ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ କେନ୍ଦୁଝରର ଗୁରୁତ୍ୱପୂର୍ଣ୍ଣ ବୈଠକ : ସ୍ଥାୟୀ ଚାକିରି ପାଇଁ ଆନ୍ଦୋଳନ କରିବାକୁ ନିଷ୍ପତି
କେନ୍ଦୁଝର : ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘ, କେନ୍ଦୁଝର ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ତା ୦୭.୧୧.୨୦୨୨ରିଖ ସୋମବାର ଦିନ ଅପରାହ୍ନ ୩ ଘଟିକାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡି.ଟି.ୟୁ. ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମହାସଂଘର ସଦସ୍ୟ ରବିନ୍ଦ୍ର କୁମାର ଜେନା ଏଥିରେ ଯୋଗଦେଇ ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍.ଏଚ୍.ଏମ୍.) ଅଧୀନରେ ଦୀର୍ଘ ୧୬ ବର୍ଷ ଧରି ଠିକା କର୍ମଚାରୀ ଭାବେ କାର୍ଯ୍ୟ କରିବା ପରେ ବି ସ୍ଥାୟୀ ନିଯୁକ୍ତି ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆ ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଥିଲେ । ଚାକିରୀର ସ୍ଥାୟୀ ପାଇଁ ମହାସଂଘ ପକ୍ଷରୁ ବିଭିନ୍ନ ସମୟରେ ସରକାରଙ୍କଠାରେ ଦାବି ଉପସ୍ଥାପନ କରାଯାଇଛି । ମାତ୍ର ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ । ଏହି ପରିପ୍ରେକ୍ଷୀରେ ଆସନ୍ତା ନଭେମ୍ବର ମାସ ୨୧ ତାରିଖ ସୁଦ୍ଧା ସରକାର ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘର କର୍ମଚାରୀମାନଙ୍କୁ ସ୍ଥାୟୀ ନକଲେ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ପାଇଁ ଆଜିର ଏହି ବୈଠକରେ ନିଷ୍ପତି ନିଆଯାଇଛି । ପ୍ରତିବାଦ ସାଙ୍ଗକୁ କାର୍ଯ୍ୟବନ୍ଦ କରିବାକୁ ସଂଘ ପଛାଇବ ନାହିଁ ବୋଲି କର୍ମକର୍ତାମାନେ ସୂଚନା ଦେଇଛନ୍ତି । ଏହି ସଂଘରେ ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଏନ୍.ଏଚ୍.ଏମ୍.ର ସମସ୍ତ ଠିକା କର୍ମଚାରୀ (ଓ.ଏସ୍.ଏମ୍.ପି.କେ.ଏସ୍., ଆୟୁଷ ଡାକ୍ତର ସଂଘ, ଆର୍ବିଏସ୍କେ ଆୟୁଷ ଡାକ୍ତର ସଂଘ, ଆର୍ବିଏସ୍କେ ପାରାମେଡିକାଲ୍ ସଂଘ, ଏମ୍.ଏଚ୍.ୟୁ ଆୟୂଷ ଡାକ୍ତର ସଂଘ, ଏମ୍.ଏଚ.ୟୁ ପାରାମେଡିକାଲ୍ ସଂଘ, ମେଡିକାଲ୍ ପ୍ରଫେସନାଲ୍ ଏବଂ ଆଲାଏଡ୍ ମେଡିକାଲ୍ ପ୍ରଫେସନାଲ୍ ଉଙ୍ଗ୍, ଓଡିଶା ରାଜ୍ୟ ଏଡ୍ସ୍ ନିୟନ୍ତ୍ରଣ କର୍ମଚାରୀ ସଂଘ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ବିଭାଗର ଠିକା ନିଯୁକ୍ତି କର୍ମଚାରୀ) ଅଛନ୍ତି । ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ସେମାନେ କହିଛନ୍ତି । ଏହି ବୈଠକରେ ଏନ୍.ଏଚ୍.ଏମ୍.ର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ନିତ୍ୟରଞ୍ଜନ ବରାଳ, ଡାକ୍ତର ଜ୍ୟୋତିରଞ୍ଜନ ରାଉତ, ଡାକ୍ତର ପ୍ରଣବ ପ୍ରକାଶ ଶର୍ମା, ଡାକ୍ତର ଚିନ୍ମୟ ବିଶୋଇ, ଦିପକ କୁମାର ନାୟକଙ୍କ ସେମତ କେନ୍ଦୁଝର ଜିଲ୍ଲା ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ସଂଘର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
