ସୋନ ନଦୀରୁ ବେଆଇନ ବାଲି ଉଠାଣ; ଜିଲାପାଳଙ୍କ ଠାରେ ଫେରାଦ ହେଲେ ଜଗନ୍ନାଥପୁର ଗ୍ରାମବାସୀ
ବାଲେଶ୍ୱର : ବାଲେଶ୍ୱର ଜିଲା ରେମୁଣା ତହସିଲ ଅନ୍ତର୍ଗତ ମନ୍ଦାରପୁର, ଗନିପୁର ତଥା ଜଗନ୍ନାଥପୁର ପାଶ୍ୱର୍ ଦେଇ ଯାଇଥିବା ସୋନ ନଦୀରୁ ବେଆଇନ ବାଲି ଉଠାଣକୁ ଦୃଢ଼ ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳ ବାସିନ୍ଦା । ବେଆଇନ ବାଲି ଉତ୍ତୋଳନ ରୋକିବା ଦାବିରେ ଗ୍ରାମବାସୀମାନେ ଶୁକ୍ରବାର ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି । ସେମାନଙ୍କ ଆପତ୍ତି ଅନୁସାରେ ଗ୍ରାମବାସୀଙ୍କ ପ୍ରତିବାଦ ସତ୍ୱେ ସେହି ଅଞ୍ଚଳର କିଛି ଅସାମାଜିକ ବ୍ୟକ୍ତି ରାତିଦିନ ନଦୀରୁ ଜୋର ଜବରଦସ୍ତ ବାଲି ଉଠାଇ ଚାଲିଛନ୍ତି । ବଡ଼ ବଡ଼ ଗାଡ଼ିରେ ବାଲି ବୋଝେଇ କରି ନେବା ଫଳରେ ଗାଁ ରାସ୍ତା ନଷ୍ଟ ହେଉଥିବା ବେଳେ ବାଲି ଉଠାଣ ଯୋଗୁଁ ନଦୀରେ ସୃଷ୍ଟି ହେଉଥିବା ଗଣ୍ଡ ମଧ୍ୟ ଜନସାଧାରଣ ଓ ଗୃହପାଳିତ ପଶୁଙ୍କ ପାଇଁ ବିପଦର କାରଣ ହୋଇଛି ବୋଲି ଗ୍ରାମବାସୀମାନେ କହିଛନ୍ତି । ଗଣ୍ଡ ସୃଷ୍ଟି ହେବା ଫଳରେ ଆସନ୍ତା ବର୍ଷାଋତୁର ବନ୍ୟା ବେଳେ ସେହି ପାଶ୍ୱର୍ର ପାଳଜମି ନଦୀରେ ଲୀନ ହେଇଯିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଏମିତି ହେଲେ ନଦୀ ପାଶ୍ୱର୍ରେ ଥିବା ପାଳଜମିକୁ ଚାଷକରି ପରିବାର ପୋଷୁଥିବା ଶହ ଶହ ଚାଷୀ ଶେଷରେ ଦାଦନ ଖଟିବାକୁ ଯିବେ ବୋଲି ଗ୍ରାମବାସୀ କହିଛନ୍ତି ।
ଉଲ୍ଲେଖନୀୟ ବିଷୟ ଯେ ଏହାକୁ ପ୍ରତିବାଦ କରୁଥିବା ଗ୍ରାମବାସୀଙ୍କୁ ବାଲି ଉତ୍ତୋଳନକାରୀ ବ୍ୟକ୍ତିମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି । ତୁରନ୍ତ ଏ ବାବଦରେ ଉଚିତ୍ ପଦକ୍ଷେପ ନେବାକୁ ସେମାନେ ଅତିିରିକ୍ତ ଜିଲାପାଳଙ୍କୁ ନିବେଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ହରେକୃଷ୍ଣ ପ୍ରଧାନ ଜୟଶ୍ରୀ ପ୍ରଧାନ, ଭଗବାନ ଲେଙ୍କା, ବିଜୟ କୁମାର ମହାନ୍ତି, ପ୍ରଭାକର ମହାନ୍ତି ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
