ଶିକାରୀ ଗିରଫ : ଦୁଇଟି ଦେଶୀ ବନ୍ଧୁକ ଓ ବାରୁଦ ଜବତ
ନୀଳଗିରି : ନୀଳଗିରି ବନବିଭାଗ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମିତ୍ରପୁର ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଶିକାର କରୁଥିବା ସମୟରେ ଚଢ଼ାଉ କରି ଜଣେ ଶିକାରୀକୁ ଗିରଫ କରିଛି ।
ସୂଚନା ଯେ, ଶିକାରୀ ଜଣକ ନୀଳଗିରି ଥାନା ମିତ୍ରପୁର ଅଞ୍ଚଳ ଚତୁରିଖୁଣ୍ଟା ଗ୍ରାମର ରୁଇଆ ସିଂ । ଶିକାରୀଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ବାରୁଦ ସହିତ ଗୋଟିଏ ଠେକୁଆ ଛୁଆ ଏବଂ ଗୋଟିଏ ଶାଳିଆ ପତନିର ମୃତଦେହକୁ ଜବତ କରାଯାଇ ତାକୁ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଚଢ଼ାଉରେ ନୀଳଗିରି ରେଞ୍ଜର ଆଇସା ଅକ୍ତାର ନିସା, ମିତ୍ରପୁର ବିଟ୍ର ଫରେଷ୍ଟର ସରୋଜ କୁମାର ପ୍ରଧାନ, ଗାର୍ଡ଼ ମନୋରଞ୍ଜନ ସିଂ ଓ ସବୁଜବାହିନୀ ଅଧିକାରୀମାନେ ଉପସ୍ଥିତ ଥିଲେ ।
