ଜଣ୍ଟିଲୋରେ ଦିନ ଦ୍ୱିପ୍ରହରେ ଚୋରୀ କରୁଥିବା ଚୋରକୁ କାବୁ କଲେ ଗ୍ରାମବାସୀ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସଦର ଥାନା ଅଧିନ ଜଣ୍ଟିଲୋ ଗାଁରେ ମଙ୍ଗଳବାର ଦିନ ଦ୍ୱିପ୍ରହରେ ଚୋରୀ ହେଉଥିବା ବେଳେ ଘର ମାଲିକ ଓ ଗ୍ରାମାବସୀ ମାନେ ଚୋରକୁ କାବୁ କରି ଗଛରେ ବାନ୍ଧି ପକାଇଥିବା ଜଣାପଡିଛି । ସେହି ଗାଁର ଅବସର ପ୍ରଜ୍ଞାପ୍ତ କର୍ମଚାରୀ ମଳୟ ରଞ୍ଜନ ବାରିକ ପୂର୍ବାହ୍ନରେ ଘରେ ତାଲା ପକାଇ ଗାଁ ଭିତରେ ଥିବା ଅନ୍ୟ ଏକ ଘରକୁ ଯାଇଥିଲେ । ଗାଁ ଭିତରୁ ଫେରି ତାଙ୍କ ଘର ଗ୍ରିଲର ତାଲା ଭଙ୍ଗା ଯାଇଥିବା ଓ ୨ଜଣ ଯୁବକ କିଛି ଜିନିଷ ଧରି ବାହାରୁ ଥିବା ଦେଖି ପାଟି କରିବା ସହ ଜଣକୁ ମାଡି ବସିଥିଲେ । ଅନ୍ୟ ଜଣେ ଦୈାଡି ପଳାଇ ରାସ୍ତା ଉପରେ ଅପେକ୍ଷା କରିଥିବା ଏକ କାରରେ ପଳାଇ ଯାଇଥିଲା । ପାଟିଶୁଣି ଗାଁ ଲୋକମାନେ ସଂପୃକ୍ତ ଚୋରକୁ କାବୁ କରି ଏକ ନଡିଆ ଗଛରେ ବାନ୍ଧି ପକାଇଥିଲେ । ଘର ଲୋକଙ୍କ ସୁଚନା ଅନୁଯାଇ ତାଙ୍କର ସିସି କ୍ୟାମେରା, ହାଡଡିସ୍କ, କିଛି ଟଙ୍କା ଓ ସୁନା ଗହଣା ଚୋରି ହୋଇ ଯାଇଥିବା ଜଣାପଡିଛି । ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଁଚି ଚୋରକୁ ନିଜ ହେପାଜତରେ ନେଇଥିବା ସୂଚନା ମିଳିଛି ।
