ଦ୍ଵିତୀୟ ଅଭ୍ୟାସ ମ୍ୟାଚ୍ରେ ହାରିଲା ଭାରତ
ନୂଆଦିଲ୍ଲୀ : ଟି-୨୦ ବିଶ୍ୱ କପ୍ ପୂର୍ବରୁ ଖେଳା ଯାଇଥିବା ୨ୟ ଅଭ୍ୟାସ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଭାରତ ୧୬୯ ରନ୍ର ଲକ୍ଷ୍ୟ ହାସଲ କରିପାରି ନାହିଁ । ଭାରତ ୨୦ ଓଭରରେ ୮ୱିକେଟ୍ ହରାଇ ୧୩୨ରନ୍ କରିପାରି ଥିଲା । ୱେଷ୍ଟର୍ଣ୍ଣ ଅଷ୍ଟେଲିଆ ୩୬ରନ୍ରେ ମ୍ୟାଚ୍ ନିଜ ନାମରେ କରି ପାରିଛି ।
ପ୍ରଥମେ ବ୍ୟାଟିଂ କରି ୧୬୯ ରନର ଟାର୍ଗେଟ ଦେଇଥିଲା ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ । ତେବେ ରାହୁଲଙ୍କ ନେତୃତ୍ୱରେ ଦଳ ଏହାକୁ ହାସଲ କରିପାରିନି । ଟାର୍ଗେଟକୁ ପିଛା କରି ଦଳ ପାଇଁ ପାଳି ଆରମ୍ଭ କରିଥିଲେ ରାହୁଲ ଏବଂ ଋଷଭ ପନ୍ତ । କିନ୍ତୁ ଏହି ଓପନିଂ ଯୋଡି ବିଶେଷ ସଫଳ ହୋଇନଥିଲା । ମାତ୍ର ୪ ଓଭରରେ ଦଳ ୧୮ ରନ କରିଥିବା ବେଳେ ପନ୍ତ ପାଭିଲିୟନ ଫେରିଥିଲେ । ଏହାପରେ ୩ ନମ୍ବରରେ ଦୀପକ ହୁଡ୍ଡା ଫେଲ ମାରିବା ସହିତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ବିଶେଷ କମାଲ କରି ନାହାନ୍ତି । ଫଳରେ ୧୦ ଓଭରରେ ଦଳକୁ ୧୦୯ ରନର ଆବଶ୍ୟକ ରହିଥିଲା । ଏହାପରେ କେ.ଏଲ ରାହୁଲଙ୍କ ବ୍ୟାଟରୁ ବଡ ଶଟ ଦେଖିବାକୁ ମିଳିଥିଲେ ବି ଦଳକୁ ବିଜୟୀ କରି ପାରିନାହାନ୍ତି । ୪୩ ବଲରୁ ୮ଟି ଚୌକା ସହ ଅର୍ଦ୍ଧଶତକ ପୂରଣ କରିଥିଲେ । କିନ୍ତୁ ଦଳର ଅନ୍ୟ ଖେଳାଳିମାନଙ୍କ ସହଯୋଗ ନ ମିଳିବାରୁ ଦଳ ପରାଜୟର ସାମନା କରିଛି । ତେବେ ଅନ୍ୟ ପକ୍ଷରେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ପକ୍ଷରୁ ହବସନ ଏବଂ ଡି ଅର୍କି ଶର୍ଟ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ହବସନ ୪୧ ବଲରୁ ୬୪ ଏବଂ ଅର୍କି ଶର୍ଟ ୩୮ ବଲରୁ ୫୨ ରନର ପାଳି ଖେଳି ଦଳକୁ ଏକ ବଡ ସ୍କୋରରେ ପହଞ୍ଚାଇଥିଲେ । ଯାହା ଭାରତ ପାଇଁ କାଳ ପାଲଟିଛି । ତେବେ ଭାରତ ପକ୍ଷରୁ ଅଶ୍ୱିନ ୩ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ୨ ଏବଂ ଅର୍ଶଦୀପ ସିଂହ ଗୋଟିଏ ସଫଳତା ହାସଲ କରିଛନ୍ତି ।
ସୂଚନା ଯେ, ଏହି ମ୍ୟାଚରେ ଟିମ ଇଣ୍ଡିଆରେ କିଛି ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏପରିକି ଦଳର ଅଧିନାୟକ ମଧ୍ୟ ବଦଳି ଯାଇଛନ୍ତି । କିନ୍ତୁ ଫଳ ଭାରତ ବିପକ୍ଷରେ ଯାଇଛି । ଅଧିନାୟକ ରୋହିତ ଶର୍ମା ଦଳରେ ଥାଇ ମଧ୍ୟ କେ.ଏଲ ରାହୁଲ ନେତୃତ୍ୱ ନେଇଥିଲେ ଏବଂ ଜଣେ ପ୍ଲେୟର ଭାବେ ଖେଳିଛନ୍ତି ରୋହିତ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
