ବାଲେଶ୍ୱର ଜିଲାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଚେତନତା ଯାତ୍ରା
ବାଲେଶ୍ୱର : ବାଲେଶ୍ୱର ଜିଲାବାସୀଙ୍କ ଉନ୍ନତ ଓ ଆବଶ୍ୟକୀୟ ସରକାରୀ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦାବିରେ ସରକାରୀ ମେଡ଼ିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟିର ଏକ ଅଭିଯାତ୍ରୀ ଦଳ ଜନସଚେତନତା ଉଦ୍ଦେଶ୍ୟରେ ୩ଦିନବ୍ୟାପୀ ଜିଲା ପରିକ୍ରମାରେ ଯାତ୍ରା ଆରମ୍ଭ କରିଛନ୍ତି । ବ୍ୟାସକବିଙ୍କ ସାଧନା ପୀଠ ଶାନ୍ତିକାନନରୁ ଏହି ଅଭିଯାତ୍ରୀମାନଙ୍କୁ ଫକୀରମୋହନ ସାହିତ୍ୟ ପରିଷଦ, ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘ, ସିଭିଲ୍ ସୋସାଇଟି, ସହାୟକ, ମଠସାହି କ୍ରିୟାନୁଷ୍ଠାନ କମିଟି, ରିକ୍ସାଚାଳକ ସଂଘ ଓ ସ୍ଥାନୀୟ ଅଧିବାସୀମାନଙ୍କ ପକ୍ଷରୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ଜିଲା କ୍ରିୟାନୁଷ୍ଠାନ କମିଟିର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା ଓ ସାଧାରଣ ସମ୍ପାଦକ ପ୍ରଦୀପ ଦାସଙ୍କ ନେତୃତ୍ୱରେ ୧୫ଜଣିଆ ଅଭିଯାତ୍ରୀ ଦଳଙ୍କୁ ବାଲେଶ୍ୱର ସହରର ସହଦେବଖୁଣ୍ଟା ବସଷ୍ଟାଣ୍ଡ ନିକଟରେ ଘରୋଇ ବସ୍ ମାଲିକ ସଂଘ, ପରିବହନ ଶ୍ରମିକ ସଂଘ ଏବଂ ଆନନ୍ଦ ବଜାରରେ ସହଦେବଖୁଣ୍ଟା, ଫିରଙ୍ଗିପାଟଣା ଓ ଚାନ୍ଦମାରୀ ପଡ଼ିଆର ମହିଳା ସଂଗଠନମାନେ ଫୁଲ, ଚନ୍ଦନ, ସିନ୍ଦୂର, ଲଗାଇ ଯାତ୍ରାର ଶୁଭକାମନା କରିଥିଲେ । ସେହିପରି ଫୁଲାଡ଼ିଛକ ଠାରେ ନଗ୍ରମ କ୍ରିୟାନୁଷ୍ଠାନ କମିଟି ଓ ବଜାର କମିଟି ପକ୍ଷରୁ ଅଭିଯାତ୍ରୀମାନଙ୍କୁ ସ୍ୱାଗତ କରାଯାଇଛି । ଏହି ଅଭିଯାତ୍ରୀ ଦଳ ହଳଦିପଦା, ରୁପ୍ସା, ବସ୍ତାର ଗାନ୍ଧିଛକ ଅତିକ୍ରମ କରି ବାଲିଆପାଳରେ ପଥପ୍ରାନ୍ତ ସଭାପରେ ଶୁକ୍ରବାର ରାତ୍ରିଯାପନ କରିବେ । ଶନିବାର ଚନ୍ଦନେଶ୍ୱର, ଥାନାଛକ, କମର୍ଦ୍ଦା, ନାମ୍ପୋ, ଲକ୍ଷ୍ମଣନାଥ ଓ ଜଳେଶ୍ୱର ଷ୍ଟେସନଛକରେ ସାଧାରଣ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ରବିବାର ରେମୁଣା, ମିତ୍ରପୁର, ନୀଳଗିରି, ଔପଦା, ସିମୁଳିଆ, ଖଇରା ଓ ସୋର ଅତିକ୍ରମ କରି ସୋମବାର ପୂର୍ବାହ୍ନ ୧୦ଟାରେ ଜିଲାପାଳଙ୍କ ଅଫିସ ସମ୍ମୁଖ ଗଣଧାରଣାସ୍ଥଳରେ ପହଞ୍ଚିବେ । ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାର ସ୍ୱାସ୍ୟ୍ଥସେବା ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିବେ ।
ଜିଲାରେ ଖାଲିପଡ଼ିଥିବା ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, ଫକୀରମୋହନ ମେଡିକାଲ୍ କଲେଜରେ ସମସ୍ତ ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ମେଡିକାଲ୍ କଲେଜରେ ହୃଦ୍ରୋଗ, ସ୍ନାୟୁରୋଗ ପ୍ରଭୃତି ବିଭାଗ ଖୋଲିବା, ଏମ୍ସ ହସପିଟାଲ୍ର ବହିଃବିଭାଗକୁ ୭ଦିନ କାର୍ଯ୍ୟକ୍ଷମ କରିବା ଏବଂ ସମସ୍ତ ନିଦାନର ପରୀକ୍ଷାଗାର କାର୍ଯ୍ୟକ୍ଷମ କରିବା, ନର୍ସିଂ ଓ ଫାର୍ମାସିଷ୍ଟ କଲେଜ୍ ନିର୍ମାଣ କାର୍ଯ୍ୟାରମ୍ଭ କରିବା, ମଞ୍ଜୁରୀପ୍ରାପ୍ତ ଆୟୁଷ ହସପିଟାଲ ନିର୍ମାଣ କରିବା ପ୍ରଭୃତି ଦାବିରେ ନାଗରିକମାନଙ୍କ ସ୍ୱାସ୍ଥ୍ୟସେବା ପାଇବା ଅଧିକାର ସମ୍ପର୍କରେ ସଚେତନତା ପାଇଁ ଜିଲା କ୍ରିୟାନୁଷ୍ଠାନ କମିଟି ଉଦ୍ୟମ ଆରମ୍ଭ କରିଛି । ଅଭିଯାତ୍ରୀମାନଙ୍କୁ ସ୍ୱାଗତ ଜଣାଇବାରେ ବାଲେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି, ଗଣ ସଂଗଠନ, କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଓ ଶତାଧିକ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।
