ବାଇକକୁ ଧକ୍କା ଦେଇ ଦେଢ଼ କିଲୋମିଟର ରାସ୍ତା ଘୋଷାରି ନେଲା ଟ୍ରକ, ଜଣେ ମୃତ
କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ରାଇସୁଆଁ ଜିଟି ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା ।ବାଇକ୍ କୁ ପଛପଟୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନାହିଁ।
ସୂଚନା ଯେ, କେନ୍ଦୁଝରପଟୁ ରାଇସୁଆଁ ଅଭିମୁଖେ ଏକ ବାଇକରେ ଜଣେ ବ୍ୟକ୍ତି ଯାଉଥିଲେ। ତେବେ ଜିଟି ପେଟ୍ରୋଲ ପମ୍ପ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ବାଇକ୍ ସହିତ ଟ୍ରକ ସମ୍ମୁଖ ଭାଗରେ ଲାଖି ରହିଯାଇଥିଲେ। ଟ୍ରକ ଡ୍ରାଇଭର ଗାଡ଼ି ନ ଅଟକାଇ ଆଗକୁ ଚଳାଇଥିଲେ। ଟ୍ରକରେ ବାଇକ୍ ସହିତ ଲୋକ ଜଣଙ୍କୁ ମଧ୍ୟ ପାଖାପାଖି ଦେଢ଼ କିଲୋମିଟର ରାସ୍ତା ଘୋଷାରି ନେଇ ଥାନା ନିକଟରେ ଗାଡ଼ି ଅଟକାଇଥିଲେ। ଫଳରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଟ୍ରକ ଡ୍ରାଇଭର ଭୟରେ ଥାନା ଭିତରକୁ ଧାଇଁ ଚାଲିଯାଇଥିଲେ। ପୋଲିସ ମୃତଦେହ ସହିତ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି।
