ଭାରତ-ଇଜିପ୍ଟ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ; ସେନା କର୍ମଚାରୀଙ୍କ ଆଦାନ ପ୍ରଦାନ ପାଇଁ ସହମତି
ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୧୯ ତାରିଖରେ କାଇରୋରେ ଇଜିପ୍ଟର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ମହମ୍ମଦ ଜାକିଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ଶ୍ରୀ ରାଜନାଥ ସିଂ ବର୍ତ୍ତମାନ ଇଜିପ୍ଟ ଗସ୍ତରେ ରହିଛନ୍ତି । ତାଙ୍କୁ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହେବା ପୂର୍ବରୁ କାଇରୋ ସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟରେ ସେରିମୋନିଆଲ୍ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଛି । ବୈଠକ ସମୟରେ ଉଭୟ ପକ୍ଷ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ୍ କରିବା ଦିଗରେ ମିଳିତ ସୈନ୍ୟାଭ୍ୟାସ ବଢ଼ାଇବା ଏବଂ ପ୍ରଶିକ୍ଷଣ, ବିଶେଷ କରି ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ସୈନ୍ୟକର୍ମୀମାନଙ୍କର ଆଦାନ ପ୍ରଦାନ ଉପରେ ସହମତି ପ୍ରକାଶ କରିଛନ୍ତି ।
ଉଭୟ ମନ୍ତ୍ରୀ ଭାରତ ଏବଂ ଇଜିପ୍ଟର ରକ୍ଷା ଉଦ୍ୟୋଗ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ଅବଧିରେ ସହଯୋଗ ବଢ଼ାଇବା ପାଇଁ ପ୍ରସ୍ତାବ ଉପରେ ଧ୍ୟାନ ପ୍ରଦାନ କରିବା ଉପରେ ସହମତି ପ୍ରଦାନ କରିଛନ୍ତି । ସେମାନେ କ୍ଷେତ୍ରୀୟ ସୁରକ୍ଷା ଉପରେ ବିଚାରର ଆଦାନ ପ୍ରଦାନ କରିଛନ୍ତି ତଥା ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାରେ ଭାରତ ତଥା ଇଜିପ୍ଟର ଯୋଗାଦାନକୁ ରେଖାଙ୍କିତ କରିଛନ୍ତି । ଉଭୟ ପକ୍ଷ ଏହି ବିଷୟ ଉପରେ ଖୁସି ପ୍ରକାଶ କରିଛନ୍ତି ଯେ କୋଭିଡ୍ ୧୯ ମହାମାରୀ ସତ୍ତ୍ୱେ ଗତ ବର୍ଷ ସମୟରେ ଉଭୟ ଦେଶ ମଧ୍ୟରେ ରକ୍ଷା କାର୍ଯ୍ୟକାରୀତା ଓ ଆଦାନ-ପ୍ରଦାନର ଗତି ତୀବ୍ର ରହିଛି ।
ଇଜିପ୍ଟର ରାଷ୍ଟ୍ରପତି ଶ୍ରୀଆବଦେଲ୍ ଫତାହ-ଅଲ୍ –ସିସି ଙ୍କ ସହିତ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ସାକ୍ଷାତ ପରେ ଉଭୟ ରକ୍ଷା ମନ୍ତ୍ରୀ ଦ୍ୱିପାକ୍ଷୀୟ ସହଯୋଗ ବିଷୟରେ ସୁରକ୍ଷା ଏବଂ ରକ୍ଷା ପକ୍ଷର ବୃଦ୍ଧି ଉପରେ ସହମତି ବ୍ୟକ୍ତ କରିଛନ୍ତି । ଉଭୟ ରକ୍ଷା ମନ୍ତ୍ରୀ ରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା ରାଜିନାମା ଉପରେ ସ୍ୱାକ୍ଷର କରିଛନ୍ତି । ଏହି ବୁଝାମଣା ରାଜିନାମା ପାରସ୍ପରିକ ହିତର ସମସ୍ତ କ୍ଷେତ୍ରରେ ରକ୍ଷା ସହଯୋଗ ବଢ଼ାଇବାର ମାର୍ଗକୁ ପ୍ରଶସ୍ତ କରିବ । ଶ୍ରୀ ରାଜନାଥ ସିଂ ଭାରତ-ଆଫ୍ରିକା ରକ୍ଷା ସମ୍ବାଦ ଏବଂ ଆଇଓଆର ରକ୍ଷା ମନ୍ତ୍ରୀମାନଙ୍କର ସମ୍ମିଳନୀରେ ଭାଗ ନେବା ପାଇଁ ଇଜିପ୍ଟ ସମକକ୍ଷଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି । ଏହି କାର୍ଯ୍ୟକ୍ରମ ୧୨ଶ ଡେଫ୍ ଏକ୍ସପୋର ଭାଗ ରୂପେ ଗୁଜରାଟର ଗାନ୍ଧୀନଗରରେ ୧୮-୨୨ ଅକ୍ଟୋବର ମଧ୍ୟରେ ଆୟୋଜିତ ହେବ । ଦିନ ବ୍ୟାପି ନିଜର କାର୍ଯ୍ୟକ୍ରମ ସମୟରେ ରକ୍ଷା ମନ୍ତ୍ରୀ କାଇରୋରେ ଅଜ୍ଞାତ ସୈନ୍ୟ ସ୍ମାରକ ଏବଂ କାଇରୋର ପୂର୍ବ ରାଷ୍ଟ୍ରପତି ଅନୱର-ଅଲ-ସାଦାତ୍ ଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।
