜେହାନ୍ସବର୍ଗରେ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଥିବା ବେଳେ ପରେ ୧୧-୧୫ ତାରିଖ ଯାଏଁ କେପ୍ ଟାଉନ୍ରେ ତୃତୀୟ ଟେଷ୍ଟ ଖେଳିବ । ଜାନୁଆରୀ ୧୯, ୨୧ ଏବଂ ୨୩ ତାରିଖରେ ପାର୍ଲ ଏବଂ କେପ୍ଟାଉନ୍ରେ ଦିନିକିଆ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଫେବୃଆରୀରେ ଭାରତ ଗସ୍ତରେ ଆସିବ ୱେଷ୍ଟଇଣ୍ଡିଜ୍ । ୩ଟିକିଆ ଦିନିକିଆ ଏବଂ ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ ଫେବୃଆରୀ ୬ ତାରିଖରେ ଅହମ୍ମଦାବାଦରେ ଖେଳାଯିବ । ପରେ ୯ ତାରିଖରେ ଏବଂ ୧୨ ତାରିଖରେ କୋଲକାତାରେ ଦିନିକିଆ ମ୍ୟାଚ୍ ଖେଳିବ ଭାରତ । ଟି-୨୦ ସିରିଜ୍ କଥା କହିବାକୁ ଗଲେ ପ୍ରଥମ ମ୍ୟାଚ୍ ଫେବୃଆରୀ ୧୫ ତାରିଖରେ କଟକରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ୧୮ ତାରିଖ ବିଶାଖାପଟ୍ଟନମ୍ ଏବଂ ତୃତୀୟ ମ୍ୟାଚ୍ ଫେବୃଆରୀ ୨୦ ତାରିଖରେ ତ୍ରିବେନ୍ଦ୍ରମ୍ରେ ଖେଳାଯିବ ।
ଶ୍ରୀଲଙ୍କାର ଭାରତ ଗସ୍ତ : ଫେବୃଆରୀ ୨୫ ତାରିଖରେ ଭାରତ ଗସ୍ତରେ ଆସିବ ଶ୍ରୀଲଙ୍କା । ପ୍ରଥମ ଟେଷ୍ଟ ମ୍ୟାଚ ଫେବୃଆରୀ ୨୫ରୁ ମାର୍ଚ୍ଚ ୧ ତାରିଖ ଯାଏଁ ବେଙ୍ଗାଲୁରୁରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଟେଷ୍ଟ ୫-୯ ମାର୍ଚ୍ଚ ମୋହାଲିରେ ଖେଳାଯିବ । ସେହିଭଳି ୩ ଟିକିଆ ଟି-୨୦ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୧୩ ତାରିଖରେ ମୋହାଲିରେ ପ୍ରଥମ ମ୍ୟାଚ୍, ମାର୍ଚ୍ଚ ୧୫ରେ ଧର୍ମାଶାଳାରେ ଦ୍ୱିତୀୟ ମ୍ୟାଚ୍ ଏବଂ ଲକ୍ଷ୍ନୌରେ ମାର୍ଚ୍ଚ ୧୮ ତାରିଖରେ ତୃତୀୟ ଟି-୨୦ ଖେଳାଯିବ ।
ଭାରତରେ ୫ ଟିକିଆ ଟି-୨୦ ଖେଳିବ ଦ.ଆଫ୍ରିକା : ଏପ୍ରିଲ-ମେ ମାସରେ ଆଇପିଏଲ ହେବାର ସମ୍ଭାବନା ରହିଛି । ପରେ ଜୁନ୍ ମାସରେ ଭାରତ ଗସ୍ତରେ ଆସି ୫ଟିକିଆ ଟି-୨୦ ସିରିଜ୍ ଖେଳିବ ଦକ୍ଷିଣ ଆଫ୍ରିକା । ପ୍ରଥମ ମ୍ୟାଚ୍ ଜୁନ୍ ୯ ତାରିଖରେ ଚେନ୍ନାଇରେ ହେବାକୁ ଥିବା ବେଳେ, ୧୨ଜୁନ ବେଙ୍ଗାଲୁରୁରେ ଦ୍ୱିତୀୟ ମ୍ୟାଚ୍, ଜୁନ୍ ୧୪ ତାରିଖରେ ନାଗପୁରରେ ତୃତୀୟ ମ୍ୟାଚ୍, ରାଜକୋଟରେ ୧୭ ତାରିଖରେ ଚତୁର୍ଥ ଏବଂ ପଂଚମ ଟି-୨୦ ୧୯ ଜୁନ୍ରେ ଦିଲ୍ଲୀରେ ଖେଳାଯିବ ।
ଜୁଲାଇରେ ଇଂଲଣ୍ଡ ଗସ୍ତ କରିବ ଭାରତୀୟ ଦଳ : ଇଂଲଣ୍ଡ ଗସ୍ତରେ ଗୋଟିଏ ଟେଷ୍ଟ ଏବଂ ୩ଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ଖେଳିବ ଭାରତିୀୟ ଦଳ । ଜୁଲାଇ ୧-୫ ତାରିଖ ଯାଏଁ ବର୍ମିଂହାମ୍ରେ ଟେଷ୍ଟ ମ୍ୟାଚ୍ ଖେଳାଯିବ । ପରେ ଜୁଲାଇ ୭ ତାରିଖରେ ସାଉଥଅମ୍ପଟନ୍ରେ ପ୍ରଥମ ଟି-୨୦, ବର୍ମିଂହାମ୍ରେ ଜୁଲାଇ ୯ରେ ଦ୍ୱିତୀୟ ଏବଂ ନର୍ଟିଂହାମ୍ରେ ୧୦ ତାରିଖରେ ତୃତୀୟ ଟି-୨୦ ଖେଳିବ ଭାରତ । ସେହିଭଳି ଜୁଲାଇ ୧୨ ଏବଂ ୧୪ ତାରିଖରେ ଲଣ୍ଡନରେ ଦିନିକିଆ ଓ ମଂଚେଷ୍ଟରରେ ଜୁଲାଇ ୧୭ ତାରିଖରେ ଶେଷ ଦିନିକିଆ ଖେଳିବ ଭାରତ ।
ଭାରତର ୱେଷ୍ଟଇଣ୍ଡିଜ୍ ଗସ୍ତ : ଜୁଲାଇରୁ ଅଗଷ୍ଟ ମାସରେ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ ଭାରତୀୟ ଦଳ । ସେଠାରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳିବ ଦଳ । ତେବେ କେଉଁଠାରେ ଏବଂ କେଉଁ ତାରିଖରେ ଖେଳାଯିବ ତାହା ପରବର୍ତୀ ସମୟରେ ଜଣାପଡିବ । ସେପ୍େଟମ୍ବରରେ ଏସିଆ କପ୍ ଖେଳାଯିବ । କେଉଁଠାରେ ଖେଳାଯିବ ତାହା ବର୍ତମାନ ଚୂଡାନ୍ତ ହୋଇନାହିଁ । ପରେ ସେପ୍େଟମ୍ବର-ଅକ୍ଟୋବରରେ ଅଷ୍ଟ୍ରେଲିଆ ଗସ୍ତ କରିବ ଭାରତୀୟ ଦଳ । ସେଠାରେ ୪ଟି ଟେଷ୍ଟ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳିବ । ଅକ୍ଟୋବରରୁ ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବ ଟି-୨୦ ବିଶ୍ୱକପ । କିନ୍ତୁ ବିଶ୍ୱକପ ସେଡ୍ୟୁଲ ପରବର୍ତୀ ସମୟରେ ଚୂଡାନ୍ତ ହେବ । ଶେଷରେ ଭାରତ ଗସ୍ତରେ ଆସିବ ଶ୍ରୀଲଙ୍କା । ଏଠାରେ ୨ଟି ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ ଭ୍ରମଣକାରୀ ଟିମ୍ ।
