ଆଧାର-ପ୍ୟାନ୍ କାର୍ଡ ଲିଙ୍କ୍ କରିବାକୁ ନେଇ ବଡ଼ ଖବର ଦେଲା ଆୟକର ବିଭାଗ, ଜାଣନ୍ତୁ କ’ଣ?
ନୂଆଦିଲ୍ଲୀ : ଆଧାର-ପ୍ୟାନ୍ କାର୍ଡ ଲିଙ୍କ୍ କରିବାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛି ଆୟକର ବିଭାଗ। ଡିସେମ୍ବର ୨୪ ତାରିଖ ଶନିବାର ବିଭାଗ ପକ୍ଷରୁ ଏରକ ପରାମର୍ଶ ଜାରି କରାଯାଇ କୁହାଯାଇଛି ଯଦି ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଆଧାର-ପ୍ୟାନ୍ କାର୍ଡ ଲିଙ୍କ୍ ନ ହୁଏ ତାହେଲେ ପ୍ୟାନକାର୍ଡ ନିଷ୍କ୍ରିୟ ଘୋଷିତ କରାଯିବ।
ଆୟକର ବିଭାଗ ପକ୍ଷରୁ ଜାରି ହୋଇଥିବା ପରାମର୍ଶ ଅନୁଯାୟୀ, ସମସ୍ତ ପ୍ୟାନ୍ କାର୍ଡ ଧାରକଙ୍କ ପାଇଁ ୩୧ ମାର୍ଚ୍ଚ ୨୦୨୩ ପୂର୍ବରୁ ଆଧାର କାର୍ଡ ସହିତ ପ୍ୟାନ କାର୍ଡ ଲିଙ୍କ୍ କରିବା ବାଧ୍ୟତାମୂଳକ। ଆୟକର ଅଧିନିୟମ ୧୬୬୧ ଅନୁଯାୟୀ ଛାଡ ବର୍ଗରେ ଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ ସମସ୍ତ କାର୍ଡ ଧାରକ ଆଧାର-ପ୍ୟାନ୍ ଲିଙ୍କ୍ କରାଇବା ବାଧ୍ୟତାମୂଳକ। ଆଧାର ସହିତ ଲିଙ୍କ୍ ହୋଇନଥିବା ପାନ୍ କାର୍ଡ ଆସନ୍ତାବର୍ଷ ଅପ୍ରେଲ୍ ପହିଲାରୁ ନିଷ୍କ୍ରିୟ ହୋଇଯିବ।
ଯଥାଶୀଘ୍ର ଆଧାର କାର୍ଡ ସହିତ ପାନ୍ କାର୍ଡ ଲିଙ୍କ୍ କରିବାକୁ କରଦାତାଙ୍କୁ ପରାମର୍ଶ ଦେଇଛି ଆୟକର ବିଭାଗ। ଏନେଇ ବିଭାଗ ପକ୍ଷରୁ କୁହାଯାଇଛି, ଯାହା ବାଧ୍ୟତାମୂଳକ ତାହା କରିବା ଜରୁରୀ। ବିଳମ୍ବ କରନ୍ତୁ ନାହିଁ, ଯଥାସମ୍ଭବ ପ୍ୟାନ-ଆଧାର ଲିଙ୍କ କରନ୍ତୁ। ଗତ ୨୦୧୭ ମେ ମାସରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଆସାମ, ଜାମୁ କାଶ୍ମୀର ଏବଂ ମେଘାଳୟ ଆଦି ରାଜ୍ୟର ବାସିନ୍ଦାଙ୍କୁ ପ୍ୟାନ-ଆଧାର ଲିଙ୍କ କରିବାରୁ ବାଦ ଦିଆଯାଇଛି। ଏହା ବ୍ୟତୀତ ଅଣ-ବାସିନ୍ଦା ଭାରତୀୟ ଏବଂ ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ମଧ୍ୟ ଏହି ବର୍ଗରେ ଅନ୍ତର୍ଭୂକ୍ତ ଅଛନ୍ତି। ଅର୍ଥାତ ସେମାନଙ୍କୁ ମଧ୍ୟ ପ୍ୟାନ-ଆଧାର ଲିଙ୍କ କରିବାରୁ ବାଦ ଦିଆଯାଇଛି।
ଗତ ୩୦ ମାର୍ଚ୍ଚରେ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମାରେ କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ ପକ୍ଷରୁ କୁହାଯାଇଥିଲା ପାନ୍ କାର୍ଡ ଥରେ ଅଚଳ ହୋଇଯିବା ପରେ ଆୟକର ଅଧିନିୟମ ଅନୁଯାୟୀ ଜଣେ ବ୍ୟକ୍ତି ସମସ୍ତ ପରିଣାମ ପାଇଁ ଦାୟୀ ରହିବେ। ତାଙ୍କୁ ଏକାଧିକ ପରିଣାମର ସାମ୍ନା କରିବାକୁ ପଡ଼ିପାରେ।
ଏହି ନିର୍ଦ୍ଦେଶ ଅନୁଯାୟୀ ନିଷ୍କ୍ରିୟ ହୋଇଯାଇଥିବା ପ୍ୟାନ କାର୍ଡ ବ୍ୟବହାର କରି ଆୟକର ରିଟର୍ଣ୍ଣ ଦାଖଲ କରାଯାଇ ପାରିବ ନାହିଁ। ବିଚାରାଧୀନ ମାମଲା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ। ନିଷ୍କ୍ରିୟ ପ୍ୟାନକାର୍ଡ ବ୍ୟବହାର କରି ବିଚାରାଧୀନ ମାମଲାରେ ଧନରାଶି ଫେରସ୍ତ କରାଯାଇ ପାରିବ ନାହିଁ କିମ୍ବା ତ୍ରୁଟିପୂର୍ଣ୍ଣ ରିଟର୍ଣ୍ଣ ସଂଶୋଧନ କରାଯାଇ ପାରିବ ନାହିଁ। ଅଧିକ ହାରରେ ଟିକସ ଆଦାୟ କରାଯିବ। ଏପରିକି କରଦାତା ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ମଞ୍ଚରେ ଅସୁବିଧାର ସାମ୍ନା କରିପାରନ୍ତି।
