ଆଜିଠୁ ଇଣ୍ଡିଆ-ନ୍ୟୁଜିଲାଣ୍ଡ ୨ୟ ଟେଷ୍ଟ! ବିଜୟ ଲକ୍ଷ୍ୟରେ ଦୁଇ ଦଳ, ଦେଖନ୍ତୁ ସମ୍ଭାବ୍ୟ ଏକାଦଶ
ନୂଆଦିଲ୍ଲୀ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଠୁ ଆରମ୍ଭ ହେବାକୁ ଯାଉଛି ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ । ମୁମ୍ବାଇର ୱାଙ୍ଖେଠେ ଷ୍ଟାଡିୟମରେ ହେବ ମୁକାବିଲା । ଭାରତୀୟ ଟେଷ୍ଟ ଟିମରେ ସାମିଲ ହେବେ ବିରାଟ କୋହଲି । ପ୍ରଥମ ମ୍ୟାଚରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା । କୋହଲିଙ୍କ ପ୍ରତ୍ୟାବର୍ତନ ପରେ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍ରେ ପରିବର୍ତନ ହେବ ।
ପ୍ରଥମ ମ୍ୟାଚରେ ଶ୍ରେୟସ ଆୟରଙ୍କୁ କୋହଲିଙ୍କ ପ୍ରତିବଦଳରେ ଟିମରେ ସାମିଲ କରାଯାଇଥିଲା । କିନ୍ତୁ ସେ ପ୍ରଥମ ମ୍ୟାଚରେ ଦମଦାର ଇନିଂସ ଖେଳି ଡେବ୍ୟୁ ମ୍ୟାଚରେ ହିଁ ପ୍ରଥମ ପାଳିରେ ଶତକ ଏବଂ ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ତେବେ ବଡ କଥା ହେଉଛି କୋହଲି ଦଳରେ ସାମିଲ ହେଲେ ପ୍ଲେଇଂ ଇଲେଭେନ୍ରୁ କିଏ ବାଦ ପଡିବେ । ଏ ନେଇ ଟିମ ମ୍ୟାନେଜମେଂଟ ଚିନ୍ତାରେ ପଡିଯାଇଛି । ବିରାଟ କୋହଲି ଫେରିବା ପରେ ଓପନର ମୟଙ୍କ ଅଗ୍ରୱାଲଙ୍କୁ ଦଳରୁ ବାଦ ଦିଆଯାଇପାରେ । ଶୁଭମାନ ଗିଲଙ୍କ ସହ ଚେତେଶ୍ୱର ପୁଜାରା ଇନିଂସ ଓପନ୍ କରିପାରନ୍ତି । ତୃତୀୟ ନମ୍ବରରେ ବ୍ୟାଟିଂ ପାଇଁ ଆସିପାରନ୍ତି ଅଧିନାୟକ ବିରାଟ କୋହଲି । ଚତୁର୍ଥରେ ଅଜିଙ୍କ୍ୟ ରାହାଣେ ଏବଂ ୫ମରେ ବ୍ୟାଟିଂ କରିପାରନ୍ତି ଶ୍ରେୟସ ଆୟର । ଅନ୍ୟପଟେ ଆହତ ସମସ୍ୟା ଦେଇ ଗତି କରୁଥିବା ରିଦ୍ଧିମାନ ଶାହା ଏବେ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି । ସେ ନଂ ୬ରେ ବ୍ୟାଟିଂ କରିପାରନ୍ତି । ୭ମରେ ରବୀନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳିପାରେ । ଜାଡେଜା ଏବଂ ଅଶ୍ୱିନ ପ୍ଲେଇଂ ଇଲେଭେନ୍ରେ ସାମିଲ ହେବା ସ୍ପଷ୍ଟ । ସେପଟେ ଅକ୍ଷର ପଟେଲ ପ୍ରଥମ ମ୍ୟାଚରେ ଜଲୱା ଦେଖାଇଛନ୍ତି । ତେଣୁ ସେ ମଧ୍ୟ ଚୂଡାନ୍ତ ଏକାଦଶରେ ସାମିଲ ହେବା ଆପାତତ୍ ସ୍ପଷ୍ଟ । ଦ୍ରୁତ ବୋଲର ଭାବେ ଉମେଶ ଯାଦବ, ଇଶାନ୍ତ ଶର୍ମାଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ । ଅବଶ୍ୟ ପ୍ରଥମ ମ୍ୟାଚରେ ଇଶାନ୍ତଙ୍କୁ ୱିକେଟ ମିଳିନଥିଲା । ତଥାପି ଅଭିଜ୍ଞତା ଦୃଷ୍ଟିରେ ସେ ଦଳରେ ରହିପାରନ୍ତି ।
ଦ୍ୱିତୀୟ ଟେଷ୍ଟରେ କୋହଲି କାହାକୁ ଡ୍ରପ୍ କରିବେ, ତାକୁ ନେଇ ସିଧାସଳଖ କିଛି କହିନାହାନ୍ତି । କୋହଲି କହିଛନ୍ତି, ‘ପିଚ୍ ପାଇଁ କେଉଁ କମ୍ବିନେଶନ୍ ଠିକ୍ ହେବ, ତାକୁ ଆଧାର କରି ଏକାଦଶ ଚୟନ କରାଯିବ । ଏଭଳି ସ୍ଥିତିରେ ଯେଉଁ ଖେଳାଳି ବାହାରେ ବସିବେ, ତାଙ୍କ ସହ ସିଧାସଳଖ କଥା ହେବା ଦରକାର ।’ ଯଦି ପ୍ରଦର୍ଶନକୁ ଆଧାର କରାଯିବ, ତାହେଲେ ରାହାଣେ, ପୂଜାରା ଓ ମୟଙ୍କ ଅଗ୍ରୱାଲଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ପଡ଼ିବ । ଗତ ୧୨ ମାସ ଧରି ପୂଜାରା ଓ ରାହାଣେଙ୍କ ପ୍ରଦର୍ଶନ ଫିକା ରହିଛି । ହେଲେ ଭାଇସ୍-କ୍ୟାପଟେନ୍ ରାହାଣେ ଓ ଅଭିଜ୍ଞ ପୂଜାରାଙ୍କ ଦକ୍ଷତା ଉପରେ କୋଚ୍ ରାହୁଲ୍ ଦ୍ରାବିଡଙ୍କର ଭରସା କାଏମ ରହିଛି । କାନପୁର ଟେଷ୍ଟରେ ପଦାର୍ପଣ କରିଥିବା ଶ୍ରେୟସ ଆୟର୍ ଦମଦାର ପ୍ରଦର୍ଶନ କରି ଉଭୟ ଇନିଂସରେ ଯଥାକ୍ରମେ ଶତକ ଓ ଅର୍ଦ୍ଧଶତକ ମାରିଥିଲେ । ନିଜର ଏହି ପ୍ରଦର୍ଶନ ପାଇଁ ଆୟରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ତେଣୁ ଆୟରଙ୍କୁ କୋହଲି କୌଣସି ପରିସ୍ଥିତିରେ ବାଦ୍ କରିପାରିବେ ନାହିଁ । ଯଦିଓ ରାହାଣେ ଟିମର ଭାଇସ୍-କ୍ୟାପଟେନ୍ ଅଛନ୍ତି, ତେଣୁ ତାଙ୍କୁ ଆଉ ଏକ ସୁଯୋଗ ମିଳିପାରେ । ଯଦି ରାହାଣେ ଖେଳନ୍ତି, ତାହେଲେ ପୂଜାରା କିମ୍ବା ମୟଙ୍କ ମଧ୍ୟରୁ ଜଣଙ୍କୁ ହଟିବାକୁ ପଡ଼ିବ । ଯଦି ମୟଙ୍କଙ୍କୁ ବାଦ୍ ଦିଆଯାଏ, ତାହେଲେ ତାଙ୍କ ବଦଳରେ କିଏ ଓପନ୍ କରିବ, ତାହା ମଧ୍ୟ ବଡ଼ ପ୍ରଶ୍ନ । ତେବେ ଏସବୁ ପ୍ରଶ୍ନର ଜବାବ ଆସନ୍ତାକାଲି ମ୍ୟାଚ୍ ପୂର୍ବରୁ ସ୍ପଷ୍ଟ ହୋଇଯିବ ।
ସମ୍ଭାବ୍ୟ ଭାରତୀୟ ଦଳ : ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି (କ୍ୟାପଟେନ), ଶ୍ରେୟସ ଆୟର, ଅଜିଙ୍କ୍ୟ ରାହାଣେ, ରିଦ୍ଧିମାନ ଶାହା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ୍ତ ଶର୍ମା ଏବଂ ଉମେଶ ଯାଦବ ।
ସମ୍ଭାବ୍ୟ ନ୍ୟୁଜିଲ୍ୟାଣ୍ଡ ଦଳ : ଟମ ଲାଥମ, ୟଂଗ ବିଲ,କେନ ୱିଲିୟମସନ, ରସ ଟେଲର, ଡାୟଲ ମିଚେଲ, ଗ୍ଲେନ ଫିଲିପ୍ସ, ଆର ରବିନ୍ଦ୍ର, ଟିମ ସାଉଦି, ଆଯାଜ ପଟେଲ,କାଇଲ ଯେମିସନ, ନେଲ ୱାଗନର।
